Patra electronics

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସହିତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ

ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ସମୀକ୍ଷା କରିଛନ୍ତି। ଖାରବେଳ ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ବୋର୍ଡର ବର୍ତ୍ତମାନର ସ୍ଥିତି, ଆଗାମୀ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ରାଜ୍ୟର ୨୧ଟି ଜିଲ୍ଲାରେ ବୋର୍ଡର ଉପସ୍ଥିତି ଥିବାବେଳେ ରାଉରକେଲା ଓ ଭୁବନେଶ୍ୱର ଆଦି ସ୍ଥାନରେ ବହୁଳ ଭାବେ କାର୍ଯ୍ୟ ଜାରି ରହିଛି। ବୋର୍ଡ ତରଫରୁ ବର୍ତ୍ତମାନ ସୁଦ୍ଧା ୩୨,୩୪୩ଟି ବାସଗୃହ ଓ ପ୍ଲଟ ବିକଶିତ କରାଯାଇଥିବା ଜଣାଯାଇଛି।

ଭୁବନେଶ୍ୱରର ପଟିଆ, କାନନବିହାର, ଚନ୍ଦ୍ରଶେଖର, ଭିଏସଏସନଗର, ସତ୍ୟନଗର, ଲୁଇସରୋଡ, ଭିମଟାଙ୍ଗୀ, ବରମୁଣ୍ଡା, ମୈତ୍ରୀବିହାର ଓ ଶୈଳଶ୍ରୀବିହାର ଆଦିରେ ପ୍ରାୟ ୨୦ହଜାର ବାସଗୃହ ନିର୍ମାଣ କରାଯାଇଛି। ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଏବେ ଋଣ ମୁକ୍ତ ସଂସ୍ଥା ହୋଇପାରିଛି। ବର୍ତ୍ତମାନ ବୋର୍ଡ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ଖାରବେଳ ଏନକ୍ଲେଭ, ସୁବାସ ଏନକ୍ଲେଭ, ଅନୁଗୁଳରେ ଅନୁଗୁଳ ଏନକ୍ଲେଭର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ଠାରେ ପ୍ଲଟିଂ ସ୍କିମ୍‍ କାର୍ଯ୍ୟକାରୀ କରାଯାଉଛି।

ଆଗାମୀ ଦିନରେ ରାଜ୍ୟର ସହରାଞ୍ଚଳରେ ସମସ୍ତ ପାଇଁ ଘର ଯୋଜନାରେ ୫୦,୦୦୦ ପ୍ଲଟ ଓ ଘର ଯୋଗାଇଦେବାର ଲକ୍ଷ୍ୟ ରହିଛି । ରାଜ୍ୟର ସମସ୍ତ ଜିଲ୍ଲା ସହାଞ୍ଚଳରେ ପ୍ରାୟ ଏକ ହଜାର ଘର ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତ୍‍ସିଂହପୁର, କଟକ ଆଦି ଜିଲ୍ଲାରେ ପ୍ରାୟ ୫୨୦ ଏକର ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବୋର୍ଡର ପ୍ରକଳ୍ପ ଅଞ୍ଚଳରେ ଜବରଦଖଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ତାହାକୁ ତୁରନ୍ତ ମୁକୁଳାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବୋର୍ଡର ଏମଡି ସାଗରିକା ପଟ୍ଟନାୟକ, ସଚିବ ରଶ୍ମିତାରାଣୀ ତରାସିଆ, ମୁଖ୍ୟଯନ୍ତ୍ରୀ ଏଲ ପି ମହାପାତ୍ର ଏବଂ ଅର୍ଥ ପରମର୍ଶଦାତା ମିନତି ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.