ଡେସ୍କ: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାରର ଆଉ ଏକ ଘଟଣାରେ ଦେଶର ସିନ୍ଧ ପ୍ରଦେଶର କରାଚିରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଏହି ଘଟଣା ଦେଶର ବନ୍ଦର ସହରର କୋରଙ୍ଗି ସ୍ଥିତ ୫ ନମ୍ବର ଅଞ୍ଚଳରେ ଘଟିଛି।
ହିନ୍ଦୁ ପୁରୋହିତଙ୍କ ବାସଭବନ ମଧ୍ୟରେ ଥିବା ଶ୍ରୀ ମାରି ମାତା ମନ୍ଦିରରେ ବୁଧବାର ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିଲା ଯାହା ଫଳରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେଠାକାର ହିଂସାତ୍ମକ ଜନତା ପୁରୋହିତଙ୍କ ଘର ଉପରେ ଆକ୍ରମଣ କରିବା ସହ ମୂର୍ତ୍ତିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏପର୍ଯ୍ୟନ୍ତ ପାକିସ୍ତାନ ପୁଲିସ ଦ୍ୱାରା କୌଣସି ଗିରଫଦାରୀ ହୋଇନାହିଁ।
The sanctity of a Hindu temple was disrespected after unidentified ruffians vandalised the premises. The Shri Mari Maata Mandir in Korangi, Karachi was attacked on Wednesday causing fear to spread amongst the Hindu community. #etribune #news #korangi #Mandir pic.twitter.com/2KBZwU9AtQ
— The Express Tribune (@etribune) June 8, 2022
ସେଠାରେ ଥିବା ଅର୍ଦ୍ଧ ନିର୍ମିତ ମନ୍ଦିରରେ ସ୍ଥାପନ ପାଇଁ ମୂର୍ତ୍ତିଗୁଡ଼ିକୁ ଅଣାଯାଇଥିଲା। ଏକ୍ସପ୍ରେସ ଟ୍ରିବ୍ୟୁନ ଖବରକାଗଜ ଅନୁଯାୟୀ, ଜଣେ ହିନ୍ଦୁ ବାସିନ୍ଦା କହିଛନ୍ତି ଯେ କିଏ ଏବଂ କାହିଁକି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ? ତେବେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମୋଟରସାଇକେଲରେ ୬ରୁ ୮ ଜଣ ବ୍ୟକ୍ତି ହିନ୍ଦୁ ପୁରୋହିତଙ୍କ ଘର ଉପରେ ଆକ୍ରମଣ କରିଥିଲେ ଓ ମୂର୍ତ୍ତିଗୁଡିକୁ ଭାଙ୍ଗିବା ସହ ଏଣେତେଣେ ଫୋପାଡ଼ି ଥିଲେ ଓ ସେଠାରୁ ପଳାଇଥିଲେ। ପୁଲିସ କହିଛି ଯେ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ସେମାନେ ଏହି ଅଞ୍ଚଳକୁ କର୍ଡନ କରି ସେଠାରେ ରହୁଥିବା ହିନ୍ଦୁମାନଙ୍କ ସୁରକ୍ଷା ଯୋଗାଇ ଦେଇଛନ୍ତି।



