ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଅଳ୍ପ କିଛି ସମୟ ପୂର୍ବରୁ ଇସ୍ରୋ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ଏପରି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ଉପୁଜିଥିଲା। ତେବେ ଲ୍ୟାଣ୍ଡର ବିକ୍ରମ ସହିତ କ’ଣ ହେଲା, ସେ ଏବେ କେଉଁଠି ଏବଂ କେଉଁ ଅବସ୍ଥାରେ ରହିଛି ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି। କିନ୍ତୁ ବର୍ତ୍ତମାନ ସେ ସମ୍ପର୍କରେ ଇସ୍ରୋର ବୈଜ୍ଞାନିକମାନଙ୍କ ପାଖରେ କୌଣସି ସୂଚନା ନାହିଁ। କିନ୍ତୁ ଅର୍ବିଟରରେ ଲାଗିଥିବା ଅତ୍ୟାଧୁନିକ ଉପକରଣରୁ ଖୁବ୍ଶୀଘ୍ର ଏସବୁ ପ୍ରଶ୍ନର ଉତ୍ତର ମିଳିବାର ଆଶା ରହିଛି।
ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଘଟଣା ସମୟରୁ ୩ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ କେଉଁଠି ଅଛି ଏବଂ କେଉଁ ଅବସ୍ଥାରେ ଅଛି ସେ ବିଷୟରେ ସୂଚନା ମିଳିପାରିବ। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ବୈଜ୍ଞାନିକ ଜଣକ କହିଛନ୍ତି ଯେ, ସମ୍ପର୍କ ଚ୍ଛିନ୍ନ ହେବାର ୩ ଦିନ ମଧ୍ୟରେ ଲ୍ୟାଣ୍ଡରକୁ ଠାବ କରାଯିବାର ଆଶା ରହିଛି। ଏହାର କାରଣ ହେଉଛି ଯେଉଁ ସ୍ଥାନରେ ବିକ୍ରମ ସହିତ ସମ୍ପର୍କ ଚ୍ଛିନ୍ନ ହେଲା, ସେଠାରେ ଅର୍ବିଟରକୁ ପହଞ୍ଚିବା ଲାଗି ୩ ଦିନ ସମୟ ଲାଗିବ। ଆମ ନିକଟରେ ଲ୍ୟାଣ୍ଡିଂ ସ୍ଥଳ ସମ୍ପର୍କରେ ତଥ୍ୟ ରହିଛି। ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ବାଟ ହୁଡ଼ି ଯାଇଥିଲା।
ବୈଜ୍ଞାନିକ ଜଣକ କହିଛନ୍ତି, ଅର୍ବିଟରର ୩ଟି ଉପକରଣ ଏସଏଆର(ସିନ୍ଥେଟିକ ଆପାରେଚର ରାଡାର), ଆଇଆର ସ୍ପେକ୍ଟ୍ରୋମିଟର ଏବଂ କ୍ୟାମେରା ସହାୟତାରେ ୧୦ ବର୍ଗ କିଲୋମିଟର ଅଞ୍ଚଳର ସନ୍ଧାନ କରାଯିବା ଦରକାର। ଲ୍ୟାଣ୍ଡରକୁ ଠାବ କରିବା ଲାଗି ଆମକୁ ଉକ୍ତ ଅଞ୍ଚଳର ହାଇ ରିଜୋଲ୍ୟୁଶନ ଫଟୋ ନେବା ଆବଶ୍ୟକ। କିନ୍ତୁ ଯଦି ବିକ୍ରମ କ୍ରାଶ ଲ୍ୟାଣ୍ଡିଂ କରିଥିବ ଏବଂ ତାହା ଭାଙ୍ଗିରୁଜି ଯାଇଥିବ ତେବେ ତାହାକୁ ଠାବ କରିବା କଷ୍ଟକର ହେବ।
ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି ଯେ, ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ସହିତ ସମ୍ପର୍କ ସ୍ଥାପନ କରିବାକୁ ଲଗାତାର ଉଦ୍ୟମ ଜାରି ରହିବ। ଇସ୍ରୋର ଟିମ୍ ମିଶନ କାମରେ ଲାଗି ରହିଛନ୍ତି। ଦେଶକୁ ଆଶା ରହିଛି ଯେ, ୧୪ ଦିନରେ କିଛି ଭଲ ଖବର ମିଳିପାରିବ।



