www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତର ଷ୍ଟେନଲେସ ଷ୍ଟିଲ ପାଇଁ ବିପଦ ସୃଷ୍ଟିକରିବ ଚୀନ ଓ ଇଣ୍ଡୋନେସିଆରୁ ଆମଦାନୀ: କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଲା ଆଇଏସଏସଡିଏ

ନୂଆଦିଲ୍ଲୀ: ଏବେ ଚୀନ ଓ ଇଣ୍ଡୋନେସିଆରୁ ବିପୁଳ ପରିମାଣର ଷ୍ଟେନଲେସ ଷ୍ଟିଲ ଆମଦାନୀକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଭାରତର ଘରୋଇ ଉତ୍ପାଦନକାରୀ। ଏହି ରାଷ୍ଟ୍ରଗୁଡିକରୁ ହେଉଥିବା ଆମଦାନୀ ଉପରୁ ଆଣ୍ଟି ଡମ୍ପିଙ୍ଗ ଡ୍ୟୁଟି ପ୍ରତ୍ୟାହାର କରିନିଆଯିବା ଦ୍ୱାରା ଉଭୟ ରାଷ୍ଟ୍ର ଭାରତରେ ବିପୁଳ ପରିମାଣରେ ଏହି ସାମଗ୍ରୀ ଗଦାକରିବେ ଏବଂ ଏହା ଭାରତର ଷ୍ଟେନଲେସ ଷ୍ଟିଲ ଶିଳ୍ପ ପାଇଁ ମୃତ୍ୟୁର ଘଣ୍ଟି ସଦୃଶ ହେବ। ଏଭଳି ଚିନ୍ତା ପ୍ରକଟ କରିଛି ଇଣ୍ଡିଆନ ଷ୍ଟେନଲେସ ଷ୍ଟିଲ୍‍ ଡେଭଲପମେଣ୍ଟ ଆସୋସିଏସନ୍‍ (ଆଇଏସଏସଡିଏ)। ଆସୋସିଏସନ୍‍ ପକ୍ଷରୁ କୁହାଯାଇଛି ଯେ ଦେଶରେ ଯେତିକି ଷ୍ଟେନଲେସ ଷ୍ଟିଲ ଉତ୍ପାଦିତ ହେଉଛି, ସେଥିମଧ୍ୟରୁ ଏକ ତୃତୀୟାଂଶ କେବଳ ଏମଏସ୍‍ଏମଇ ସ୍ତରରେ ଉତ୍ତପାଦନ କରାଯାଉଛି। ଅନ୍ୟପକ୍ଷରେ ସମୁଦାୟ ବିଶ୍ୱରେ ହେଉଥିବା ଷ୍ଟେନଲେସ ଷ୍ଟିଲ୍‍ ଉତ୍ପାଦନର ୫୦% ଚୀନରେ ଉତ୍ପାଦିତ ହେଉଛି। ଇଣ୍ଡୋନେସିଆ ମଧ୍ୟ ତାହାର ଚାହିଦା ତୁଳନାରେ ବହୁ ଅଧିକ ଗୁଣ ଉତ୍ପାଦନ କରୁଛି। ଏହିସବୁ ରାଷ୍ଟ୍ରରୁ ଷ୍ଟେନଲେସ ଷ୍ଟିଲ ଆମଦାନୀ ଉପରେ ଆଣ୍ଟି ଡମ୍ପିଙ୍ଗ ଡ୍ୟୁଟି ପ୍ରତ୍ୟାହାର କରିନିଆଗଲେ ଭାରତୀୟ ଶିଳ୍ପରେ ତାଲା ଝୁଲିବ ଏବଂ ଏଥିରେ ନିଯୁକ୍ତ ଲକ୍ଷାଧିକ ଲୋକ ବେକାର ହୋଇଯିବେ।
