ନୂଆଦିଲ୍ଲୀ: ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ରାୟ ପରେ ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କୁ ଜେଲ୍ରୁ ମୁକ୍ତ କରି ଭାରତକୁ ହସ୍ତାନ୍ତର କରିବା ଲାଗି ଭାରତ ପାକିସ୍ତାନକୁ ଆହ୍ୱାନ ଦେଇଛି। ରାଜ୍ୟସଭାରେ ଏ ସଂକ୍ରାନ୍ତରେ ଏକ ବିବୃତ୍ତି ଦେଇ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟାଳୟଙ୍କ ରାୟ ଭାରତର ତଥ୍ୟକୁ କେବଳ ସତ୍ୟ ପ୍ରମାଣିତ କରି ନାହିଁ, ଯେଉଁମାନେ ଆଇନ ଓ ଆନ୍ତର୍ଜାତିକ ରାଜିନାମାରେ ବିଶ୍ୱାସ କରନ୍ତି, ସେମାନଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଦେଇଛି। ସେ କହିଛନ୍ତି, ଯାଦବ ସମ୍ପୂର୍ଣ୍ଣ ନିର୍ଦୋଷ ଓ ତାଙ୍କୁ କୌଣସି ଆଇନଗତ ସହାୟତା ଦିଆ ନ ଯାଇ ଜୋର୍ ଜବରଦସ୍ତ କରି ତାଙ୍କ ମୁହଁରୁ ଦୋଷ ସ୍ୱୀକାରୋକ୍ତି ନିଆଯାଇଥିଲା।
ଜୟଶଙ୍କର କହିଛନ୍ତି, କୂଟନୈତିକ ସମ୍ପର୍କ ସମ୍ବନ୍ଧୀୟ ଭିଏନା ରାଜିନାମାକୁ ପାକିସ୍ତାନ ଲଙ୍ଘନ କରିଥିବାର ଆନ୍ତର୍ଜାତିକ ନ୍ୟାୟାଳୟ ଦର୍ଶାଇଛନ୍ତି। ସେ କହିଛନ୍ତି, ବିନା ବିଳମ୍ବରେ ପାକିସ୍ତାନ ଯାଦବଙ୍କୁ ତାଙ୍କର ଅଧିକାର ପ୍ରଦାନ କରିବା ଓ ତାଙ୍କ ପାଖକୁ ଭାରତର କୂଟନୀତିଜ୍ଞମାନଙ୍କୁ ଯିବାକୁ ଦେବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ବାଧ୍ୟତାମୂଳକ କରିଛନ୍ତି। ବୈଦେଶିକ ମନ୍ତ୍ରୀ ତାଙ୍କର ବିବୃତ୍ତି ମଧ୍ୟ ଲୋକସଭାରେ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରକୁ ଦୁଇ ସଭାରେ ପାଠ କରି ଶୁଣାଇଥିଲେ।



