ଭୋଟ ଦେଉଛି ହିମାଚଳ ପ୍ରଦେଶ; ନେତା ବାଛୁଛନ୍ତି ଜନତା

ସିମ୍‌ଲା: ଭୋଟ ଦେଉଛି ହିମାଚଳ ପ୍ରଦେଶ । ଆଜି ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେଉଛି । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଉଥିବା ବେଳେ ୫୫ଲକ୍ଷରୁ ଅଧିକ ଭୋଟର ମୈଦାନରେ ଥିବା ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ନିମନ୍ତେ ୭୭୮୪ଟି ମତଦାନ କେନ୍ଦ୍ର ଖୋଲାଯାଇଛି । ଏଥିରୁ ୩୯୭ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ଏଥର ନିର୍ବାଚନ ଲଢୁଥିବା ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୬ ଜଣ କୋଟିପତି ରହିଛନ୍ତି । ଆପ୍ ୬୮ଟି ଆସନରୁ ୬୭ଟି ଆସନରେ ପ୍ରାର୍ଥୀ ଦେଇଛି । ସେହିପରି ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏଥିରୁ ୫୬ଜଣ କୋଟି ପତି। କଂଗ୍ରେସର ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ଜଣ କୋଟିପତି ରହିଛନ୍ତି ।

ଚଳିତ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଥିବା ଚଢଉ ବେଳେ ୫୦.୨୮ କୋଟି ଟଙ୍କାର ମଦ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଯାହାକି ୨୦୧୭ ନିର୍ବାଚନ ତୁଳନାରେ ୫ଗୁଣା ଅଧିକ। ୨୦୧୭ରେ ୯.୦୩ କୋଟି ଟଙ୍କାର ଜିନିଷ ଜବତ ହୋଇଥିଲା । ଜବତ ଜିନିଷ ମଧ୍ୟରେ ୧୭.୧୮ କୋଟି ନଗଦ ଟଙ୍କା, ୧୭.୫ କୋଟି ଟଙ୍କାର ମଦ, ୧.୨ କୋଟିର ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଓ ୪୧ ଲକ୍ଷ ଟଙ୍କାର ବିଭିନ୍ନ ଉପହାର ରହିଛି। ହିମାଚଳ ପ୍ରଦେଶ ସରକାରଙ୍କ ଉପରେ ଏବେ ୬୪,୯୦୪ କୋଟି ଟଙ୍କାର ଋଣ ବୋଝ ରହିଛି। ଯାହା ଆଗାମୀ ସରକାର ନିମନ୍ତେ ବଡ ଆହ୍ବାନ ହେବ।

Comments are closed.