ଆଇଏସଏସଡିଏ କହିଛି, ୨୦୨୦ କ୍ୟାଲେଣ୍ଡର ବର୍ଷରେ ଭାରତରେ ଷ୍ଟେନଲେସ ଷ୍ଟିଲ ମେଲ୍‍ଟ ଉତ୍ପାଦନ ୩.୧୭ ନିୟୁତ ଟନ୍‍ ହୋଇଥିଲା, ଯାହା ୨୦୧୯ ବର୍ଷରେ ହୋଇଥିବା ଉତ୍ପାଦନ ୩.୯୩ ନିୟୁତ ଟନ୍‍ ତୁଳନାରେ ୧୯% କମ୍‍ ରହିଥିଲା। ୨୦୨୦ ଏପ୍ରିଲ-ଜୁନ ମାସରେ ମହାମାରୀ ଜନିତ ଲକ୍‍ଡାଉନ ଯୋଗୁଁ ଦେଶରେ ଏହି ତିନିମାସରେ ଉତ୍ପାଦନ ବନ୍ଦ ରହିବା ସତ୍ୱେ ଭାରତ ବିଶ୍ୱସ୍ତରରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସର୍ବବୃହତ ସ୍ଥାନ ବଜାୟ ରଖିଛି। ସରକାର ଲକ୍‍ଡାଉନ କୋହଳ କରିବା ଆରମ୍ଭ କରିବାପରେ ୨୦୨୦ ଜୁଲାଇ ପରବର୍ତ୍ତୀ ସମୟରେ ଭାରତରେ ଉତ୍ପାଦନ ଓ ଚାହିଦାରେ ଭି-ଆକୃତିର ପୁନରୁଦ୍ଧାର ପରିଲକ୍ଷିତ ହୋଇଥିଲା।
ବିଶ୍ୱସ୍ତରରେ ଷ୍ଟେନଲେସ ଷ୍ଟିଲ ମେଲ୍‍ଟ ଉତ୍ପାଦନ ପରିମାଣ ୨୦୧୯ ବର୍ଷ ତୁଳନାରେ ୨୦୨୦ କ୍ୟାଲେଣ୍ଡର ବର୍ଷରେ ୨.୫% ହ୍ରାସପାଇ ୫୦.୯ ନିୟୁତ ଟନ୍‍ ହୋଇଥିବା ବ୍ରସେଲ୍‍ସସ୍ଥିତ ଇଣ୍ଟରନ୍ୟାସନାଲ ଷ୍ଟେନଲେସ ଷ୍ଟିଲ ଫୋରମ୍‍ (ଆଇଏସଏସଏଫ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାଯାଇଛି। ଏ କ୍ଷେତ୍ରରେ ଚୀନ ଅଗ୍ରଣୀ ଉତ୍ପାଦନକାରୀ ଭାବେ ରହିବା ସହିତ ବିଶ୍ୱସ୍ତରରେ ହେଉଥିବା ଷ୍ଟେନଲେସ ଷ୍ଟିଲ ଉତ୍ପାଦନର ୫୦%ରୁ ଅଧିକ ଉତ୍ପାଦନ କରୁଛି ଏବଂ ଏହାର ବାର୍ଷିକ ଉତ୍ପାଦନ ପ୍ରାୟ ୩୦ ନିୟୁତ ଟନ, ଯାହା ଏକମାତ୍ର ରାଷ୍ଟ୍ର ଭାବରେ ୨୦୧୯ ତୁଳନାରେ ୨୦୨୦ ବର୍ଷରେ ୨.୫% ଅଧିକ ଉତ୍ପାଦନ କରିଛି। ଅନ୍ୟପକ୍ଷରେ ୟୁରୋପ, ଆମେରିକା, ଏସିଆ ସମେତ ଅନ୍ୟ ସମସ୍ତ ଅଞ୍ଚଳରେ ୨୦୨୦ କ୍ୟାଲେଣ୍ଡର ବର୍ଷରେ କରୋନା ମହାମାରୀ ପ୍ରଭାବରେ ଉତ୍ପାଦନ ହ୍ରାସ ଘଟିଛି।
