ସମାଜ ଡିଜିଟାଲ ଡେସ୍କ: ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳପଥ ଏକ ନୂଆ ସୁପର ଆପ୍ ଲଞ୍ଚ କରିଛି। ଏହାର ନାଁ ରହିଛି ‘ରେଲ୍ଓ୍ବାନ୍’। ଏହି ଗୋଟିଏ ପ୍ଲାଟଫର୍ମରେ ଯାତ୍ରୀମାନେ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଟିକଟ ବୁକିଂଠାରୁ ଆରମ୍ଭ କରି, ଯାତ୍ରା ସମୟରେ ଖାଦ୍ୟପେୟ ଏବଂ ଅଭିଯୋଗ କରିବାର ସୁବିଧା ଏହି ଆପରୁ ମିଳିବ।
ଏହି ନୂଆ ଆପ୍ ଜିରଆରେ ଆଇଆରସିଟିସି ସଂରକ୍ଷିତ ଓ ଅଣସଂରକ୍ଷିତ ଟିକଟ, ପ୍ଲାଟଫର୍ମ ଟିକଟ, ପିଏନଆର ଟ୍ରାକ୍ କରିବା, ଟ୍ରେନ ଷ୍ଟାଟସ ଯାଞ୍ଚ କରିବା, ବଗିର ସ୍ଥିତି ଏବଂ ଟ୍ରେନରେ ସହାୟତା ସୁବିଧା ହାସଲ କରିପାରିବେ ଯାତ୍ରୀ। ଏହା ସହିତ ଟ୍ରେନ ଯାତ୍ରାର ଅଭିଜ୍ଞତା ସମ୍ପର୍କରେ ଯାତ୍ରୀମାନେ ଫିଡ୍ବ୍ୟାକ ମଧ୍ୟ ଦେଇପାରିବେ। ଯାତ୍ରୀକୁ ଉନ୍ନତ ସେବା ପ୍ରଦାନ ଉଦ୍ଦେଶ୍ୟରେ ରେଳପଥ ପକ୍ଷରୁ ଏହି ଆପ୍ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।



