ଏବେ ଆଉ ଯିବାକୁ ପଡ଼ିବନି ପାର୍ଲର, ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ୍
ପ୍ରାୟ ସବୁ ନାରୀ ଚାହାନ୍ତି ଏକ ସୁନ୍ଦର ତ୍ବଚା। ଏହି ସୁନ୍ଦରତା ହାସଲ କରିବା ପାଇଁ ସେମାନେ ଅନେକ ଉପାୟ ଅବଲମ୍ବନ କରିଥାଆନ୍ତି। କିଛି ମହିଳା ଏଥିପାଇଁ ବାରମ୍ବାର ପାର୍ଲର ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଘରୋଇ ଉପାୟରେ ମଧ୍ୟ ଆପଣ ପାର୍ଲର୍ ଭଳି ଉପଚାର ପାଇପାରିବେ। ଘରୋଇ ଉପାୟରେ ଫେସିଆଲ ପ୍ରସ୍ତୁତ କରି ତ୍ବଚାରେ ଲଗାଇ ଏକ ଉଜ୍ବଳ ଏବଂ ସୁନ୍ଦର ତ୍ବଚା ପାଇବାର ଆଶା ପୂର୍ଣ୍ଣ କରିପାରିବେ। ଏହାଦ୍ବାରା ପାର୍ଲର ଯିବା କିମ୍ବା ବଜାରରେ ମିଳୁଥିବା ଅନ୍ୟାନ୍ୟ ପ୍ରସାଧନ ସାମଗ୍ରୀ କିଣିବାରେ ହେଉଥିବା ଖର୍ଚ୍ଚ ମଧ୍ୟ କମିଯିବ। ଏହାବ୍ୟତୀତ ଏକ ବିଶେଷ କଥା ହେଉଛି ଏହାଦ୍ବାରା ପାର୍ଶ୍ବପ୍ରତିକ୍ରିୟା ହେବାର କୌଣସି ଭୟ ମଧ୍ୟ ନଥାଏ। ତେବେ ଚାଲନ୍ତୁ ଜାଣିବା ଘରୋଇ ଉପାୟରେ କିଭଳି ପ୍ରସ୍ତୁତ କରିବେ ଫେସିଆଲ୍ –
-୨-୩ଟି ଗାଜରକୁ ସିଝାଇ ଚକଟି ଦିଅନ୍ତୁ। ଏହାପରେ ସେଥିରେ କିଛି ମହୁ ମିଶାନ୍ତୁ। ଏହାର ଏକ ଭଲ ମିଶ୍ରଣ ପ୍ରସ୍ତୁତ କରି ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ ଏବଂ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚାର ରଙ୍ଗ ସଫା ହୋଇଥାଏ।
-ଗୋଟିଏ ଚାମଚ ବେସନ,ଏକ ଚାମଚ ମହୁ ଏବଂ ଗୋଟିଏ ଚାମଚ ପେଷ୍ଟ ହୋଇଥିବା ଅମୃତଭଣ୍ଡାକୁ ଭଲ ଭାବେ ମିଶାନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ ପାଇଁ ରଖି ଦିଅନ୍ତୁ ଏବଂ ପରେ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ତ୍ବଚାର ଚମକ ବୃଦ୍ଧିପାଇଥାଏ।
-ମହୁକୁ ଏକ ବହୁତ ଭଲ ଫେସିଆଲ ମାସ୍କ ବୋଲି କୁହାଯାଏ। ଏକ ସଫା କପଡ଼ାକୁ ହାଲୁକା ଗରମ ପାଣିରେ ବୁଡ଼ାଇ ଚେହେରାରେ ରଖନ୍ତୁ। ସାମାନ୍ୟ ଥଣ୍ଡା ହୋଇଯିବା ପରେ ଏହାକୁ କାଢି ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ମୃତ କୋଷିକାଗୁଡ଼ିକ ସହଜରେ ବାହାରିଯିବା ସହ ତ୍ବଚା ସତେଜ ହୋଇଯିବ। ଏହାପରେ ତ୍ବଚାରେ ମହୁ ଲଗାନ୍ତୁ। ୧୫ ରୁ ୩୦ ମିନିଟ ରଖିବା ପରେ ଚେହେରା ଧୋଇ ଦିଅନ୍ତୁ। ଏହି ପ୍ୟାକକୁ ସପ୍ତାହରେ ଗୋଟିଏ ଦିନ ଲଗାଇବା ଖୁବ ଲାଭଦାୟକ।
-ଦହିରେ କିଛି କମଳା ରସକୁ ଭଲଭାବେ ମିଶାଇ ଦିଅନ୍ତୁ।ଏବେ ଆଙ୍ଗୁଳି ସାହାଯ୍ୟରେ ତାହାକୁ ଚେହେରାରେ ଲଗାନ୍ତୁ। ପାଞ୍ଚ ମିନିଟ ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ। ଦହି ଦ୍ବାରା ଆପଣଙ୍କ ତ୍ବଚାର ଚମକ ବଢିବ। ସେହିଭଳି କମଳାରେ ଥିବା ଭିଟାମିନ-ସି ମଧ୍ୟ ତ୍ବଚା ପାଇଁ ଖୁବ ଲାଭଦାୟକ ସାବ୍ୟସ୍ତ ହେବ।