ଏ ସମ୍ପର୍କରେ ପ୍ରକାଶକରି ଆଇଏସଏସଡିଏର ସଭାପତି କେ କେ ପାହୁଜା କହିଛନ୍ତି, ଷ୍ଟେନଲେସ ଷ୍ଟିଲ ଶିଳ୍ପ ପକ୍ଷରୁ ପୁନରୁଦ୍ଧାର ପ୍ରୟାସ ସହିତ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନମୂଳକ ପ୍ୟାକେଜ ପ୍ରଚଳନ, ୨୦୨୦ ଜୁଲାଇ ପରବର୍ତ୍ତୀ ସମୟରେ ଏହି ଶିଳ୍ପରେ କ୍ରମଶଃ ସୁଧାର ଆଣିବାରେ ସହାୟକ ହୋଇଥିଲା। ଅର୍ଥନୀତିର ଅଭିବୃଦ୍ଧି କ୍ରମଶଃ ଆଗକୁ ବଢୁଥିବାବେଳେ ସରକାର କ୍ଷେତ୍ର ଭିତ୍ତିକ ସମସ୍ୟାଗୁଡିକ ପ୍ରତି ଦୃଷ୍ଟିଦେଇ ପୁନଃ ନୀତିଗତ ପ୍ରୋତ୍ସାହନ ଯୋଗାଇଦେବାର ଆବଶ୍ୟକତା ରହିଛି। ଇଣ୍ଡୋନେସିଆ ଏବଂ ଚୀନରୁ ଆମଦାନୀ ଉପରୁ ଆଣ୍ଟି ଡମ୍ପିଙ୍ଗ ଡ୍ୟୁଟି ପ୍ରତ୍ୟାହାର କରିନିଆଯିବା ଦ୍ୱାରା ଏହା ହୁଏତ ଚଳିତ ବର୍ଷ ଏହି କ୍ଷେତ୍ରର ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ଏବଂ ପୁନର୍ବାର ଷ୍ଟେନଲେସ ଷ୍ଟିଲ ବିପୁଳ ପରିମାଣରେ ଗଦା ହେବାର ଆଶଙ୍କା ସୃଷ୍ଟି ହୋଇପାରେ।
ଭାରତୀୟ ଷ୍ଟେନଲେସ ଷ୍ଟିଲ ଶିଳ୍ପର ଜରୁରୀକାଳୀନ ଭିତ୍ତିରେ ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ଦେବା ଏବଂ ଦେଶରେ ଅବାଂଛିତ ଆମଦାନୀ ବନ୍ଦ କରିବା ଦିଗରେ ବହୁଧା ପଦକ୍ଷେପ ନେବାକୁ ଆଇଏସଏସଡିଏ ସରକାରଙ୍କୁ ନିବେଦନ କରିଛି। ଆଇଏସଏସଡିଏ ଆଶା ପ୍ରକାଶ କରିଛି ଯେ ମହାମାରୀ ଦ୍ୱାରା ସୃଷ୍ଟ ବ୍ୟାଘାତ ପରିସ୍ଥିତି ସହିତ ଘରୋଇ ଶିଳ୍ପ ଯୁଝୁଥିବାବେଳେ ଷ୍ଟେନଲେସ ଷ୍ଟିଲ ଆମଦାନୀ ଏକ ବିଭୀଷିକା ପରିସ୍ଥିତି ସୃଷ୍ଟି କରିବ। ଭାରତ ଏକ ବିଶାଳ ଏବଂ ଲୋଭନୀୟ ବଜାର ଏବଂ ଶୁଳ୍କକୁ ସ୍ଥଗିତ ରଖାଯିବା ଦ୍ୱାରା ଚୀନ ଓ ଇଣ୍ଡୋନେସିଆ ବିପୁଳ ପରିମାଣରେ ଷ୍ଟେନଲେସ ଷ୍ଟିଲ ସାମଗ୍ରୀ ଭାରତରେ ଠୁଳ କରିବା ଆଶା କରାଯାଉଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories