ନୂଆଦିଲ୍ଲୀ : କୌଣସିପ୍ରକାର ସଂଘର୍ଷରେ ପ୍ରାଣହରାଉଥିବା ଅଥବା ଆହତ ହେଉଥିବା ଦେଶର ଯବାନମାନଙ୍କ ସକାଶେ ଏକ କଲ୍ୟାଣ ପାଣ୍ଠି ଗଠନକରାଯିବ। ଏହାର ମୂଳରାଶି ୧୦ରୁ ୧୫ହଜାର କୋଟି ଟଙ୍କା ରହିବ। ପଞ୍ଚଦର୍ଶ ଅର୍ଥ ଆୟୋଗ ଏ ସମ୍ପର୍କରେ ସୁପାରିସ କରିବା ଆଶା କରାଯାଉଛି। ପ୍ରତିରକ୍ଷା ବିଭାଗ ନିମନ୍ତେ ପୃଥକ ଅର୍ଥ ବ୍ୟବସ୍ଥା କରିବାକୁ ଅର୍ଥ ଆୟୋଗଙ୍କୁ ଦିଆଯାଇଥିବା ଦାୟିତ୍ୱ ଉପରେ ଚାଲିଥିବା ଆଲୋଚନାର ଅଂଶସ୍ୱରୂପ ଏଭଳି ଏକ ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି।
ଇତିମଧ୍ୟରେ ପଞ୍ଚଦଶ ଅର୍ଥ ଆୟୋଗ ପକ୍ଷରୁ କୁହାଯାଇଛି, ଦେଶରେ ଏହା ପ୍ରଥମ ଅର୍ଥ ଆୟୋଗ ଭାବରେ ଲଦାଖ ଗସ୍ତକରିଥିଲା। ଗସ୍ତ ସମୟରେ କାରଗିଲ ଯୁଦ୍ଧ ସମ୍ପର୍କରେ ଏହା ହୃଦୟସ୍ପର୍ଶୀ ଉପସ୍ଥାପନା ଦେଖିବାକୁ ପାଇଥିଲା ଏବଂ ଏହା ଅନୁଭବ କରିଥିଲା ଯେ ଦେଶର ସୁରକ୍ଷା ନିମନ୍ତେ ଆତ୍ମୋତ୍ସର୍ଗ କରୁଥିବା ଭାରତର ନାଗରିକଙ୍କୁ ଉପଯୁକ୍ତ ସ୍ୱୀକୃତି ମଳିବା ଆବଶ୍ୟକ ଏବଂ ସେଥିପାଇଁ ଜବାନ କଲ୍ୟାଣ ପାଣ୍ଠି ଭଳି କିଛି ଆନୁଷ୍ଠାନିକ ବ୍ୟବସ୍ଥା ରହିବା ଉଚିତ। ଯଦି ପାଣ୍ଠି ପରିମାଣ ଆଖିଦୃଶିଆ ହୁଏ; ତେବେ ସେଥିରୁ ମିଳିବାକୁ ଥିବା ସୁଧରୁ ଜବାନ ଓ ସେମାନଙ୍କ ପରିବାରବର୍ଗଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ। ଅବଶ୍ୟ କେନ୍ଦ୍ର ଓ ପ୍ରତି ରାଜ୍ୟ ସରକାରଙ୍କର ଏ ବାବଦରେ ପାଣ୍ଠି ରହିଛି। ତେଣୁ ତାହା ଯେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଉଛି, ତାହା ଯେଭଳି ଦୋହରା ନ ହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ।



