ଆଇଏମଆଇଟିରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର

ଡେସ୍କ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ – ଆଇଏମଆଇଟିରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିଅରିଂ ବିଭାଗରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଓ ଗବେଷଣା ଆଲୋଚନାଚକ୍ର ‘ଇଣ୍ଟରନାସନଲ କନଫରେନ୍ସ ଅନ କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ -୨୦୨୫ (ICCTCCI-2025)’ ଭୁବନେଶ୍ୱର ସ୍ଥିତ ୱାର୍ଲଡ଼ ସ୍କିଲ ସେଣ୍ଟର ଠାରେ ଚଳିତ ମାସ ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍ନୋଲୋଜି (ବିପିୟୁଟି), ରାଉରକେଲାର କୁଳପତି ପ୍ରଫେସର ଅମିୟ କୁମାର ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘କଟିଙ୍ଗ ଏଜ ଟେକ୍ନୋଲୋଜି ଇନ କମ୍ପ୍ୟୁଟିଙ୍ଗ, କମ୍ୟୁନିକେସନ ଆଣ୍ଡ ଇଣ୍ଟେଲଲିଜେନ୍ସ’ ବିଷୟ ଭିତ୍ତିକ ଏହି ଆଲୋଚନା ଚକ୍ରରେ ଗୁରୁ ଘାସି ଦାସ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଧୁନିକ ଜୀବନ ଶୈଳୀରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ ପ୍ରଯୁକ୍ତି ବିଦ୍ୟାକୁ ସାମ୍ପ୍ରତିକ ସମସ୍ୟାର ସମାଧାନର ସୂତ୍ର ହିସାବରେ ବ୍ୟବହାର କରିବା ପାଇଁ ଉପସ୍ଥିତ ଗବେଷକ ଏବଂ ଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଦେଇଥିଲେ। ଜାପାନର ଟୋକିଓ ସ୍ଥିତ ରାକୁଟେନ କାମ୍ପାନିର ବରିଷ୍ଠ ଡାଟା ବୈଜ୍ଞାନିକ ଇଞ୍ଜିନିୟର କାଳିପଦ ତ୍ରିପାଠୀ ଏବଂ ମାଲେସିଆର କେଲାନ୍ତାନ ସ୍ଥିତ ୟୁନିଭରସିଟି ଅଫ ମାଲେସିଆର ସହଯୋଗୀ ପ୍ରଫେସର ଡ଼. ଜୁଲକର୍ଣ୍ଣି ଖିଡଜିର କିନୋଟ ସ୍ପିକର ଭାବେ ଆଭାସୀ ମାଧ୍ୟମରେ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ମାନ ଓ ଗବେଷଣା ଜନିତ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଆଲୋଚନାଚକ୍ର ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ। ନାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି), ରାଉରକେଲାର ପ୍ରଫେସର ବିଭୁଦତ୍ତ ସାହୁ ଜେନେରାଲ ଚେୟାର ଭାବେ ଯୋଗ ଦେଇ କୁତ୍ରିମ ବୁଦ୍ଧିମତା ଓ ମେସିନ ଲର୍ଣ୍ଣିଙ୍ଗ ପ୍ରୟୋଗ କରି ଆଜିର ମଣିଷ କିପରି ଉନ୍ନତିର ଶିଖର ଛୁଇଁ ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ।
ଆଇଜିଆଇଟି ସରାଙ୍ଗର ପ୍ରଫେସର ଶ୍ରୀନିବାସ ସେଠି ପ୍ରୋଗ୍ରାମ ଚେୟାର ଭାବେ ଯୋଗ ଦେଇ ICCTCCI-2025ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସମ୍ମିଳନୀ ପାଇଁ ଆମେରିକା, ଜାପାନ, ଜୋର୍ଡାନ, ନେପାଳ, ଇଜିପ୍ଟ, ଇଥିଓପିଆ, ଓମାନ, ମାଲେସିଆ ଏବଂ ଭାରତ ଆଦି ନଅଟି ଦେଶର ୧୭୫ ଜଣ ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍ ସେମାନଙ୍କର ଗବେଷଣା କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ନିବେଦନ କରିଥିଲେ। ତନ୍ମଧ୍ୟରୁ ୭୧ଟି ଉତ୍କୃଷ୍ଟ ଗବେଷଣାତ୍ମକ କାର୍ଯ୍ୟକୁ ଆଲୋଚନା ପାଇଁ ମନୋନୀତ କରାଯାଇଥିଲା। ସମ୍ମିଳନୀରେ ଆଲୋଚିତ ସମସ୍ତ ଗବେଷଣାତ୍ମକ ବିଷୟବସ୍ତୁ ସିଆରସି ପ୍ରେସ୍ ଟେଲର ଆଣ୍ଡ ଫ୍ରାନସି ବୁକ ଚାପଟର ହିସାବରେ ପ୍ରକାଶିତ ହେବ।
ମୁଖ୍ୟ ଅତିଥି ପ୍ରଫେସର ଆଲୋକ କୁମାର ଚକ୍ରୱାଲଙ୍କ ଦ୍ୱାରା ସମ୍ମିଳନୀର ‘ପ୍ରୋସିଡ଼ିଙ୍ଗସ ଅଫ ଆବଷ୍ଟ୍ରାକଟସ‘ ଉନ୍ମୋଚିତ ହୋଇଥିଲା। ହାଇବ୍ରିଡ଼ ମୋଡ଼ରେ ହୋଇଥିବା ଏହି ସମ୍ମିଳନୀରେ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ସଂଯୋଜନା କରି କର୍ମଶାଳାର ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରି ଥିଲେ। କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ତଥା ସହ ଆବାହକ ଡ଼କ୍ଟର ଆଲୋକ ରଞ୍ଜନ ତ୍ରିପାଠୀ, ଅଧ୍ୟାପକ ଡ଼କ୍ଟର ସତ୍ୟ ପ୍ରକାଶ ସ୍ୱାଇଁ, ଡ଼କ୍ଟର କୁନାଲ ପଟ୍ଟନାୟକ, ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ମଞ୍ଚ ପରିଚାଳନା କରିଥିଲେ। ସମ୍ମିଳନୀ ପରିଚାଳନାରେ ବିଭିନ୍ନ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନର ଶିକ୍ଷାବିତମାନେ ବିଭିନ୍ନ ଅଧିବେଶନରେ ଚେୟାର ଭାବେ ଉପସ୍ଥିତ ରହି ଆଲୋଚନାକୁ ତ୍ୱରାନ୍ୱିତ କରିବା ସହ ଗବେଷଣାରତ ଶିକ୍ଷାବିତ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
Comments are closed.