www.samajalive.in
Thursday, December 11, 2025
18.1 C
Bhubaneswar

ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି ; ଆହୁରି ବଢ଼ିପାରେ ତୈଳ ଦର

ଭୁବନେଶ୍ବର : ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ଗତ ୬ଦିନ ହେଲା ଭୁବନେଶ୍ବରରେ କ୍ରମାଗତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଇଛି। ଫଳରେ ଖାଉଟି ନୟାନ୍ତ ହେଲେଣି। ବିଶେଷଜ୍ଞଙ୍କ ମତ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଆଗକୁ ଆହୁରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ିପାରେ। ତୈଳ ଦର ବୃଦ୍ଧିକୁ ନେଇ ଶାସକ ବିଜେଡି ପକ୍ଷରୁ ପ୍ରତିବାଦ ଆରମ୍ଭ ହୋଇଛି। ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହ ରାଜରାସ୍ତାକୁ ଓହ୍ଲାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କରିବାର ଆବଶ୍ୟକତା ରହିଛି, ହେଲେ ଏଥିପ୍ରତି କେହି ଗୁରୁତ୍ବ ଦେଉ ନଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି ।
ସୋମବାର ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ବରରେ ପେଟ୍ରୋଲ ଉପରେ ୩୬ ପଇସା ଏବଂ ଡିଜେଲ ଉପରେ ୩୮ ପଇସା ଦର ବୃଦ୍ଧି ପାଇଛି। ଫଳସ୍ବରୂପ ରାଜଧାନୀରେ ପେଟ୍ରୋଲ ଲିଟର ଦାମ ୧୧୦.୬୮ ଏବଂ ଡିଜେଲ ଲିଟର ଦାମ ୧୦୭.୩୮ ଟଙ୍କାରେ ପହଞ୍ଚିଛି। ଉତ୍କଳ ପେଟ୍ରୋଲ ପମ୍ପ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ମହାମାରୀ ମୁକାବିଲା ପାଇଁ ୨୦୨୦ରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୯.୯୨ ଟଙ୍କା ଏବଂ ଡିଜେଲ ଉପରେ ୧୨.୯୭ ଟଙ୍କା ଅଧିକ ଶୁଳ୍କ ଧାର୍ଯ୍ୟ କରିଥିଲେ। ରାଜ୍ୟ ସରକାର ମଧ୍ୟ ସେହି ସମୟରେ ପେଟ୍ରୋଲ ଉପରେ ୨୬ରୁ ୩୨ ଓ ଡିଜେଲ ଉପରେ ୨୬ରୁ ୨୮ ପ୍ରତିଶତ ମୂଲ୍ୟଯୁକ୍ତ ଟିକସ (ଭାଟ) ଲାଗୁ କରିଥିଲେ। ଏବେ ରାଜ୍ୟ ସରକାରର ପେଟ୍ରୋଲ ଉପରେ ୨୫.୯୬ ଟଙ୍କା ଏବଂ ଡିଜେଲ ଉପରେ ୨୨.୯୮ ଟଙ୍କା ଭାଟ ନେଉଛନ୍ତି। କେନ୍ଦ୍ର ସରକାର ବର୍ଦ୍ଧିତ କରିଥିବା ଶୁଳ୍କ ଉପରୁ ୧୦ ଟଙ୍କା ହ୍ରାସ କଲେ ତୈଳ ଲିଟର ପିଛା ପ୍ରାୟ ୧୩ ଟଙ୍କା ପର୍ଯ୍ୟନ୍ତ କମିଯିବ। ରାଜ୍ୟ ସରକାର ନେଉଥିବା ଭାଟ ଅଂଶରୁ ପ୍ରାୟ ୩ ଟଙ୍କା ହ୍ରାସ ପାଇବ। ଏହାଦ୍ବାରା ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ତଳକୁ ଖସି ଆସିବ। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ ନ କଲେ ମଧ୍ୟ ରାଜ୍ୟ ସରକାର ତାଙ୍କ ଭାଟ୍ ଅଂଶକୁ କମାଇ ପାରିବେ। ଦେଶର କେତୋଟି ରାଜ୍ୟ ସରକାର ମଧ୍ୟ ଏପରି ଟିକସ ହ୍ରାସ କରିଛନ୍ତି ।
ଦୀପାବଳି ପୂର୍ବରୁ ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡିକ ପୁଣି ଗ୍ୟାସ ଦର ବୃଦ୍ଧି କରିଛନ୍ତି । ନଭେମ୍ବର ପହିଲାରୁ ହିଁ ଦର ବୃଦ୍ଧି ହୋଇଛି । ଦେଶରେ ବ୍ୟବସାୟିକ (୧୯କେଜି) ଗ୍ୟାସ ଟାଙ୍କି (ସିଲିଣ୍ଡର) ପିଛା ଏକକାଳୀନ ୨୬୬ଟଙ୍କା ବଢ଼ିଛି। ପୂର୍ବରୁ ଏମିତି ସିଲିଣ୍ଡର ପିଛା କେବେ ହେଲେ ଏତେ ଟଙ୍କା ବୃଦ୍ଧି ପାଇ ନଥିଲା। ଫଳସ୍ବରୂପ ଭୁବନେଶ୍ବରରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଉପରେ ୨୬୭.୫୦ଟଙ୍କା ବଢ଼ି ୨୧୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହି ଦର ୧୮୩୨.୫୦ ଟଙ୍କା ଥିଲା। ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ଭିନ୍ନ ରହିଛି ।  କାରଣ ପରିବହନ ଖର୍ଚ୍ଚକୁ ନେଇ ବିଭିନ୍ନ ସ୍ଥାନରେ ଦାମ ଭିନ୍ନ ରହିଥାଏ । ଏହି ବର୍ଦ୍ଧିତ ଦର ଆଜି ସକାଳୁ ଲାଗୁ ହୋଇଛି। ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories