www.samajalive.in
Saturday, December 13, 2025
17.1 C
Bhubaneswar

ବିଶ୍ୱକପ୍‌ରୁ ଧାୱନ୍‌ ବାଦ୍; ପନ୍ତ୍ ଦଳରେ ସାମିଲ

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛନ୍ତି ଭାରତୀୟ ଓପନର୍‌ ଶିଖର ଧାୱନ୍‌। ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଧାୱନ୍‌ଙ୍କ ବାମହାତର ବୁଢ଼ା ଆଙ୍ଗୁଠିରେ ପାଟ୍‌ କମିନ୍‌ସଙ୍କ ଏକ ବାଉନ୍‌ସର ମାଡ଼ ହୋଇଥିଲା। ମ୍ୟାଚ୍ ପରେ ସ୍କାନିଂରୁ ଆଙ୍ଗୁଠିରେ ଫାଟ୍ (ଫ୍ରାକ୍ଚର) ହୋଇଥିବା ଜଣା ପଡ଼ିଥିଲା। ଧାୱନ ସ୍ୱଦେଶ ନ ଫେରି ଇଂଲଣ୍ଡରେ ରହିଥିଲେ। ତେବେ ଅତିରିକ୍ତ ଖେଳାଳି ଭା​ବେ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍‌ଙ୍କୁ ଇଂଲଣ୍ଡ ପଠା ଯାଇଥିଲା। ଶିଖର ଧାୱନ୍ ପୂରା ବିଶ୍ୱକପ୍‌ରୁ ବାଦ୍ ପଡ଼ିଛନ୍ତି ବୋଲି ବୁଧବାର ଘୋଷଣା ହେବା ପରେ ଋଷଭ ପନ୍ତ୍‌ଙ୍କୁ ତାଙ୍କ ସ୍ଥାନରେ ଭାରତୀୟ ଦଳର ସାମିଲ କରାଯାଇଛି।

ଧାୱନ୍‌ ଚମତ୍କାର ଫର୍ମରେ ଥିବାରୁ ତାଙ୍କୁ ବିଶ୍ୱକପ୍‌ ଦଳରୁ ବାଦ୍ ଦେବାକୁ ଦଳୀୟ ମ୍ୟାନେଜମେଣ୍ଟ ଇଚ୍ଛୁକ ନ ଥିଲା। ଧାୱନ୍‌ଙ୍କ ଉପରେ ଦଳର ଫିଜିଓ ନଜର ରଖିଥିଲେ। ତେବେ ଧାୱନ୍‌ଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଭଲ ହେବାକୁ ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିବା ପରେ ତାଙ୍କୁ ବିଶ୍ୱକପ୍‌ରୁ ବାଦ୍ ଦିଆ ଯାଇଥିବା ବିସିସିଆଇ ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ତାଙ୍କ ସ୍ଥାନରେ ପନ୍ତ୍‌ଙ୍କୁ ୧୫ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଛି ବୋଲି ଭାରତୀୟ ଦଳର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧାୱନ୍‌ ଶତକ ହାସଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ତେ​ବେ ସେ ଫିଲଡିଂ କରିବାକୁ ପଡ଼ିଆକୁ ଓହ୍ଲାଇନଥିଲେ। ମ୍ୟାଚ୍‌ ପରେ ସେ ଲିଡ୍‌ସ ଯାଇ ଚିକିତ୍ସକଙ୍କୁ ଦେଖା କରିଥିଲେ। ଧାୱନ୍‌ଙ୍କ ଆଙ୍ଗୁଠିରେ ଫ୍ରାକ୍ଚର ​ହୋଇଥିବା ଜଣା ପଡ଼ିଥିଲା। ତେବେ ଭାରତୀୟ ଦଳର ଫିଜିଓ ପାଟ୍ରିକ୍‌ ଫରହାତ୍ ନିଜ ରିପୋର୍ଟରେ ଧାୱନ୍‌ ୧୦-୧୨ ଦିନ ମଧ୍ୟ​ରେ ସୁସ୍ଥ ହୋଇଯିବେ ବୋଲି ଦର୍ଶାଇବା ପରେ ବିଶ୍ୱକପ୍‌ ନିମନ୍ତେ ଧାୱନ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ନାମ ଘୋଷଣା ନ କରି ବିସିସିଆଇ ଋଷଭ ପନ୍ତ୍‌ଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡ ପଠାଇଥିଲା।
ବୁଧବାର ଭାରତୀୟ ଦଳ ସାଉଥାମ୍ପଟନ୍‌ରେ ଅଭ୍ୟାସ କରିଥିବା ବେଳେ ଧାୱନ୍‌ ଉପସ୍ଥିତ ଥିଲେ। ତେବେ ତାଙ୍କ ବାମ ହାତରେ ପଟି ବନ୍ଧା ହୋଇଥିଲା। ଅଭ୍ୟାସ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ୍‌ କହିଥିଲେ ଧାୱନ୍‌ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଜୁଲାଇ ମଧ୍ୟଭାଗ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି ଡାକ୍ତର କହିବା ପରେ ତାଙ୍କୁ ବିଶ୍ୱକପ୍‌ରୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଛି।

