ରେଙ୍ଗାଲି: ହୀରାକୁଦ ନଦୀବନ୍ଧ ଯୋଜନା ସ୍ବାଧୀନୋତ୍ତର ଭାରତର ପ୍ରଥମ ବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା। ଏହି ଯୋଜନାରେ ୩୨୫ ଟି ରାଜସ୍ବ ଗ୍ରାମ ଜଳ ସମାଧି ହୋଇ ଲକ୍ଷାଧିକ ଲୋକ ବିସ୍ଥାପିତ ହେଲେ। ଚରମ ବିଡମ୍ବନାର ବିଷୟ ଯେ ବିସ୍ଥାପିତ ପରିବାର ଙ୍କ ତ୍ୟାଗ,ବଳିଦାନ ଓ ଲୁହଲହୁ ରେ ନିର୍ମିତ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକ୍ଷମ ହେବାର ୭ଦଶନ୍ଧି ବିତିଗଲା ପରେ ବି ବିସ୍ଥାପିତଙ୍କ ସମସ୍ୟା ଏବେ ଯାଏ ଅସମାହିତ । ୭ ଦଶନ୍ଧି ମଧ୍ୟରେ ସରକାର ବଦଳିଛି।ନେତା ବଦଳିଛନ୍ତି ନୀତି ବଦଳିଛି । କିନ୍ତୁ ବିସ୍ଥାପିତ ଙ୍କ ଭାଗ୍ୟ ବଦଳି ନାହିଁ। ନଦୀବନ୍ଧ ଯୋଜନା ଆରମ୍ଭ ହେବା ଠାରୁ ଏଯାବତ୍ ସରକାର ଦେଇଥିବା ପ୍ରତିଶ୍ରୁତି କାଗଜ କଳମ ରେ ସୀମିତ ହୋଇ ରହିଯାଇଛି।
ବିସ୍ଥାପିତ ପରିବାର ଙ୍କ ଅସମାହିତ ସମସ୍ୟା ର ନିରାକରଣ ପାଇଁ ଆଜି ରେଙ୍ଗାଲି ହରିହର ଧର୍ମଶାଳା ପରିସର ରେ ଆଜି ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ପରିବାର ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ ରାମସହାୟ ପଣ୍ଡା ଏହି ବୈଠକ ରେ ସଭାପତିତ୍ବ କରିଥିଲେ। ବିଶ୍ବକେଶନ ବିଶ୍ବାଲ, ସୁନିଲ ପଧାନ,ସୁବାସ ବିଶ୍ବାଲ,ବିଶ୍ବନାଥ ଅଗ୍ରୱାଲ, , ବିନୋଦ ବିହାରୀ ନନ୍ଦ, ହରିହର ନାଥ, ପୀତବାସ ତାଣ୍ଡକାର, ଅକ୍ଷୟ ମାହାଣା ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ବେ ହୀରାକୁଦ ବିସ୍ଥାପିତ ପରିବାରବର୍ଗଙ୍କୁ ଥଇଥାନ କରାଯାଇଥିବା ରମ୍ପେଲାକେମ୍ପ ଏବଂ ସାଲଡ ମୌଜା ବସ୍ତି ବାସିନ୍ଦାଙ୍କୁ ସରକାର ଦଖଲ ଦେଇଥିବା ଜମିର ସତ୍ତ୍ଵାଧକାର ପଟ୍ଟା ଦିନଯିବା। ଡି.ସି ପଟ୍ଟା କୁ ନିୟମିତ କରା ନଯିବା। ବିସ୍ଥାପିତ ପରିବାର ଙ୍କୁ ୧୦ ଡିସିମିଲ ଜମି ପଟ୍ଟା ଯୋଗାଇ ଦେବା ଆଦି ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ହେଉ ନଥିବାରୁ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା।
ଏସବୁ ସରକାରୀ ନିର୍ଦ୍ଦେଶନାମା ଗୁଡିକର ସମୟ ବଦ୍ଧ ତଥା ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ତହସିଲ ରେ ହୀରାକୁଦ ବିସ୍ଥାପିତ ଙ୍କ ପାଇଁ ସ୍ବତନ୍ତ୍ର ସେଲ୍ ଖୋଲାଯାଇ ଏଥିପାଇଁ ସ୍ଵତନ୍ତ୍ର ଅଫିସର ଓ କର୍ମଚାରୀ ନିଯୁକ୍ତି ଦିଆଯାଉ ବୋଲି ବୈଠକ ରେ ମତ ପ୍ରକାଶ ପାଇ ଏସଂକ୍ରାନ୍ତ ରେ ରାଜସ୍ବ ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦୨ ମସିହାରେ ରାଜ୍ୟ ସରକାର ହୀରାକୁଦ ବିସ୍ଥାପିତ ପରିବାରବର୍ଗ ଙ୍କୁ ୧୦ଡେସିମିଲ୍ ଘରଡିହ ପଟ୍ଟା ଦେବାକୁ ବିଜ୍ଞପ୍ତି ଜାରି କରିଥିବା ବେଳେ ୨୦୦୪ ମସିହା ରେ ବିଭାଜିତ ହୋଇ ଅଳଗା ଅଳଗା ରହୁଥିବା ବିସ୍ଥାପିତ ପରିବାର ଙ୍କୁ ୧୦ଡେସିମିଲ୍ ଜମି ଦେବାକୁ ମଧ୍ଯ ବିଜ୍ଞପ୍ତି ମାଧ୍ୟମ ରେ ଘୋଷଣା କରିଥିଲେ।
ତେବେ ତଥା କଥିତ ୧୦ ଡେସମିଲ୍ ଜମି ପାଇବାକୁ ଯେତେ ଆଇନ୍ କାନୁନ୍ ର ଅର୍ଗଳି ରହିଛି ସେଥିପାଇଁ ୯୫% ବିସ୍ଥାପିତ ପରିବାର ଜମି ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ପ୍ରତି ସ୍ପିଲିଟ୍ଅପ୍ ପରିବାର କୁ ୧୦ ଡେସିମିଲ୍ ଜମି ଦେବାର ନିର୍ଦ୍ଦେଶ ଦେଇଥିବା ବେଳେ ରାଜସ୍ବ ଅଧିକାରୀ ଯୌଥ ପରିବାର କୁ ୧୦ ଡେସମିଲ ଜମି ଦେଇ ବିସ୍ଥାପିତଙ୍କୁ ପ୍ରତାରଣା କରୁଥିବାର ନଜିର ରହିଛି। ସରକାରୀ ନିର୍ଦ୍ଦେଶ କୁ ଏଭଲି ମୋଡି ମକଚି ବିସ୍ଥାପିତ ପରିବାର ଙ୍କୁ ଅଧିକାର ବଞ୍ଚିତ କରାଯାଇ ଥିବା ସଂକ୍ରାନ୍ତ ରେ ରାଜସ୍ବ ମନ୍ତୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ବୈଠକ ରେ ନିଷ୍ପତ୍ତି ହୋଇଛି। ୧୦ଡେସମିଲ୍ ଜମି ର କାଗଜପତ୍ର ପାଇଁ ବିସ୍ଥାପିତ ଙ୍କୁ ଜିଲ୍ଲାପାଳ ଅଫିସ କୁ ବାରମ୍ବାର ଧାଁଦଉଡ କରିବାକୁ ପଡୁଛି। ଏଣୁ ଏହାର ତହସିଲ ଅଫିସ ରେ ଯେପରି ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ସେଦିଗରେ ଆବଶ୍ୟକ ନିୟମ ପ୍ରଣୟନ କରାଯାଉ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା।



