ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟହ ହାରାହାରି ୮୦ ହତ୍ୟାକାଣ୍ଡ ଓ ୭୭ ଧର୍ଷଣ ତଥା ବଳାତ୍କାର ଘଟଣା ଘଟୁଛି। ୨୦୨୦ର ଅପରାଧ ତଥ୍ୟକୁ ଭିତ୍ତିକରି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ଏଭଳି ରିପୋର୍ଟ ଦେଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ୨୦୨୦ରେ ୨୯ ହଜାର ୧୯୩ ହତ୍ୟାକାଣ୍ଡ ଘଟିଥିବାବେଳେ କେବଳ ସର୍ବାଧିକ ଅପରାଧ ପ୍ରବଣ ରାଜ୍ୟ ଉତ୍ତର ପ୍ରଦେଶରେ ୩୭୭୯ଟି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ଅପହରଣ ପରିମାଣ ୧୯ପ୍ରତିଶତ ହ୍ରାସ ପାଇଛି। ଉତ୍ତର ପ୍ରଦେଶ ପଛକୁ ରହିଛି ବିହାର।
ଏହି ରାଜ୍ୟରେ ୩୧୫୦ ହତ୍ୟାକାଣ୍ଡ ଘଟିଥିବାବେଳେ ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରରେ ୨୧୬୩ ହତ୍ୟା ଘଟଣା ଘଟିଛି। ସେହିପରି ମଧ୍ୟପ୍ରଦେଶରେ ୨୧୦୧, ପଶ୍ଚିମବଙ୍ଗରେ ୧୯୪୮ ଓ ଦିଲ୍ଲୀରେ ୪୭୨ ହତ୍ୟାକାଣ୍ଡ ଲିପିବନ୍ଧ ହୋଇଛି। ୨୦୧୯ ତୁଳନାରେ ହତ୍ୟା ଘଟଣା ଦେଶରେ ବୃଦ୍ଧି ପାଇଛି। ସେ ବର୍ଷ ୨୮ହଜାର ୯୧୫ ହତ୍ୟାକାଣ୍ଡ ଘଟିଥିଲା; ଯାହା କି ଦୈନିକ ହାରାହାରୀ ୭୯ ରହିଥିଲା। ଅପରପକ୍ଷରେ ୨୦୨୦ରେ ଦେଶରେ ମୋଟ ୨୮ହଜାର ୪୬ ଧର୍ଷଣ ଓ ବଳାତ୍କାର
ଘଟଣା ଘଟିଛି।
ଏହି ବର୍ଷ ମହିଳାଙ୍କ ବିରୋଧରେ ଘଟୁଥିବା ବିଭିନ୍ନ ହିଂସାର ପରିମାଣ ସାମଗ୍ରୀକ ଭାବେ ୩ଲକ୍ଷ ୭୧ହଜାର ୫୦୩ ରହିଛି। ପୂର୍ବ ଦୁଇ ବର୍ଷ ତୁଳନାରେ ଏହା ହ୍ରାସ ପାଇଛି। ୨୦୧୯ରେ ମୋଟ ୪ ଲକ୍ଷ ୫ହଜାର ୩୨୬ ଏଭଳି ଘଟଣା ଘଟିଥିବାବେଳେ ୨୦୧୮ରେ ୩ ଲକ୍ଷ ୭୮ହଜାର ୨୩୬ ଥିଲା। ଅପହରଣ ମାଲାର ହିସାବ ଦେଖିଲେ ପୂର୍ବ ବର୍ଷ ତୁଳନାରେ ଏହା ୧୯ ପ୍ରତିଶତ ହ୍ରାସ ପାଇଛି। ୨୦୧୯ରେ ୧ଲକ୍ଷ ୫ହଜାର ୩୬ ଅପହରଣ ଅଭିଯୋଗ ହୋଇଥିବାବେଳେ ୨୦୨୦ରେ ଏହା ୮୪ହଜାର ୮୦୫କୁ ହ୍ରାସ ପାଇଛି। ଉତ୍ତର ପ୍ରଦେଶରେ ଗତ ବର୍ଷ ସର୍ବାଧିକ ୧୨ହଜାର ୯୧୩ ଅପହରଣ ଅଭିଯୋଗ ହୋଇଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ; ଯେଉଁଠି ୯୩୦୯, ମହାରାଷ୍ଟ୍ରରେ ୮୧୦୩, ବିହାରରେ ୭୮୮୯ ଓ ମଧ୍ୟପ୍ରଦେଶରେ ୭୩୨୦ ଏବଂ ଦିଲ୍ଲୀରେ ୪୦୬୨ ଅପହରଣ ଅଭିଯୋଗ ଦାୟର ହୋଇଛି। ଅପହୃତଙ୍କ ମଧ୍ୟରେ ସର୍ବାଧିକ ପିଲା ରହିଥିବା ଓ ସେମାନଙ୍କ ସଂଖ୍ୟା୫୬ହଜାର ୫୯୧ ଥିବା ରିପୋର୍ଟରୁ ପ୍ରକାଶ।



