ଖୁବଶୀଘ୍ର ଓଡ଼ିଶାର ବିର୍ଲା ଟାୟାରରେ କାର୍ଯ୍ୟ ଆରମ୍ଭ କରିବ ହିମାଦ୍ରି

ବାଲେଶ୍ୱର : ସ୍ପେଶାଲିଟି କେମିକାଲ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ(ଏଚଏସସିଏଲ) ଓଡ଼ିଶାକୁ ତା’ର ମହତ୍ୱାକାଂକ୍ଷୀ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁରେ ରଖିଛି। ଡାଲମିଆ ଭାରତ ରିଫ୍ରାକ୍ଟୋରିଜ୍‌‌ ଲିମିଟେଡ୍‌‌(ଡିବିଆରଏଲ) ସହଯୋଗରେ ହିମାଦ୍ରି ବାଲେଶ୍ୱରସ୍ଥିତ ବିର୍ଲା ଟାୟାର କାରଖାନାରେ କାର୍ଯ୍ୟ ଆରମ୍ଭ କରିବ। ବିର୍ଲା ଟାୟାରକୁ ପୂର୍ବ ଗୌରବକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ହିମାଦ୍ରି ଓଡ଼ିଶାର ବାଲେଶ୍ୱରରେ ଉତ୍ପାଦନ କାରଖାନାର ଆଧୁନିକୀକରଣ ସହ ଏହାର ଉତ୍ପାଦ ଉତ୍ପାଦନ ବୃଦ୍ଧି କରିବ, ଯାହା କି ଆଜିର ବଜାର ଚାହିଦା ଏବଂ ଭବିଷ୍ୟତର ବଜାର ଚାହିଦାକୁ ପୂରଣ କରିପାରିବ। ଏହା ୩୦ ଟିପିଡି କ୍ଷମତା ସହିତ କାର୍ଯ୍ୟ ଆରମ୍ଭ କରିବ ଏବଂ ଆଗାମୀ ୨୪ରୁ ୩୬ ମାସ ମଧ୍ୟରେ ଉନ୍ନତ ଜ୍ଞାନକୌଶଳ ଏବଂ ଅଭିନବ ପ୍ରକ୍ରିୟା ବ୍ୟବହାର କରି ଉତ୍ପାଦନ କ୍ଷମତାକୁ ୩୦ ଟିପିଡିରୁ ୪୦୦ ଟିପିଡିକୁ ବୃଦ୍ଧି କରିବାକୁ କମ୍ପାନୀ ଯୋଜନା କରିଛି।

ବାଲେଶ୍ୱରସ୍ଥିତ ବିର୍ଲା ଟାୟାର କାରଖାନା ଗତ ମାର୍ଚ୍ଚ ୨୧ ତାରିଖରୁ ଅଚଳ ହୋଇପଡ଼ିଛି। ବର୍ଦ୍ଧିତ ସଟଡାଉନ୍‌‌ ପରେ ଏବେ ଏହି ଅଞ୍ଚଳକୁ ଏକ ନୂତନ ଅର୍ଥନୈତିକ ଲାଇଫ୍‌‌ ଲାଇନ୍‌‌ ପ୍ରଦାନ କରି ପୁଣି ଥରେ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଉତ୍ପାଦନ ଓ ପ୍ରତିରକ୍ଷା ଶିଳ୍ପ ପାଇଁ ଜଣାଶୁଣା ଓଡ଼ିଶାର ପ୍ରମୁଖ ଶିଳ୍ପ କେନ୍ଦ୍ର ବାଲେଶ୍ୱରରେ ଏହି ଟାୟାର କାରଖାନା ଖୋଲିବା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତିରେ ଯଥେଷ୍ଟ ଯୋଗଦାନ ମିଳିବ ବୋଲି ଆଶା କରାଯାଉଛି।

Comments are closed.