www.samajalive.in
Saturday, December 13, 2025
21.1 C
Bhubaneswar

ଥମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ: ଆଉ ଏକ ଇତିହାସ ଅପେକ୍ଷା‌ରେ ଭାରତ

ବ୍ୟାଙ୍ଗ୍‌କକ୍‌: ବିଶ୍ବ ଦଳଗତ ପୁରୁଷ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ ଥମାସ୍ କପ୍‌ରେ କ୍ରମାଗତ ୨ ଦିନରେ ନୂତନ ଇତିହାସ ରଚିଛନ୍ତି ଭାରତୀୟ ଦଳ। ଗୁରୁବାର ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ପହଞ୍ଚି ପ୍ରଥମଥର ପଦକ ନିଶ୍ଚିତ କରିବାର ଦିନକ ପରେ ଶକ୍ତିଶାଳୀ ଡେନ୍‌ମାର୍କକୁ ହରାଇ ଭାରତ ଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଥିଲା। ଏବେ ସ୍ବର୍ଣ୍ଣିମ ଇତିହାସଠାରୁ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ଦୂରରେ। ରବିବାର ୧୪ ଥର ଥମାସ୍ କପ୍‌ ଜିତିଥିବା ଇଣ୍ଡୋନେସିଆ ବିପକ୍ଷରେ ଭାରତ ଫାଇନାଲ ଖେଳିବ। ଗତଥରର ଚମ୍ପିଆନ୍ ଇଣ୍ଡୋନେସିଆ ଏଥର ଚମତ୍କାର ପ୍ରଦର୍ଶନ କରିଛି। ହେଲେ ମାଲେସିଅା ଓ ଡେନ୍‌ମାର୍କକୁ ହରାଇବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଶିଖରରେ। ଇଣ୍ଡୋନେସିଆକୁ ହରାଇ ବିଶ୍ବ ଚମ୍ପିଆନ୍ ହେବାର ସମସ୍ତ ଦକ୍ଷତା ଭାରତୀୟ ଦଳର ରହିଛି।

ଇଣ୍ଡୋନେସିଆ ଅଦ୍ୟାବଧି କୌଣସି ମ୍ୟାଚ୍‌ ହାରିନଥିବା ବେଳେ ଭାରତ ଲିଗ୍‌ ପର୍ଯ୍ୟାୟରେ ଚାଇନିଜ୍‌ ତାଇପେଠାରୁ ହାରିଛି। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଚୀନ୍ ଓ ଜାପାନକୁ ଇଣ୍ଡୋନେସିଆ ପରାସ୍ତ କରିଛି। ସିଙ୍ଗଲ୍‌ସରେ ଭାରତର କିଦାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟ ଚମତ୍କାର ପ୍ରଦର୍ଶନ କରି ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି। ଦୁହେଁ ସମସ୍ତ ୫ଟି ମ୍ୟାଚ୍‌ ଜିତିଛନ୍ତି। ବିଶ୍ବର ୮ନଂ ଡବଲ୍‌ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ-ଚିରାଗ ସେଟ୍ଟି ଭଲ ପ୍ରଦର୍ଶନ କରିଥିବା ବେଳେ ୨ୟ ଡବଲ୍‌ସ ଯୋଡ଼ି ଜି. କ୍ରିଷ୍ଣା ପ୍ରସାଦ ଓ ବିଷ୍ଣୁବର୍ଦ୍ଧନ ଗୌଡ଼ ପ୍ରାଞ୍ଜଳ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି। ତେଣୁ ଫାଇନାଲରେ ଏମାନଙ୍କ ସ୍ଥାନରେ ଏମ୍.ଆର୍. ଅର୍ଜୁନ ଓ ଧ୍ରୁପ କପିଳା ଖେଳିପାରନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅସୁସ୍ଥ ଥିବା ବିଶ୍ବର ୯ନଂ ସିଙ୍ଗଲ୍‌ସ ଖେଳାଳି ଲକ୍ଷ୍ୟ ସେନ୍‌ ଭଲ ଖେଳୁଥିଲେ ହେଁ ନିୟମିତତା ବଜାୟ ରଖି ପାରିନାହାନ୍ତି।

- Advertisement -

ସିଙ୍ଗଲ୍‌ସରେ ବିଶ୍ବର ୪ନଂ ଖେଳାଳି ଆଣ୍ଟୋନି ସିନିସୁକା ଜିନ୍‌ଟିଙ୍ଗ୍‌ଙ୍କ ମୁକାବିଲା କରିବେ ଲକ୍ଷ୍ୟ। ଅନ୍ୟ ସିଙ୍ଗଲ୍‌ସରେ ବିଶ୍ବର ୮ନଂ ଖେଳାଳି ଜୋନାଥନ୍ କ୍ରିଷ୍ଟିଙ୍କ ମୁକାବିଲା ଶ୍ରୀକାନ୍ତ କରିବେ। କ୍ରିଷ୍ଟି ଏବେ ଭଲ ଫର୍ମରେ ଅଛନ୍ତି। ଶ୍ରୀକାନ୍ତ ଓ କ୍ରିଷ୍ଟିଙ୍କ ମଧ୍ୟରେ ୯ ଥର ମୁକାବିଲା ହୋଇଥିବା ବେଳେ ଶ୍ରୀକାନ୍ତ ୪ ଥର ଜିତିଛନ୍ତି। ୩ୟ ସିଙ୍ଗଲ୍‌ସରେ ଭାରତର ପ୍ରଣୟ ବିଶ୍ବର ୨୪ନଂ ଖେଳାଳି ଶେସାର ହିରେନ୍‌ ରୁଷ୍ଟାଭିଟୋଙ୍କ ମୁକାବିଲା କରିବେ। ସିଙ୍ଗଲ୍‌ସରେ କଡ଼ା ମୁକାବିଲା ହେବାର ସମ୍ଭାବନା ଥିବା ବେଳେ ୨ଟି ଡବଲ୍‌ସ ମ୍ୟାଚ୍‌ ନିର୍ଣ୍ଣାୟକ ହେବ। ଭାରତ ଅପେକ୍ଷା ଇଣ୍ଡୋନେସିଆର ଉଭୟ ଡବଲ୍‌ସ ଯୋଡ଼ି ବେଶ୍‌ ଶକ୍ତିଶାଳୀ ଅଛନ୍ତି। ଏପରି କ୍ଷେତ୍ରରେ ଭାରତର ୨ୟ ଡବଲ୍‌ସ ଯୋଡ଼ିର ପ୍ରଦର୍ଶନ ନିର୍ଣ୍ଣାୟକ ହୋଇପାରେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories