ସେମିଫାଇନାଲ ଆଜି : ଫାଇନାଲ ଲକ୍ଷ୍ୟରେ ଭାରତ, ଜର୍ମାନୀ

ଭୁବନେଶ୍ବର  : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ ଦ୍ବାଦଶ ସଂସ୍କରଣର ଶୁକ୍ରବାର ଦୁଇଟି ସେମିଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ -ଆର୍ଜେଣ୍ଟିନାକୁ ଓ ଦ୍ବିତୀୟ ସେମିଫାଇନାଲରେ ଭାରତ- ଜର୍ମାନୀକୁ ଭେଟିବ। ୨୦୧୮ ଚମ୍ପିଆନ ଘରୋଇ ଭାରତ ଚଳିତ ବିଶ୍ବକପର ଅନ୍ୟତମ ଦୁଇ ସଫଳ ଦଳ ଭାବେ ଉଭା ହୋଇଛନ୍ତି। ଗ୍ରାହାମ ରିଡ୍‌ଙ୍କ ପ୍ରଶିକ୍ଷଣ ଓ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବାଧିନ ଭାରତ ଲିଗ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଫ୍ରାନ୍ସ ନିକଟରୁ ପରାଜିତ ହେବା ପ​‌େ​‌ର ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ଦ୍ବିତୀୟ ମ୍ୟାଚରେ କାନାଡା ଓ ତୃତୀୟ ମ୍ୟାଚରେ ପୋଲାଣ୍ଡକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା। କ୍ବାର୍ଟର ଫାଇନାଲରେ ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଜର୍ମାନୀ ବିପକ୍ଷ ସେମିଫାଇନାଲ ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ଫ୍ରାନ୍ସ ନିକଟରୁ ପରାଜୟ ଖେଳାଳିମାନଙ୍କ ମାନସିକ ଚିନ୍ତାଧାରାକୁ ବଦଳାଇ ଦେଇଛିି। କ୍ରମାଗତ ୩ଟି ମ୍ୟାଚ ଜିତିବା ପରେ ଏବେ ଖେଳାଳିମାନଙ୍କ ମନୋବଳ ବହୁତ ଉଚ୍ଚ ରହିଛି। ବେଲଜିୟମ ବିପକ୍ଷ ମ୍ୟାଚରେ ଦଳ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା। ଯାହା ସେମିଫାଇନାଲ ମ୍ୟାଚ ଲାଗି ଦଳର ପ୍ରଦର୍ଶନକୁ ଅଧିକ ଶାଣିତ କରିଛି। ବେଲଜିୟମ ବିପକ୍ଷ ପ୍ରଦର୍ଶନକୁ ଜର୍ମାନୀ ବିପକ୍ଷରେ ଆମକୁ ଦୋହରାଇବାକୁ ପଡ଼ିବ ବୋଲି ରିଡ୍‌ କହିଛନ୍ତି। ଅନ୍ୟପକ୍ଷରେ ୬ଥର ଚମ୍ପିଆନ ଜର୍ମାନୀ ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନ ଓ ଆର୍ଜେଣ୍ଟିନା ଓ ଇଜିପ୍ଟକୁ ପରାସ୍ତ କରି ପୁଲ ଶୀର୍ଷ ସ୍ଥାନ ହାସଲ କରିଥିଲା। ଅପରାଜୟ ରହିଥିବା ଜର୍ମାନୀ କ୍ବାର୍ଟର ଫାଇନାଲରେ ସ୍ପେନକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଜର୍ମାନୀ ମୁଖ୍ୟ ପ୍ରଶିକ୍ଷକ ଭାଲେଣ୍ଟିନ ଆଟେନବର୍ଗ କହିଛନ୍ତି ଯେ, ଘରୋଇ ପରିବେଶରେ ଭାରତ ବହୁତ ଶକ୍ତିଶାଳୀ ଦଳ। ଭାରତକୁ ପରାସ୍ତ କରିବା ନେଇ ଆମ ନିକଟରେ ଦକ୍ଷତା ରହିଛି। ମ୍ୟାଚକୁ ଆମେ ହାଲ୍‌କା ଭାବେ ନେଉନାହୁଁ। ପ୍ରଦର୍ଶନକୁ ବଜାୟ ରଖିବା ସହ ଶ୍ରେଷ୍ଠ ଖେଳ ଖେଳି ବିଜୟ ଏକମାତ୍ର ଲକ୍ଷ୍ୟ ବୋଲି ଜୋହାନସ କହିଛନ୍ତି।

kalyan agarbati

Comments are closed.