ଆଇପିଏଲରେ ଅଦ୍ୟାବଧି ଓପନ୍‌ରଙ୍କ ରାଜୁତି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଚଳିତ ସଂସ୍କରଣ ପ୍ରାରମ୍ଭିକ ଅବସ୍ଥାରେ ରହିଛି। ତଥାପି ଯେଉଁ କେତେକ ମ୍ୟାଚ୍‌ ଖେଳାଯାଇଛି; ସେଥିରେ ଓପନର୍‌ଙ୍କ ରାଜୁତି ଦେଖିବାକୁ ମିଳିଛି। ରବିବାର ସୁଦ୍ଧା ୫ଟି ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଏସବୁ ମ୍ୟାଚ୍‌ରେ ଓପନର୍‌ଙ୍କ ପ୍ରଦର୍ଶନ ନେଇ ଏହି ସମୀକ୍ଷା।
ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଗୁଜରାଟ ଟାଇଟାନ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟରେ​ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍‌ସ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ମୋଟ୍‌ ୩୬୦ ରନ୍‌ ସ୍କୋର ହୋଇଥିଲା। ଚେନ୍ନଇର ଓପନର୍‌ ଡେଭନ୍‌ କନୱେ ୧ ରନ୍‌ କରିଥିବା ବେଳେ ଅନ୍ୟ ଓପନର୍‌ ଋତୁରାଜ ଗାଏକ୍ବାଡ୍‌ ୫୦ଟି ବଲ୍‌ରୁ ୪ଟି ଚୌକା ଓ ୯ଟି ଛକା ସହ ୯୨ ରନ୍ କରିଥିଲେ। ଗୁଜରାଟ ଓପନର୍‌ ଋଦ୍ଧିମାନ ଶାହା ୧୬ଟି ବଲ୍‌ରୁ ୨୫ ଓ ଶୁବମାନ୍‌ ଗିଲ୍‌ ୩୬ଟି ବଲ୍‌ରୁ ୬ଟି ଚୌକା ଓ ୩ଟି ଛକା ସହ ୬୩ ରନ୍ କରିଥିଲେ। ଦୁଇ ଦଳର ଓପନର୍‌ ମୋଟ୍‌ ୧୮୧ ରନ୍ କରିଥିଲେ; ଯାହାକି ମୋଟ୍‌ ରନ୍‌ ସଂଖ୍ୟା ୩୬୦ର ୫୦.୨%। ଚେନ୍ନଇ ଦଳର ଓପନର୍‌ ଋତୁରାଜ ୯୨ ରନ୍‌ କରିବା ଫଳରେ ଦଳ ବଡ଼ ସ୍କୋର କରି ପାରିଥିଲା। ତେବେ ଗୁଜରାଟର ଓପନର୍‌ ଶୁବମାନ୍‌ ମୂଳରୁ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ଏହି ଦଳର ବିଜୟ ସହଜ ହୋଇ ପାରିଥିଲା।
୨ୟ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଦଳର ମୁକାବିଲା କଲକାତା ନାଇଟ୍‌ ରାଇଡର୍ସ ସହ ହୋଇଥିଲା। ମ୍ୟାଚ୍‌ରେ ପଞ୍ଜାବ ବିଜୟୀ ହୋଇଥିଲା। ପଞ୍ଜାବ କିଙ୍ଗ୍‌ସର ଓପନର୍‌ ପ୍ରଭସିମରନ୍‌ ସିଂହ ୧୨ଟି ବଲ୍‌ରୁ ୨୩ ଓ ଶିଖର ଧାୱନ୍‌ ୨୯ଟି ବଲ୍‌ରୁ ୬ଟି ଚୌକା ସହ ୪୦ ରନ୍‌ କରିଥିଲେ। କଲକାତାର ଓପନର୍‌ ମନଦୀପ ସିଂହ ୨ ଓ ରହମାନୁଲ୍ଲା ଗୁରବାଜ୍‌ ୧୬ଟି ବଲ୍‌ରୁ ୩ଟି ଚୌକା ଓ ୧ଟି ଛକା ସହ ୨୨ ରନ୍‌ କରିଥିଲେ। ମ୍ୟାଚ୍‌ରେ ମୋଟ୍‌ ୩୩୭ ରନ୍‌ ହୋଇଥିବା ବେଳେ ଦୁଇ ଦଳର ଓପନର୍‌ ମିଳିତ ଭାବେ ୮୭ ରନ୍‌ ସଂଗ୍ରହ କରିଥିଲେ; ଯାହାକି ମୋଟ୍‌ ରନ୍‌ ସଂଖ୍ୟାର ୨୫.