www.samajalive.in
Friday, December 5, 2025
26.1 C
Bhubaneswar

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‍ପଡ଼ିବା ଚକିତ କରିଥିଲା: ସର୍ଦାର

ନୂଆଦିଲ୍ଲୀ : ଚଳିତ ବର୍ଷ ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଭାରତୀୟ ପୁରୁଷ ହକି ଦଳରୁ ବାଦ୍‍ ପଡ଼ିବା ତାଙ୍କୁ ଚକିତ କରିଥିଲା ବୋଲି ମତ ଦେଇଛନ୍ତି ବରିଷ୍ଠ ଖେଳାଳି ସର୍ଦାର ସିଂହ। ସର୍ଦାର ଜଣେ ପରିଶ୍ରମୀ ଓ ନିଷ୍ଠାବାନ୍‍ ଖେଳାଳି ଭାବେ ବେଶ୍‍ ପରିଚିତ। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଘୋଷିତ ଭାରତୀୟ ଦଳରୁ ବାଦ୍‍ ପଡ଼ିବା ତାଙ୍କୁ ବହୁତ ଦୁଃଖିତ କରିଥିଲା ବୋଲି ସର୍ଦାର ମତ ଦେଇଛନ୍ତି। ଏପରିକି କେତେକ ତାଙ୍କ କ୍ୟାରିୟର ଅନ୍ତ ଘଟିଲା ବୋଲି ସେତେବେଳେ ମତ ଦେଇଥିଲେ।
ତେବେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମାରିଏନେଙ୍କ ସ୍ଥାନରେ ହରେନ୍ଦ୍ର ସିଂହଙ୍କୁ ନିଯୁକ୍ତ କରାଯିବା ପରେ ପୁନର୍ବାର ଭାରତୀୟ ଦଳକୁ ଫେରିଥିଲେ ସର୍ଦାର। ସେ ଗତ ଜୁନ୍‍ରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରି ଚମ୍ପିଆନ୍‍ସ ଟ୍ରଫିରେ ଖେଳିଥିଲେ। ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ ଭାରତ ପକ୍ଷରୁ ଭଲ ପ୍ରଦର୍ଶନ କରିବାକୁ ସର୍ଦାର ଲକ୍ଷ୍ୟ ରଖିଛନ୍ତି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ସର୍ଦାର କହିଥିଲେ ୨୦୧୮ ମସିହା ଭାରତୀୟ ହକି ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଏସୀୟ କ୍ରୀଡ଼ା ଓ ବିଶ୍ୱକପ୍‍ ଖେଳାଯିବ। ଯଦି ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୁଏ, ତେବେ ଦଳ ଅଲିମ୍ପିକ୍‍ରେ ଖେଳିବା ନିମନ୍ତେ ଯୋଗ୍ୟତା ହାସଲ କରିବ। ଅଲିମ୍ପିକ୍‍ରେ ଖେଳିବାକୁ ସବୁ ଦେଶର ଖେଳାଳିମାନେ ଅପେକ୍ଷା କରି ରହିଥାନ୍ତି। ୪ବର୍ଷକୁ ଥରେ ଅଲିମ୍ପିକ୍‍ରେ ଖେଳିବାକୁ ସୁଯୋଗ ମିଳୁଛି। ଏହାକୁ କେହି ହାତଛଡ଼ା କରିବାକୁ ଚାହିଁବେ ନାହିଁ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଭାରତୀୟ ଦଳରୁ ସେ କାହିଁକି ବାଦ୍‍ ପଡ଼ିଲେ ବୋଲି ପ୍ରଶ୍ନର ଉତ୍ତରରେ ସର୍ଦାର କହିଥିଲେ ଗତବର୍ଷ ଭାରତୀୟ ଦଳ ଏସିଆ କପ୍‍ ଚମ୍ପିଆନ୍‍ ହେବା ପରେ ତତ୍‍କାଳୀନ ମୁଖ୍ୟ ପ୍ରଶିକ୍ଷକ ମାରିଏନେ ତାଙ୍କୁ କହିଥିଲେ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଆଗାମୀ କେତେକ ଟୁର୍ଣ୍ଣାମେଣ୍ଟରେ ଯୁବ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ୍‍ ବିପକ୍ଷ ସିରିଜ୍‍ରେ ଭାରତୀୟ ଦଳରେ ସାମିଲ କରାଯାଇନଥିଲା। ଗତ ଏପ୍ରିଲ୍‍ରେ ହଠାତ୍‍ ତାଙ୍କୁ ସୁଲତାନ୍‍ ଆଜଲାନ୍‍ ଶାହା ଟୁର୍ଣ୍ଣାମେଣ୍ଟ ନିମନ୍ତେ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ଏକ ଯୁବ ଦଳର ନେତୃତ୍ୱ ନେବାକୁ ତାଙ୍କୁ କୁହାଯାଇଥିଲା। ଦଳ ଏହି ପ୍ରତିଯୋଗିତା ଖେଳି ସ୍ୱଦେଶ ଫେରିବାର କିଛିଦିନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଭାରତୀୟ ଦଳ ଘୋଷିତ ହୋଇଥିଲା। ଏହି ଦଳରେ ତାଙ୍କୁ ସାମିଲ କରାଯାଇନଥିବା ଜାଣି ସେ ଖୁବ୍‍ ଦୁଃଖିତ ହୋଇଥିଲେ। ତେବେ ହରେନ୍ଦ୍ର ସିଂହ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଡାକି ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସେ ଜୁନିୟର ଇଣ୍ଡିଆ ତରଫରୁ ଖେଳୁଥିବା ସମୟରୁ ହରେନ୍ଦ୍ର ତାଙ୍କୁ ଜାଣିଛନ୍ତି। ତାଙ୍କର ଦକ୍ଷତା ଓ ଦୁର୍ବଳତା ସଂପର୍କରେ ହରେନ୍ଦ୍ର ଭଲ ଭାବେ ଅବଗତ। ହରେନ୍ଦ୍ରଙ୍କଠାରୁ ସମର୍ଥନ ପାଇ ତାଙ୍କ ମନୋବଳ ବେଶ୍‍ ବଢ଼ି ଯାଇଥିଲା ବୋଲି ସର୍ଦାର ମତ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories