ବୁଧବାର ୨୪ଘଣ୍ଟିଆ ଭାରତ ବନ୍ଦ: ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଲା ଗୃହ ବିଭାଗ
ଭୁବନେଶ୍ବର: ଆଜି ଗୃହ ବିଭାଗ ପକ୍ଷରୁ ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି(ବୁଧବାର) ସମସ୍ତ ବିଭାଗୀୟ ସଚିବମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ସମେତ ବିଭାଗୀୟ ମୁଖ୍ୟ ଦପ୍ତର ଗୁଡ଼ିକରେ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି। ଏହାସହିତ ବିଭାଗୀୟ ମୁଖ୍ୟ ଦପ୍ତରଗୁଡ଼ିକର ସଚିବମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗୃହ ବିଭାଗ ଅବଗତ କରିଛି।
ଆସନ୍ତାକାଲି(ବୁଧବାର) ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ତଥା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସଚିବାଳୟ(ଲୋକସେବା ଭବନ)ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦେଶ ଦିଆଯିବା ସହ ମୁଖ୍ୟ ଫାଟକ ପୂର୍ବାହ୍ନ ୧୦ଟା ୧୫ମିନିଟରେ ବନ୍ଦ କରାଯିବ। ଏହି ଅବଧି ମଧ୍ୟରେ ପଛଗେଟ୍ ଦେଇ କର୍ମଚାରୀମାନେ ଯାତାୟତ କରିପାରିବେ। କର୍ମଚାରୀ ଓ ଭିଜିଟରଙ୍କ ପାସ୍ ଓ ଆଇକାର୍ଡକୁ କଡ଼ାକଡ଼ି ଯାଞ୍ଚ କରାଯିବ। କର୍ମଚାରୀମାନେ ନିଜ ସିଟରେ ଉପସ୍ଥିତ ରହିବେ ଏବଂ ଭିଜିଟରମାନେ ନିଜର କାମ ତୁରନ୍ତ ଶେଷ କରି ଫେରି ଯିବା ପାଇଁ ବୋଲି ଗୃହ ବିଭାଗ ଜାରି କରିଥିବା ଚିଠିରେ ଉଲ୍ଲେଖ ରହିଛି ।
ଉପବର୍ଗୀକରଣ ଓ ସ୍ବଚ୍ଛଳ ବର୍ଗ ନୀତି ଲାଗୁ କରାନଯିବା ପ୍ରତିବାଦରେ ବୁଧବାର ଭାରତ ବନ୍ଦ ଡକରା ଦେଇଛି ଅନୁସୂଚିତ ଜାତି(ଏସ୍ସି), ଜନଜାତି (ଏସ୍ଟି) ଓ କ୍ରିୟାନୁଷ୍ଠାନ କମିଟି। ରାଜଧାନୀ ସମେତ ସମସ୍ତ ଜିଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯିବ। ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ସମସ୍ତ ଏସ୍ସି-ଏସ୍ଟି ସଂଗଠନ, ମାନବ ଅଧିକାର ସଂଗଠନ, ଗଣ ସଂଗଠନ, ଶ୍ରମିକ ସଂଗଠନ, ମୋଟର ଯାନ ଆସୋସିଏସନ, ବଜାର କମିଟି, କର୍ମଚାରୀ ସଂଘ ଭାରତ ବନ୍ଦ ଡକରାରେ ସାମିଲ୍ ହେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଅଭିରାମ ମଲ୍ଲିକ କହିଛନ୍ତି।
କମିଟି ଦର୍ଶାଇଛି ଯେ, ଅଗଷ୍ଟ ୧ରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସ୍ସି-ଏସ୍ଟି ସ୍ଥାନ ସଂରକ୍ଷଣ ଉପରେ ଯେଉଁ ରାୟ ପ୍ରକାଶ କରିଛନ୍ତି ତାହା ଅନୁସୂଚିତବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ। ଏନେଇ ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ରାଜନୈତିକ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟ ଏସ୍ସି, ଏସ୍ଟିଙ୍କ ସାମାଜିକ, ଆର୍ଥିକ, ଶିକ୍ଷାଗତ ସ୍ଥିତିକୁ ଆକଳନ ନକରି ତଥା ଏହି ବର୍ଗର ସୁରକ୍ଷା ନିମନ୍ତେ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଏପରି ରାୟ ପ୍ରଦାନ କରିଥିବାରୁ ଏହାର ପୁନର୍ବିଚାର କରନ୍ତୁ ବୋଲି ସଂଗଠନ ଦାବି କରିଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ କେବଳ ଅଧ୍ୟାଦେଶ କିମ୍ବା ସଂସଦରେ ଆଇନ ପାରିତ କରି ଅକାମୀ କରାଯାଇ ପାରିବ ନଚେତ୍ ଏହାର ପୁନର୍ବିଚାର କରାଯାଇ ପାରିବ। ଏହି ସମ୍ମିଳନୀରେ ଶ୍ରୀ ମଲିକଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସିପିଆଇ (ଏମ୍ଏଲ୍) ଲିବରେସନ ନେତା ମହେନ୍ଦ୍ର ପରିଡ଼ା, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍ଏଲ୍) ରେଡ଼ଷ୍ଟାରର ପ୍ରମିଳା ବେହେରା, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ସଭାପତି ସଂଗ୍ରାମ ମଲିକ, ରାଷ୍ଟ୍ରୀୟ ଦଳିତ ଆଦିବାସୀ ଫୋରମ୍ର ରାଜ୍ୟ ସଭାପତି ଲିଟୁ ଦାସ, ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଅଧିବକ୍ତା ସଂଘର ଆଇନଜୀବୀ ଲଳିତ କୁମାର ନାଏକ, ଏକତା ପରିଷଦର ରବି ସେଠୀ, ଶ୍ରମିକ ନେତା ନାରାୟଣ ସେଠୀ, ଆରପିଆଇର ଶେଖ୍ ଅବଦୁଲ ୱାଲି ଏବଂ ଏମ୍ଏସ୍ୱାଇଏଫର ବିଭ୍ରାନ୍ତ ବିଶ୍ବଜିତ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.