ବୌଦ୍ଧ : ବୌଦ୍ଧ କୋଭିଡ ହସପିଟାଲ ଠାରେ ଆଇସିୟୁ ୟୁନିଟକୁ ବିଧାୟକ ପ୍ରଦିପ କୁମାର ଅମାତ ଲୋକାର୍ପିତ କରିଛନ୍ତି। ଗତକାଲି ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ନିରାଡମ୍ବର ଉତ୍ସବରେ କୋଭିଡ ହସପିଟାଲ ମଧ୍ୟରେ ଏହି ଜରୂରୀ ବିଭାଗକୁ ଉଦଘାଟନ କରିବା ସହିତ ବିଧାୟକ ଶ୍ରୀଅମାତ ଏହା ଦ୍ୱାରା ଜିଲାବାସୀ ଜରୂରୀ ଚିକିତ୍ସା ପାଇଁ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ।
ଏହି ଆଇସିୟୁ ୟୁନିଟରେ ୬ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ସହ ସମସ୍ତ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଣିକି ଆଉ କୋଭିଡ ୧୯ ର ଜରୂରୀ ଚିକିତ୍ସା ପାଇଁ ଭୁବନେଶ୍ୱର ରୋଗୀଙ୍କୁ ନପଠାଇ ଏଠାରେ ସମସ୍ତ ଚିକିତ୍ସା ସେବା ଯୋଗାଇଦିଆଯିବ। ଆଇସିୟୁ ସୁବିଧା ନଥିବା ପୋଡଶୀ ଜିଲାଗୁଡିକ ମଧ୍ୟ ବୌଦ୍ଧରେ ଏହି ସୁବିଧା ପାଇପାରିବେ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଉଦଘାଟନୀ ଉତ୍ସବ ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଉପଜିଲାପାଳ ଅଶ୍ୱନୀ କୁମାର ମେହେର,ଜିଲା ମୁଖ୍ୟଚିକିତ୍ସାଅଧିକାରୀ ଡ. ତ୍ରିଲୋଚନ ପ୍ରଧାନ,ପ୍ରୋଗାମ ମେନେଜର ରୂପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



