www.samajalive.in
Friday, December 12, 2025
14.1 C
Bhubaneswar

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟମ୍ୟାଚ୍‌ ଆଜିଠାରୁ

ଆଡିଲେଡ୍‌ : ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହି ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୧ରେ ଜିତିଥିବା ବେଳେ ଟ୍ବେଣ୍ଟି୨୦ ସିରିଜ୍‌କୁ ଭାରତ ସମାନ ବ୍ୟବଧାନରେ ଜିତିଥିଲା। ଟେଷ୍ଟ ସିରିଜ୍‌ରେ ଉଭୟ ଦଳଙ୍କର ଅସଲ ଶକ୍ତିପରୀକ୍ଷା ହେବ। ଶେଷଥର ୨୦୧୮-୧୯ରେ ଉଭୟ ଦଳଙ୍କ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳା ଯାଇଥିବା ବେଳେ ଏସିଆର ପ୍ରଥମ ଦଳ ଭାବେ ବିରାଟ କୋହଲିଙ୍କ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ସିରିଜ୍ (୨-୧) ଜିତି ପାରିଥିଲା। ତେବେ ଉକ୍ତ ସିରିଜ୍‌ରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍‌ସମ୍ୟାନ ନଥିଲେ। ଏହି ସିରିଜ୍‌ରେ ମଧ୍ୟ ଡେଭିଡ୍‌ ୱାର୍ଣ୍ଣର ଆହତ ଥିବାରୁ ପ୍ରଥମ ଟେଷ୍ଟ ଖେଳିବେନାହିଁ। ପ୍ରତିଭାବାନ ଓପ୍‌ନର ୱିଲ୍ ପ୍ୟୁକୋୱସ୍କି ଆହତହୋଇ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଭାରତୀୟ ଦଳରେ ମଧ୍ୟ ଆହତଗତ ସମସ୍ୟା ରହିଛି। ରୋହିତ ଶର୍ମା ଆହତହୋଇ ପ୍ରଥମ ୨ଟି ଟେଷ୍ଟରୁ ବାଦ୍ ପଡ଼ିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ମଧ୍ୟ ଆହତ ଅଛନ୍ତି।
ଦିବାରାତ୍ର ଟେଷ୍ଟମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସଫଳତମ ଦଳ। ଏହାର ସଫଳତା ହାର ୧୦୦ ପ୍ରତିଶତ। ୨୦୧୫ରୁ ଅଦ୍ୟାବଧି ଅଷ୍ଟ୍ରେଲିଆ ୭ଟି ଦିବାରାତ୍ର ଟେଷ୍ଟ ଖେଳି ସମସ୍ତ ମ୍ୟାଚ୍‌ ଜିତିଛି। ଗତବର୍ଷ ବାଂଲାଦେଶ ବିପକ୍ଷରେ ଭାରତ ଏକମାତ୍ର ଦିବାରାତ୍ର ଟେଷ୍ଟମ୍ୟାଚ୍‌ ଖେଳି ଅଢ଼େଇ ଦିନରେ ଜିତି ନେଇଥିଲା। ତେଣୁ ଅଷ୍ଟ୍ରେଲିଆ ଅଭିଜ୍ଞତା ଦୃଷ୍ଟିରୁ ଆଗରେ ରହିବ। ଟେଷ୍ଟ କ୍ରିକେଟ୍‌ରେ ଭାରତ ଓ ଅ‌େ‌ଷ୍ଟ୍ରଲିଆ ଦୁଇ ଶକ୍ତିଶାଳୀ ଦଳ। ଅଷ୍ଟ୍ରେଲିଆ ବିଶ୍ବର ୧ନଂ ଦଳ ହୋଇଥିବା ବେଳେ ଭାରତ ୩ୟ ସ୍ଥାନରେ ରହିଛି। ଫ୍ଲଡ୍‌ଲାଇଟ୍‌ରେ ଗୋଲାପି ବଲ୍‌ର ମୁକାବିଲା ସହଜ ନୁହେଁ। ମ୍ୟାଚ୍‌ର ପ୍ରଥମ ଅଧିବେଶନ ବ୍ୟାଟିଂ ଲାଗି ସହାୟକ ହେବ। ତେବେ ସୂର୍ଯ୍ୟାସ୍ତ ସମୟରେ ବଲ୍‌ ସ୍ବିଙ୍ଗ୍‌ କରିବାର ନଜିର ରହିଛି। ଆଡିଲେଡ୍‌ର ପିଚ୍ ବ୍ୟାଟିଂ ସହାୟକ ହୋଇଥିଲେ ହେଁ ଏଠାରେ ଫାଷ୍ଟବୋଲରଙ୍କ ପତିଆରା ରହିବ। ଉଭୟ ଦଳରେ ବିଶ୍ବସ୍ତରୀୟ ଫାଷ୍ଟବୋଲର ଥିବାରୁ ମ୍ୟାଚ୍‌ର ଫଇସଲା ହେବା ନିଶ୍ଚିତ ବୋଲି କ୍ରିକେଟ୍‌ ବିଶେଷଜ୍ଞ କହିଛନ୍ତି। ଅଷ୍ଟ୍ରେଲିଆ ଦଳ​‌େ​‌ର ଜୋସ୍ ହାଜେଲ୍‌ଉଡ୍‌, ବିଶ୍ବର ୧ନଂ ଟେଷ୍ଟ ବୋଲର ପ୍ୟାଟ୍‌ କମିନ୍‌ସ ଓ ମିଚେଲ ଷ୍ଟାର୍କ ରହିଛନ୍ତି। ଭାରତୀୟ ଦଳରେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଭଳି ଫାଷ୍ଟବୋଲର ଅଛନ୍ତି। ୪ର୍ଥ ବୋଲର ଭାବେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ଙ୍କୁ ଏବଂ ଭାରତ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଖେଳାଇବ। ପୁଣି ବ୍ୟାଟିଂରେ ଉଭୟ ଦଳଙ୍କ ଶକ୍ତି ହେଲା ସେମାନଙ୍କ ମଜ୍‌ଭୁତ ମଧ୍ୟକ୍ରମ। ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ମଧ୍ୟକ୍ରମ ସମ୍ଭାଳିବେ। ଅଷ୍ଟ୍ରେଲିଆର ମଧ୍ୟକ୍ରମରେ ଅଛନ୍ତି ମାର୍ନସ ଲାବୁସେନ୍, ଷ୍ଟିଭେନ୍ ସ୍ମିଥ୍ ଓ ଟ୍ରାଭିସ୍ ହେଡ୍‌। ଭାରତୀୟ ବୋଲିଂ ସ୍ମିଥ୍‌ଙ୍କର ବହୁତ ପସନ୍ଦ। ଭାରତ ବିପକ୍ଷରେ ଗତ ୮ଟି ଟେଷ୍ଟରୁ ସ୍ମିଥ୍ ୭ଟି ଶତକ ମାରିଛନ୍ତି। ପୁଣି ଗତ ଦିନିକିଆ ସିରିଜ୍‌ରେ ସ୍ମିଥ୍‌ଙ୍କ ୨ଟି ଶତକ କଥା ବିଚାରକଲେ ସ୍ବୀକାର କରିବାକୁ ହେବ ଯେ ଏହି ବ୍ୟାଟ୍‌ସମ୍ୟାନ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି। ୧୪ଟି ଟେଷ୍ଟରେ ଲାବୁସେନ୍ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ସହ ୫୬.୫୨ ଆଭ୍‌ରେଜ୍‌ରେ ସ୍କୋର୍ କରିଛନ୍ତି। ଭାରତୀୟ ବ୍ୟାଟିଂରେ ଚେତେଶ୍ବର ପୂଜାରାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ତାଙ୍କ ଅଭିଜ୍ଞତାର ଫାଇଦା ଉଠାଇବାକୁ ପଡ଼ିବ। ଏହି ଟେଷ୍ଟମ୍ୟାଚ୍‌ ପରେ ପିତୃତ୍ବ ଛୁଟିନେଇ ବିରାଟ କୋହଲି ସ୍ବଦେଶ ଫେରିବାର ଥିବାରୁ ପ୍ରଥମ ମ୍ୟାଚ୍‌ରେ ଭାରତକୁ ଜିତାଇବାକୁ ଚାହଁିବେ। ଦକ୍ଷତା ଦୃଷ୍ଟିରୁ ଭାରତ ଓ ଅଷ୍ଟ୍ରେଲିଆ କେହି କାହାଠାରୁ କମ୍ ନୁହନ୍ତି। ତେବେ ଦିବାରାତ୍ର ଟେଷ୍ଟ ଖେଳିବାର ଅଭିଜ୍ଞତା ଓ ପରିଚିତ ବାତାବରଣ ଯୋଗୁଁ ଅଷ୍ଟ୍ରେଲିଆର ପଲ୍ଲା ଭାରିରହିବ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories