www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟମ୍ୟାଚ୍‌ ଆଜିଠାରୁ

କାନପୁର : ପ୍ରଥମ ଟେଷ୍ଟମ୍ୟାଚ୍‌ ରୋମାଞ୍ଚକର ଭାବେ ଅମୀମାଂସିତ ରହିବା ପରେ ଘରୋଇ ଭାରତ ଓ ବିଶ୍ବ ଚମ୍ପିଆନ୍ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଶୁକ୍ରବାରଠାରୁ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତର ନେତୃତ୍ବ ନେବାକୁ ବିରାଟ କୋହଲି ଫେରି ଥିବା ବେଳେ ଭାରତୀୟ ଟେଷ୍ଟ ଦଳର ଦୁଇ ମଜ୍‌ଭୁତ ଖୁଣ୍ଟ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଏହି ମ୍ୟାଚ୍‌ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ଲଢ଼ୁଆ ଗୁଣ ଭାରତୀୟ ଖେଳାଳିଙ୍କୁ ଚକିତ କରିଛି। ଘରୋଇ ବାତାବରଣରେ ଅତ୍ୟନ୍ତ ମାରାତ୍ମକ ଭାରତୀୟ ସ୍ପିନରଙ୍କ ବିପକ୍ଷରେ ଶେଷ ଦିନର ପିଚ୍‌ରେ ୯୦ ଓଭର ଖେଳି ନ୍ୟୁଜିଲାଣ୍ଡ ୮ଟି ୱିକେଟ ହରାଇବା ଏବଂ ଶେଷ ୱିକେଟ ଯୋଡ଼ି ୫୨ଟି ବଲ୍‌ ଖେଳି ଭାରତକୁ ବିଜୟରୁ ବଞ୍ଚିତ କରିବା ବହୁତ କ୍ବଚିତ ଦେଖାଯାଏ; ତାହା ପୁଣି ଭାରତୀୟ ପିଚ୍‌ରେ। ଫଳରେ ୪ ବର୍ଷ ପରେ ଭାରତ ମାଟିରେ ଏକ ଦଳ ଟେଷ୍ଟମ୍ୟାଚ୍‌ ଡ୍ର ରଖିପାରିଛି।
ମୁମ୍ବଇ ଟେଷ୍ଟମ୍ୟାଚ୍ ପୂର୍ବରୁ ଭାରତୀୟ ମଧ୍ୟକ୍ରମ, କୋହଲିଙ୍କ ସ୍ଥାନରେ କିଏ ଖେଳିବେ ଏବଂ ମୁମ୍ବଇର ପାଗ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ପରିସଂଖ୍ୟାନକୁ ଦେଖିଲେ ବିଶ୍ବର ୨ନଂ ଟେଷ୍ଟ ଦଳ ଭାରତର ୩ରୁ ୫ମ ସ୍ଥାନର ବ୍ୟାଟ୍‌ସମ୍ୟାନ ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ମିଳିତଭାବେ ଗତ ୮୨ଟି ଟେଷ୍ଟ ଇନିଂସରୁ ଗୋଟିଏ ଶତକ ମାରିଛନ୍ତି। ୨୦୨୦ ମେଲ୍‌ବୋର୍ଣ୍ଣ ଟେଷ୍ଟରେ ରାହାଣେ ଏକମାତ୍ର ଶତକ ମାରିଥିଲେ। ତିନିହେଁ ମିଳିତ ଭାବେ ୫୭ଟି ଟେଷ୍ଟ ଶତକ ମାରିଥିବା ବେଳେ ଉପରୋକ୍ତ ପରିସଂଖ୍ୟାନକୁ ଦେଖିଲେ ଏହା ବିପର୍ଯ୍ୟୟ ପରି ମନେହୁଏ। ଗତ ୪୦ଟି ଇନିଂସରେ ପୂଜାରା ଟେଷ୍ଟ ଶତକ ମାରିନାହାନ୍ତି। ୨ ବର୍ଷ ତଳେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପରେ ​କୋହଲି ଟେଷ୍ଟ ଶତକ ମାରିନାହାନ୍ତି। ତେଣୁ ଭାରତକୁ ୧ନଂ ଟେଷ୍ଟ ଦଳର ମାନ୍ୟତା ଦେଇଥିବା ମଧ୍ୟକ୍ରମରେ ଏବେ ଫାଟ। ତେଣୁ ମୁମ୍ବଇରେ ନୂଆ ଭାରତୀୟ ମଧ୍ୟକ୍ରମ ଦେଖିବାକୁ ମିଳିପାରେ। ବେକରେ ଆଘାତ ଲାଗିଥିବାରୁ ୱିକେଟ ରକ୍ଷକ ଋଦ୍ଧିମାନ ଶାହାଙ୍କୁ ବିଶ୍ରାମ ମିଳିପାରେ। ଫଳରେ କେ.ଏସ୍‌. ଭାରତ ଟେଷ୍ଟ ପଦାର୍ପଣ କରିବେ। କୋହଲିଙ୍କୁ ସ୍ଥାନଦେବା ପାଇଁ ଭାରତ ପାଖରେ ୨ଟି ବିକଳ୍ପ ରହିଛି। ମୟଙ୍କ ଅଗ୍ରୱାଲଙ୍କୁ ବାଦ୍‌ଦେଇ ଭାରତକୁ ଓପନ୍‌ କରାଇବା କିମ୍ବା ଚେତେଶ୍ବର ପୂଜାରାଙ୍କୁ ବାଦ୍‌ଦେଇ ମଧ୍ୟକ୍ରମରେ ଭାରତଙ୍କୁ ଖେଳାଇବା। କାରଣ କାନପୁର ଟେଷ୍ଟରେ ପଦାର୍ପଣ କରି ଶ୍ରେୟାସ ଆୟର ଶତକ ଓ ଅର୍ଦ୍ଧଶତକ ମାରିଛନ୍ତି। ପୁଣି କାନପୁରରେ ଅତ୍ୟନ୍ତ ପ୍ରଭାବହୀନ ବୋଲିଂ କରିଥିବା ଈଶାନ୍ତ ଶର୍ମାଙ୍କୁ ବାଦ୍‌ଦେଇ ଭାରତ ଏହି ମ୍ୟାଚ୍‌ରେ ମହମ୍ମଦ ସିରାଜ୍‌ଙ୍କୁ ଖେଳାଇପାରେ। ତେଣୁୁ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ ନିଶ୍ଚିତ। ନ୍ୟୁଜିଲାଣ୍ଡ ଅପରିବର୍ତ୍ତିତ ଏକାଦଶ ଖେଳାଇବାର ଯୋଜନା କରୁଥିଲେ ହେଁ ଏଜାଜ୍ ପଟେଲ କିମ୍ବା ୱିଲିୟମ୍‌ ସମରଭିଲ୍‌ଙ୍କ ସ୍ଥାନରେ ମିଚେଲ ସାଣ୍ଟ୍‌ନର ଖେଳିପାରନ୍ତି। କାନପୁର ଟେଷ୍ଟରେ କେନ୍ ୱିଲିୟମ୍‌ସନ ଓ ରସ୍‌ ଟେଲର ବଡ଼ ସ୍କୋର୍ କରିନଥିଲେ ହେଁ ଯୁବ ବ୍ୟାଟ୍‌ସମ୍ୟାନ୍ ଭଲ ବ୍ୟାଟିଂକରି ମ୍ୟାଚ୍‌କୁ ଅମୀମାଂସିତ ରଖିବା ଦଳକୁ ଉତ୍ସାହିତ କରିଛି। ମୁମ୍ବଇର ପିଚ୍‌ରେ କାନପୁର ଅପେକ୍ଷା ଅଧିକ ବାଉନ୍‌ସ ରହିବ। ତେବେ ପିଚ୍‌ରେ ଘାସ ନଥିବାରୁ ୩ୟ ଦିନ ପରଠାରୁ ଏଥିରେ ସ୍ପିନରଙ୍କୁ ସହାୟତା ମିଳିବ। ତେଣୁ ମ୍ୟାଚ୍‌ରେ ସ୍ପିନର ଏକ ନିର୍ଣ୍ଣାୟକ ଭୂମିକା ନେଇପାରେ। କାନପୁରରେ ବିଜୟ ହାତଛଡ଼ା କରିଥିବା ଭାରତୀୟ ସ୍ପିନର ଏପରି କରିବାକୁ ଆଉ ଚାହିଁବେ ନାହିଁ। ଅନ୍ୟପକ୍ଷରେ ଭାରତମାଟିରେ ଟେଷ୍ଟ ସିରିଜ୍‌ ଜିତିବା ପରି କୃତିତ୍ବ ହାସଲ କରିବାକୁ ନ୍ୟୁଜିଲାଣ୍ଡ ଚାହିଁବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories