ସମ୍ବଲପୁର : ଭୁବନେଶ୍ୱର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ସମ୍ବଲପୁରର ଅଇଁଠାପାଲି ଛକରେ ଜାତୀୟ ରାଜପଥ ୫୩ ରେ ଅବୈଧ ଭାବରେ ବିପୁଳ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର କୋଲକତା ଜୋନାଲ ୟୁନିଟ ପକ୍ଷରୁ ଜାରି ସୂଚନାନୁଯାୟୀ, ଆନ୍ଧ୍ର ପ୍ରଦେଶର ବିଜୟନଗରମର ସାଲୁର ଅଞ୍ଚଳରୁ ଏକ ଟାଟା ତେଲ ଟ୍ୟାଙ୍କର ଜରିଆରେ ବିପୁଳ ଗଞ୍ଜେଇ ରାଉରକେଲାକୁ ଚାଲାଣ ହେଉଥିବାର ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା। ଏଥି ପାଇଁ ପଶ୍ଚିମବଙ୍ଗ ରାଜ୍ୟର ମାହେସ୍ତାଲା ଥାନା ଅର୍ନ୍ତଗତ ନିବାସୀ ଗାଡି ଚାଳକ ରାମ ସାଗର ସିଂହ (୬୦) ଓ ସହାୟକ ଚାଳକ ସନ୍ତୋଷ ରାୟ (୨୮) ଏକ ତେଲ ଟ୍ୟାଙ୍କର ନେଇ ଆନ୍ଧ୍ରପ୍ରଦେଶର ସାଲୁର ଅଞ୍ଚଳକୁ ଯାଇଥିବାର ଖବର ମିଳିଥିଲା । ଏଣୁ ଏନସିବିର ଭୁବନେଶ୍ୱର ୟୁନିଟ ପକ୍ଷରୁ ଲଗାତାର ଟ୍ୟାଙ୍କରକୁ ପିଛା କରାଯିବା ସହିତ ଚାଲାଣକାରୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇ ରବିବାର ସନ୍ଧ୍ୟା ସମୟରେ ଅଇଁଠାପାଲି ଛକ ଠାରେ ଟ୍ୟାଙ୍କରକୁ ଧରିଥିଲା । ଧରାପଡିଥିବା ଟ୍ୟାଙ୍କରରୁ ୮୫୦ କିଗ୍ରା ଗଞ୍ଜେଇ ଜବତ ହୋଇଛି ବୋଲି ଏନସିବି ସୂଚନା ଦେଇଛି । ଏ ସର୍ମ୍ପକରେ ଏକ ମାମଲା ରୁଜୁ କରାଯାଇ ସମ୍ବଲପୁର ଜିଲା ଅଦାଲତଙ୍କ ସମ୍ମୁଖରେ ଅଭିଯୁକ୍ତ ମାନଙ୍କୁ ହାଜର କରାଇଛି ।

ସେହିଭଳି ଅନ୍ୟ ଏକ ମାମଲାରେ ୧୩ ଶହ ୪୪ କିଗ୍ରା ୧୦୦ ଗ୍ରାମ ଗଞ୍ଜେଇ ଏକ ଅଶୋକ ଲେଲାଣ୍ଡ କଣ୍ଟେନର ଜରିଆରେ ଚାଲାଣ ହେଉଥିବା ବେଳେ ହାୱଡା ନିକଟ ବୈଗାଛି ଅଞ୍ଚଳରେ ଗତ ୨୮ ତାରିଖ ରାତ୍ରିରେ ଏନସିବି ଧରିଛି । ଏ ସର୍ମ୍ପକରେ ହରିୟାଣାର ନୁହ ଜିଲାର ରସିଦ ଅଲ୍ଲୀ (୨୪) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଧରାପଡିଥିବା ଗଞ୍ଜେଇ ଓଡିଶାର ବ୍ରହ୍ମପୁରରୁ ହରିୟାଣାର ମେବାତ (ନୁହ) କୁ ଯାଉଥିଲା ବୋଲି ଏନସିବି ସୂଚନା ଦେଇଛି । ଏହା ଦ୍ୱାରା ସାରା ଦେଶରେ ଚୋରାରେ ଚାଲାଣ କରୁଥିବା ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ମାନଙ୍କ ଉପରେ ଅଙ୍କୁଶ ଲଗାଯାଇ ପାରିବ ବୋଲି ଏନସିବି ଆଶା ପ୍ରକାଶ କରିଛି । ଜବତ ହୋଇଥିବା ନିଶା ଦ୍ରବ୍ୟ ଗୁଡିକ ପାଇଁ ନିୟମାନୁଯାୟୀ ୨୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଓ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ରହିଛି ବୋଲି ଏନସିବି ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।



