ଆଠଗଡ ଏନଏସିରେ ୨କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ
ସ୍ୱାୟତ୍ତ ଶାସନ ଦିବସ
ଆଠଗଡ: ଆଠଗଡ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨କୋଟି ଟଙ୍କା ବ୍ୟୟରେ ଆଙ୍କୁଲାଠାରେ ନିର୍ମିତ ମଳ ଉପଚାର କେନ୍ଦ୍ର (ଏଫଏସଟିପି) ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏଥି ସହିତ ମୁକ୍ତା ଯୋଜନାରେ ପ୍ରାୟ ୧.୫୦କୋଟି ଟଙ୍କାର ୧୭ଗୋଟି ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏଥିପାଇଁ ଅପରାହ୍ନରେ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମଠାରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ସେ କିପରି ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସହର ବିକାଶ ଓ ସହରୀ ସଭ୍ୟତାର ଉନ୍ନତି ପାଇଁ ସଦା ଚେଷ୍ଟିତ ଥିଲେ ସେ ବିଷୟରେ ଆଲୋକପାତ କରିଥିଲେ। ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ ହୋଇ ସହରାଞ୍ଚଳ ବିକାଶ ପାଇଁ ବହୁ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିବା ସହିତ ନବୀନ ସରକାରଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଯୋଜନା ବିଶ୍ୱବ୍ୟାପୀ ଆଦୃତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଆହାର କେନ୍ଦ୍ର ମାଧ୍ୟମରେ ଗରିବଗୁରୁବାଙ୍କୁ ୫ଟଙ୍କାରେ ଖାଦ୍ୟ ବିତରଣ, ସହରାଞ୍ଚଳ ବାସୀଙ୍କ ପ୍ରତିଘରକୁ ପାନୀୟ ଜଳ ଯୋଗାଣ, ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ମୁକ୍ତା ଓ ଉନ୍ନତି ଯୋଜନା ପ୍ରଣୟନ, କୋଭିଡ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଭଳି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ଅବସରରେ ଏନଏସି ଅଞ୍ଚଳର ୬୪ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ସହିତ ୧୮ଟି ଯାକ ୱାର୍ଡରେ ମୌଳିକ ଭିତ୍ତିଭୂମି ବିକାଶ ଲାଗି ପ୍ରାୟ ୧.୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲାଗି ମହିଳା ଏସଏଚଜିଙ୍କୁ କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଏଥି ସହିତ ପୂର୍ବତନ ନଗରପାଳ ପର୍ଶୁରାମ ସାହୁ, ରମେଶଚନ୍ଦ୍ର ଘଢାଇ, ସୁବର୍ଣ୍ଣମଞ୍ଜରୀ ଭଞ୍ଜ ଓ ସୁଚିତ୍ରା ସାହୁଙ୍କ ସମେତ ବହୁ ପୂର୍ବତନ କାଉନସିଲରଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓ ନଗରପାଳ ଶ୍ରୀମତୀ ରାଉତ ସମ୍ବର୍ଦ୍ଧିତ କରିଥିଲେ । ବି. ଶୁଭ୍ରଶଙ୍କର ଜ୍ୟୋତି ଓ ବିଭିନ୍ନ ୱାର୍ଡର ପାରିଷଦ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା ଉଦ୍ବୋଧନ ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.