ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଏନଡିଏ-୨ ସରକାର ପୂର୍ଣ୍ଣ ବହୁମତ ସହିତ କ୍ଷମତାକୁ ଫେରିଛି। ତେବେ କ୍ଷମତାକୁ ଆସିବା ପରେ ନୂଆ ସରକାର ଆମେରିକା ସହିତ ଏକ ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି କରିବା ସମ୍ଭାବନା ରହିଛି। ଭାରତ ଆମେରିକାଠାରୁ ନୌସେନା ହେଲିକପ୍ଟର କିଣିବା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କାର ଡିଲ୍ କରିପାରେ ବୋଲି ନୌସେନାର ଆଧୁନିକୀକରଣ ସହ ସଂଶ୍ଳିଷ୍ଟ ଥିବା ୨ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।
ଚୁକ୍ତି ଅନୁଯାୟୀ, ଭାରତ ଆମେରିକାଠାରୁ ୨୪ଟି ଲକ୍ହିଦ ମାର୍ଟିନ ସିକର୍ସ୍କି ଏମଏଚ-୬୦ଆର ହେଲିକପ୍ଟର କିଣିପାରେ। ଏହାଦ୍ବାରା ନୌସେନାର ଶକ୍ତି ବୃଦ୍ଧି ପାଇବ। ଆମେରିକା ସରକାରଙ୍କ ବିଦେଶୀ ସୈନ୍ୟ ବିକ୍ରି କାର୍ଯ୍ୟକ୍ରମ ଅଧୀନରେ ଭାରତ ଏହି ଡିଲ୍ କରିବ।
ନୌସେନାରେ ଥିବା ସି କିଙ୍ଗ ୪୨/୪୨ଏ ହେଲିକପ୍ଟର ୨ ଦଶନ୍ଧି ହେବ କାର୍ଯ୍ୟ କରୁନାହିଁ। ତେଣୁ ନୌସେନାର ସଞ୍ଚାଳନ ପାଇଁ ଏସବୁ ହେଲିକପ୍ଟର ବଦଳରେ ଏମଏଚ-୬୦ଆର କିଣାଯିବ। ଅଧିକାରୀଦ୍ବୟ କହିଛନ୍ତି ଯେ, ଆଗାମୀ ଅକ୍ଟୋବର ସୁଦ୍ଧା ଆମେରିକା ସହିତ ଚୁକ୍ତି ସମ୍ପନ୍ନ ହେବ। ଏହାର ୧୮ ମାସ ପରେ ହେଲିକପ୍ଟର ଅଣାଯିବ। ୨୦୨୨ ସୁଦ୍ଧା ନୌସେନାରେ ଏହି ହେଲିକପ୍ଟର ଉପଲବ୍ଧ ହୋଇସାରିଥିବ।
ଏହି ହେଲିକପ୍ଟରର ୨ଟି ଇଞ୍ଜିନ ରହିବା ସହିତ ଏଥିରୁ ଏଜିଏମ-୧୧୪ ହେଲଫାୟାର କ୍ଷେପଣାସ୍ତ୍ର, ଆକାଶ ମାର୍ଗରୁ ବୁଡ଼ା ଜାହାଜକୁ ଧ୍ଵଂସ କରିବା ଲାଗି ଏମକେ ୫୪ ବିସ୍ଫୋରକ କ୍ଷେପଣାସ୍ତ୍ର ଭଳି ଯୁଦ୍ଧାସ୍ତ୍ର ନିକ୍ଷେପ କରାଯାଇପାରିବ।
ସେହିପରି ଫ୍ରାନ୍ସ ନିର୍ମିତ ଚେତକ ହେଲିକପ୍ଟର ବଦଳରେ ନୌସେନା ଷ୍ଟ୍ରାଟେଜିକ ପାର୍ଟନରଶିପ୍ ମଡେଲ ଅଧୀନରେ ୧୧୧ଟି ନାଭାଲ ୟୁଟିଲିଟି ହେଲିକପ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି। ଏହି ପ୍ରକଳ୍ପ ପାଇଁ ବିଦେଶୀ ସଂସ୍ଥାଗୁଡ଼ିକଠାରୁ ବୈଷୟିକ ସହାୟତା ଲାଗି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି।



