ବିମାନରେ ଇଣ୍ଟରନେଟ ଓ କଲ୍‌କୁ ଅନୁମୋଦନ

0

ନୂଆଦିଲ୍ଲୀ : ବିମାନରେ ଇଣ୍ଟରନେଟ ଓ ମୋବାଇଲ କଲ୍‌ ବ୍ୟବହାର ପାଇଁ ଭାରତୀୟ ଦୂରସଂଚାର ଆୟୋଗ (ଟେଲିକମ୍‌ କମିଶନ୍‌) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି । ଫଳରେ ଏଣିକି ବିମାନ ଯାତ୍ରା ବେଳେ ଯାତ୍ରୀମାନେ ମୋବାଇଲ କଲ୍‌ ଓ ଇଣ୍ଟରନେଟ ସେବାର ସୁବିଧା ନେଇପାରିବେ । ତେବେ ଭାରତ ଆକାଶରେ ଏହି ସୁବିଧା ମିଳିବା ପାଇଁ ଆଉ ୩ରୁ ୪ ମାସ ସମୟ ଲାଗିବ ବୋଲି ଦୂରସଂଚାର ଯୋଗାଯୋଗ (ଟେଲିକମ୍ୟୁନିକେସନ) ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଦୂରସଂଚାର ଯୋଗାଯୋଗ ବିଭାଗ (ଡଟ୍‌) ବିମାନରେ ଇଣ୍ଟରନେଟ ଓ ମୋବାଇଲ୍‌ କଲ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଥିଲା। ଦୂରସଂଚାର କମିଶନ ମଙ୍ଗଳବାର ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଭାରତୀୟ ଦୂରସଂଚାର ନିୟନ୍ତ୍ରକ ପ୍ରତିଷ୍ଠାନ (ଟ୍ରାଇ) ସୁରକ୍ଷା ଦୃଷ୍ଟିରୁ ଏ କ୍ଷେତ୍ରରେ କେତେକ କଟକଣା ଜାରି କରିଛି । ଟ୍ରାଇ ଅନୁଯାୟୀ ଭୂପୃଷ୍ଠରୁ ୩,୦୦୦ ମିଟର ଉପରକୁ ଉଠିବା ପରେ ବିମାନରେ ଇଣ୍ଟରନେଟ ଓ ମୋବାଇଲ କଲ୍‌ ସେବା ମିଳିବ । ଉଲ୍ଲେଖ ଯେ ୩,୦୦୦ ମିଟର ଉପରକୁ ଉଠିବା ପାଇଁ ଏକ ବିମାନକୁ ଉଡ଼ାଣରୁ ମାତ୍ର ୪ରୁ ୫ ମିନିଟ ସମୟ ଲାଗିଥାଏ । ବିମାନରେ ଏହି ସେବା ପରିଚାଳାନା କ୍ଷେତ୍ରରେ ଲାଇସେନ୍ସ ପ୍ରଦାନ ପାଇଁ ଡଟ୍‌କୁ ବର୍ତ୍ତମାନର ଆଇନରେ ଆବଶ୍ୟକୀୟ ସଂଶୋଧନ କରିବାକୁ ପଡ଼ିବ । ଆଇନରେ ସଂଶୋଧନ ପରେ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯିବ । ସେବା ପ୍ରଦାନ କାରୀ ଟେଲିକମ୍‌ କମ୍ପାନୀଙ୍କୁ ଲାଇସେନ୍ସ ବାବଦ ନାମକୁମାତ୍ର ବାର୍ଷିକ ୧ ଟଙ୍କା ଦେବାକୁ ପଡ଼ିବ ବୋଲି ଡଟ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ଅନେକ ରାଷ୍ଟ୍ରରେ ବିମାନରେ ଇଣ୍ଟରନେଟ ଏବଂ ମୋବାଇଲ କଲ୍‌ ସେବା ପ୍ରଦାନ କରାଯାଉଛି । ହେଲେ ଏପର୍ଯ୍ୟନ୍ତ ଭାରତୀୟ ବିମାନରେ ଏହି ସେବା ପ୍ରଦାନ କରାଯାଇନାହିଁ । ଦୂରସଂଚାର ଆୟୋଗର ଅନୁମୋଦନ ପରେ ଏଣିକି ଆନ୍ତର୍ଜାତିକ ଓ ଆଞ୍ଚଳିକ ବିମାନରେ ଏହି ସୁବିଧା ଉପଲବ୍ଧ ହେବ ।

Leave A Reply