ଗାଜିଆବାଦ : ଭାରତୀୟ ବାୟୁ ସେନା ସୋମବାର ପାଳନ କରିଛି ଏହାର ୮୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ନିକଟ ହିଣ୍ଡନ ବାୟୁ ସେନା ଷ୍ଟେସନ୍ଠାରେ ଆୟୋଜିତ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନୀରେ ବିମାନଗୁଡ଼ିକ ବିଭିନ୍ନ ଚିତ୍ତାକର୍ଷକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ବିଶେଷ ଭାବେ ଯୁଦ୍ଧ ଓ ସେବା ସମୟରେ ବାୟୁ ସେନାର ନିଷ୍ଠା ତଥା ତ୍ୟାଗର ଝଲକ ଏଥିରେ ଦେଖିବାକୁ ମିଳିଥିଲା। ଏହି ପ୍ରଦର୍ଶନରେ ଜାଗୁଆର, ବିସନ୍, ନୂଆ ରୂପ ନେଇଥିବା ମିଗ୍-୨୯, ମିରେଜ-୨୦୦୦, ସୁଖେଇ-୩୦ଏମ୍କେଆଇ ଜେଟ୍, ରୁଦ୍ର ହେଲିକପ୍ଟର ସହିତ ବିଭିନ୍ନ ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର, ରାଡାର ଓ କ୍ଷେପଣାସ୍ତ୍ର ବ୍ୟବସ୍ଥା ସାମିଲ ହୋଇଥିଲା। ବିଶେଷକରି ‘ସାରଙ୍ଗ’ ହେଲିକପ୍ଟରର କ୍ରୀଡ଼ା କୌଶଳ ଆକର୍ଷଣୀୟ ହୋଇଥିଲା। ଭାରତୀୟ ବାୟୁ ସେନା ବ୍ରିଟିଶ ଶାସନକାଳରେ ୧୯୩୨ରେ ‘ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ’ ନାମରେ ଜନ୍ମଲାଭ କରିଥିଲା। ଭାରତ ସ୍ୱାଧୀନ ହେବା ପରେ ୧୯୫୦ରେ ଏହା ଭାରତୀୟ ବାୟୁ ସେନାକୁ ରୂପାନ୍ତରିତ ହୋଇଥିଲା।
Popular Categories