୮%। ୩ୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍‌ସ ସହ ହୋଇଥିଲା। ମ୍ୟାଚ୍‌କୁ ଲକ୍ଷ୍ନୌ ଦଳ ଜିିତି ନେଇଥିଲା। ଲକ୍ଷ୍ନୌ ଓପନର୍‌ କେଏଲ୍‌ ରାହୁଲ ୮ ଓ କାଏଲ୍‌ ମେୟର୍ସ ୩୮ଟି ବଲ୍‌ରୁ ୨ଟି ଚୌକା ଓ ୭ଟି ଛକା ସହ ୭୩ ରନ୍‌ କରିଥିବା ବେଳେ ଦିଲ୍ଲୀ ଓପନର୍‌ ପୃଥ୍ବୀ ସ’ ୧୨ ଓ ଡେଭିଡ୍‌ ୱାର୍ଣ୍ଣର ୪୮ଟି ବଲ୍‌ରୁ ୫୬ ରନ୍‌ କରିଥିଲେ। ମ୍ୟାଚ୍‌ରେ ମୋଟ୍‌ ୩୩୬ ରନ୍‌ ହୋଇଥିବା ବେଳେ ଦୁଇ ଦଳର ଓପନର ୧୪୯ ରନ୍‌ କରିଥିଲେ; ଯାହାକି ମୋଟ୍‌ ରନ୍‌ ସଂଖ୍ୟାର ୪୪.୩୪%।
୪ର୍ଥ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସର ମୁକାବିଲା ସନ୍‌ରାଇଜର୍ସ ହାଇଦରାବାଦ୍‌ ସହ ହୋଇଥିଲା। ଏଥିରେ ରାଜସ୍ଥାନ ରୟାଲ୍‌ସ ବିଜୟୀ ହୋଇଥିଲା। ରାଜସ୍ଥାନ ରୟାଲ୍‌ସର ଓପନର୍‌ ଯଶସ୍ବୀ ଜୟସୱାଲ୍‌ ୩୭ଟି ବଲ୍‌ରୁ ୯ଟି ଚୌକା ସହ ୫୪ ଓ ଜୋସ୍‌ ବଟଲର୍‌ ୨୨ଟି ବଲ୍‌ରୁ ୭ଟି ଚୌକା ଓ ୩ଟି ଛକା ସହ ୫୪ ରନ୍‌ କରିଥିଲେ। ପରେ ସନରାଇଜର୍ସ ଦଳର ଓପନର୍‌ ଅଭିଷେକ ବର୍ମା କୌଣସି ରନ୍‌ କରିନଥିବା ବେଳେ ମୟଙ୍କ ଅଗ୍ରୱାଲ୍‌ ୨୩ଟି ବଲ୍‌ରୁ ୨୭ ରନ୍‌ କରିଥିଲେ। ମ୍ୟାଚ୍‌ରେ ମୋଟ୍‌ ୩୩୪ ରନ୍‌ ହୋଇଥିବା ବେଳେ ଦୁଇ ଦଳର ଓପନର୍‌ ୧୩୫ ରନ୍‌ କରିଥିଲେ; ଯାହାକି ମୋଟ୍‌ ରନ୍‌ ସଂଖ୍ୟାର ୪୦.୪%। ଏହି ମ୍ୟାଚ୍‌ରେ ରାଜସ୍ଥାନର ଓପନର୍‌ ଜୟସୱାଲ୍‌ ଓ ବଟଲର୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ୫ମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ମୁମ୍ବଇ ଇଣ୍ଡିଆନ୍‌ସ ସହ ହୋଇଥିଲା। ମ୍ୟାଚ୍‌ରେ ବାଙ୍ଗାଲୋର ବିଜୟୀ ହୋଇଥିଲା। ମୁମ୍ବଇର ଉଭୟ ଓପନର୍‌ ବିଫଳ ହୋଇଥିଲେ। ରୋହିତ ଶର୍ମା ୧ ଓ ଈଶାନ କିଷନ ୧୦ ରନ୍‌ କରିଥିଲେ। ଅନ୍ୟପକ୍ଷରେ ବାଙ୍ଗାଲୋର ଦଳର ଓପନର୍‌ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ବିରାଟ କୋହଲି ୪୯ଟି ବଲ୍‌ରୁ ୬ଟି ଲେଖାଏଁ ଚୌକା ଓ ଛକା ସହ ଅପରାଜିତ ୮୨ ରନ୍‌ କରିଥିବା ବେଳେ ଫାଫ୍ ଡୁ ପ୍ଲେସି ୪୩ଟି ବଲ୍‌ରୁ ୫ଟି ଚୌକା ଓ ୬ଟି ଛକା ସହ ୭୩ ରନ୍‌ କରିଥିଲେ। ମ୍ୟାଚ୍‌ରେ ମୋଟ୍‌ ୩୪୩ ରନ୍‌ ହୋଇଥିବା ବେଳେ ଦୁଇ ଦଳର ଓପନର୍‌ ମିିଳିତ ଭାବେ ୧୬୬ ରନ୍‌ କରିଥିଲେ; ଯାହାକି ମୋଟ୍‌ ରନ୍‌ ସଂଖ୍ୟାର ୪୮.୩୯%। ଆଗକୁ ଅନେକ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ବିଭିନ୍ନ ଦଳରେ ଥିବା ଓପନର୍‌ ନିଜ ଆଧିପତ୍ୟ ବଜାୟ ରଖିବା ସହ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରୁଛନ୍ତି କି ନାହିଁ; ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିବ।

Comments are closed.