- Advertisement -

ସୂଚନାଯୋଗ୍ୟ; ଆଇସିସି ଟୁର୍ଣ୍ଣାମେଣ୍ଟରେ ଶିଖର ଧାୱନ ଭାରତର ସଫଳତମ ବ୍ୟାଟ୍‌ସମ୍ୟାନ। ଧାୱନ୍‌ ୨୦୧୩ ଚମ୍ପିଆନ୍‌ସ ଟ୍ରଫି, ୨୦୧୪ ଏସିଆ କପ୍‌, ୨୦୧୫ ବିଶ୍ୱକପ୍‌, ୨୦୧୭ ଚମ୍ପିଆନ୍‌ସ ଟ୍ରଫି ଓ ୨୦୧୮ ଏସିଆ କପ୍‌ରେ ଦଳ ପକ୍ଷରୁ ସର୍ବାଧିକ ରନ୍‌ କରିଥିଲେ। ଗତ ବିଶ୍ୱକପ୍‌ରେ ୨ଟି ଶତକ ମାରିଥିବା ଧାୱନ ଦଳର ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିଲେ। ପନ୍ତ୍‌ ବର୍ତ୍ତମାନ ସୁଦ୍ଧା ଭାରତ ତରଫରୁ ୫ଟି ଦିନିକଆ ମ୍ୟାଚ୍‌ ଖେଳି ୯୩ ରନ୍‌ କରିଛନ୍ତି। ସେ ୯ଟି ଟେଷ୍ଟମ୍ୟାଚ୍‌ ଖେଳି ୨ଟି ଶତକ ୬୯୬ ରନ୍‌ କରିଛନ୍ତି। ଗତ ଆଇପିଏଲ୍‌ରେ ପନ୍ତ୍‌ ୧୬ଟି ମ୍ୟାଚ୍‌ ଖେଳି ୪୮୮ ରନ୍‌ କରିଛନ୍ତି। ଧାୱନ୍‌ଙ୍କ ଅନୁପସ୍ଥିତିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ କେଏଲ୍‌ ରାହୁଲ ବ୍ୟାଟିଂ ଓପନ୍‌ କରି ଅର୍ଦ୍ଧଶତକ ହାସଲ କରିଥିଲେ। ବିଜୟ ଶଙ୍କର ମଧ୍ୟକ୍ରମରେ ଖେଳିଥିଲେ। ପାକିସ୍ତାନ ବିପକ୍ଷରେ ଶଙ୍କର ଭଲ ବୋଲିଂ କରିଥିବାରୁ ସେ ସ୍ଥାନ ବଜାୟ ରଖିପାରନ୍ତି। ପନ୍ତ୍‌ଙ୍କୁ କେବେ ସୁଯୋଗ ମିଳୁଛି; ତାହା ଦେଖିବାକୁ ବାକି ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories