www.samajalive.in
Sunday, December 14, 2025
16.1 C
Bhubaneswar

ଦରମାରୁ କ୍ଷତିପୂରଣ ଦେବେ ତଦନ୍ତକାରୀ

ଭୁବନେଶ୍ୱର: ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ରାତି ଅଧରେ ଘରେ ପଶି ବଳପୂର୍ବକ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିବା ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର ଆୟୋଗ ପୀଡିତଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଦୁଇ ମାସ ମଧ୍ୟରେ କ୍ଷତିପୂରଣ ବାବଦ ଅର୍ଥ ତତ୍କାଳୀନ ତଦନ୍ତକାରୀ ଅଧିକାରୀଙ୍କ ଦରମାରୁ ଭରଣା କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ଏଥିସହ ଏହି ଘଟଣାରେ ତତ୍କାଳୀନ ଥାନାଧିକାରୀଙ୍କୁ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ପୁଲିସ ମହାନିର୍ଦେଶକଙ୍କୁ ସବୁ ଥାନାର ସିସିଟିଭି କାର୍ୟ୍ୟକ୍ଷମ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଏକ ବାଇକ ଚୋରି ମାମଲାର ଅଭିଯୁକ୍ତ ମିନାକ୍ଷୀ ପଟ୍ଟନାୟକଙ୍କୁ ଗିରଫ କରିବା ଲାଗି ଆସ୍କା ଥାନା ଏଏସଆଇ ରାଜୀବ କୁମାର ବେହେରା ପୁଲିସ କର୍ମଚାରୀଙ୍କ ସହାୟତାରେ ୨୦୧୩ ମେ ୫ ତାରିଖ ରାତି ପ୍ରାୟ ୨ଟା ବେଳେ କର୍ତାଳି ଗ୍ରାମସ୍ଥିତ ତାଙ୍କ ଘରେ ଚଢଉ କରିଥିଲେ। ମିନାକ୍ଷୀଙ୍କୁ ନପାଇ ପୁଲିସ ତାଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ଉଠାଇ ନେଇ ରାତିସାରା ଥାନାରେ ଶାରୀରିକ ଓ ମାନସିକ ନିର୍ୟାତନା ଦେଇଥିଲେ। ପରଦିନ ପଡୋଶୀଙ୍କ ସହାୟତାରେ ଥାନାରୁ ଆସିଥିଲେ। ଏ ନେଇ ମିନାକ୍ଷୀ ତତ୍କାଳୀନ ଥାନାଧିକାରୀ ବିଚିତ୍ରାନନ୍ଦ ସାମଲ ଓ ତଦନ୍ତକାରୀ ଅଧିକାରୀ ଶ୍ରୀ ବେହେରାଙ୍କ ବିରୋଧରେ ମାନବାଧିକାର ଆୟୋଗରେ ଅଭିେଯାଗ କରିଥିଲେ। ଆୟୋଗ ଘଟଣା ସମ୍ପର୍କରେ ଗଞ୍ଜାମ ଏସପିଙ୍କୁ ରିପୋର୍ଟ ମାଗିଥିଲେ। ଏସପି ତାଙ୍କ ରିପୋର୍ଟରେ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଥିଲେ। ଯେଉଁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ତାଙ୍କୁ ହିଁ ରିପୋର୍ଟ ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯାଇଥିବା ନେଇ ଆବଦନକାରୀ ଆପତ୍ତି ଉଠାଇଥିଲେ।

- Advertisement -

ଘଟଣାରେ ଆୟୋଗ ପକ୍ଷରୁ ନିରପେକ୍ଷ ତଦନ୍ତ କରାଯିବା ପରେ ଅଭିେଯାଗରେ ସତ୍ୟତା ଥିବା ପ୍ରମାଣିତ ହୋଇଥିଲା। ଘଟଣା ଦିନ ପୁଲିସ ଶ୍ରୀ ପଟ୍ଟନାୟକଙ୍କ ଘରେ ବଳପୂର୍ବକ ପ୍ରବେଶ କରି ତାଙ୍କୁ ଉଠାଇ ଆଣିଥିଲା। ଘଟଣାର ପ୍ରତ୍ୟକ୍ଷଦର୍ଶୀ ପଡୋଶୀ ଶ୍ରୀମତୀ ରମା ଛାଟୋଇଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିଲା। ପାଞ୍ଚଦିନ ମଧ୍ୟରେ ପତ୍ନୀ ମୀନାକ୍ଷୀଙ୍କୁ ଥାନାରେ ହାଜର କରିବା ସର୍ତ୍ତରେ ପୁଲିସ ତାଙ୍କୁ ଛାଡିଥିଲା। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଘଟଣାର କୌଣସି ସିସିଟିଭି ଫୁଟେଜ ନ ଥିଲା। କାରଣ ଥାନାରେ କୌଣସି ସିସିଟିଭି କାମ କରୁ ନ ଥିଲା। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ଆୟୋଗ ତଦନ୍ତକାରୀ ଅଧିକାରୀ ରାଜୀବ ବେହେରା ମାମଲାରେ ସମ୍ପୃକ୍ତ ନ ଥିବା ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ବେଆଇନ ଭାବେ ଘରୁ ଉଠାଇ ଆଣିଥିବା ନେଇ ନିଶ୍ଚିତ ହୋଇଥିଲେ। ଏହାଛଡା କୌଣସି ମହିଳା ଅଭିଯୁକ୍ତଙ୍କୁ ସୂର୍ୟ୍ୟାସ୍ତ ପରେ କିମ୍ବା ସୂର୍ୟ୍ୟୋଦୟ ପୂର୍ବରୁ ଗିରଫ ନ କରିବାକୁ ନିର୍ଦେଶ ଥିଲେ ମଧ୍ୟ ଶ୍ରୀ ବେହେରା ଏହାର ଉଲ୍ଲଙ୍ଘନ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କାର୍ୟ୍ୟାନୁଷ୍ଠାନ ଫଳରେ ଶ୍ରୀ ପଟ୍ଟନାୟକଙ୍କ ମାନବାଧିକାର କ୍ଷୁଣ୍ଣ ହୋଇଥିବାରୁ ତାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ତଦନ୍ତକାରୀ ଅଧିକାରୀଙ୍କଠାରୁ ଭରଣା କରିବାକୁ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଏହାଛଡା ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଆଉ କି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories