ବେକାବୁ ମୁଦ୍ରାସ୍ଫୀତି : ମହଙ୍ଗାମାଡ଼ରେ ଖାଉଟି ଘାଇଲା

ନୂଆଦିଲ୍ଲୀ : ଦେଶରେ ମୁଦ୍ରାସ୍ଫୀତି ହାର ସର୍ବାଧିକ ୬%ରେ ସୀମିତ ରଖିବାକୁ ସରକାରଙ୍କ ପକ୍ଷରୁ ଆର୍‍ବିଆଇକୁ ଯେଉଁ ପରାମର୍ଶ ଦିଆଯାଇଛି, ତାହା ଶୋଚନୀୟ ଭାବରେ ବିଫଳ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି (ସିପିଆଇ) ହାର ୭.୪୧%କୁ ବୃଦ୍ଧିପାଇଛି। ଅନ୍ୟପକ୍ଷରେ ସୁଧହାର ବୃଦ୍ଧିଯୋଗୁଁ ବାସଗୃହ, ଯାନବାହନ ଏବଂ ଅନ୍ୟାନ୍ୟ ଋଣ ମହଙ୍ଗା ହେବାରେ ଲାଗିଛି। ଅର୍ଥାତ୍‍ ଏଥିପାଇଁ ଋଣଗ୍ରହୀତାଙ୍କୁ ଅଧିକ ଅର୍ଥ ପରିଶୋଧ କରିବାକୁ ପଡୁଛି। ଏହା ସେମାନଙ୍କ ପାଇଁ ଚାପ ସୃଷ୍ଟି କରିଛି। ଫଳରେ ଜନସାଧାରଣଙ୍କ କ୍ରୟ କରିବା କ୍ଷମତା ହ୍ରାସପାଇଚାଲିଛି। ତାହାସହିତ ମହଙ୍ଗା ବଜାର ଦର ଖାଉଟିଙ୍କୁ ଘାଇଲା କରିବାରେ ଲାଗିଛି। ଏହା ଦେଶର ଅର୍ଥନୀତିରେ ଏକ ବିରାଟ ଅସମତୁଲ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।
ଚଳିତ ବର୍ଷ ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ରହିଥିଲା। ସେହି ମାସରେ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରେ ୦.୮% ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପାଞ୍ଚମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଘଟଣା ଅର୍ଥନୀତିଜ୍ଞଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। ସରକାର ମୁଦ୍ରାସ୍ଫୀତି ହାର ୪% ଅଥବା ସର୍ବାଧିକ ୬% ମଧ୍ୟରେ ସୀମିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଆର୍‍ବିଆଇକୁ କହିଥିଲେ। ତଦନୁଯାୟୀ ଆର୍‍ବିଆଇର ଆର୍ଥିକ ନୀତି ନିର୍ଦ୍ଧାରଣକାରୀ କମିଟି (ଏମ୍‍ପିସି) ଚାରିଥରରେ ୧୯୦ ବେସିସ୍‍ ପଏଣ୍ଟ ରେପୋ ରେଟ୍‍ ବୃଦ୍ଧି କରିସାରିଛି। କିନ୍ତୁ ମୁଦ୍ରାସ୍ଫୀତି ବୋଲ ମାନିବା ସ୍ଥିତିରେ ନାହିଁ। ତାହାର କାରଣ ହେଉଛି ଦେଶରେ ଖାଉଟି ଖାଦ୍ୟ ମୂଲ୍ୟସୂଚୀ ଅଗଷ୍ଟରେ ୭.୬୨% ଥିବାବେଳେ ସେପ୍ଟେମ୍ବରରେ ତାହା ୮.୬୦%କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ପନିପରିବା ଦର ୧୮.୦୫%, ମସଲା ୧୬.୮୮%, ଚୋପାଲଗା ଶସ୍ୟ ଓ ସେଥିରୁ ଉତ୍ପାଦିତ ସାମଗ୍ରୀ ଦର ୧୧.୫୩%, ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ୭.୧୩% ଏବଂ ଫଳ ଦର ୫.୬୮% ବୃଦ୍ଧିପାଇଛି। ଏସବୁ ସହିତ ପୋଷାକ ଓ ଜୋତା ଚପଲ ୧୦.୧୭% ଏବଂ ହାଉସିଂ କ୍ଷେତ୍ରରେ ମୂଲ୍ୟ ୪.୫୭% ବୃଦ୍ଧିପାଇଛି। କହିବାକୁ ଗଲେ ଅଧିକାଂଶ ସାମଗ୍ରୀର ବଜାରଦର କ୍ରମାଗତ ଭାବରେ ବୃଦ୍ଧିପାଇବାରେ ଲାଗିଛି। ତାହାକୁ ନିୟନ୍ତ୍ରଣ କରିବାର ସରକାର ବିଫଳ ହୋଇଥିବାବେଳେ କେବଳ ସୁଧହାର ବୃଦ୍ଧିଦ୍ୱାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପ୍ରୟାସ ସଫଳ ହେବାନେଇ ଆଶଙ୍କା ରହିଥିବା ଅନେକ ବଜାର ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞ ମତ ଦେଇଛନ୍ତି।
ଓଡ଼ିଶା ବ୍ୟବସାୟ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ବହୁ ସାମଗ୍ରୀର ବଜାର ଦର ନିୟନ୍ତ୍ରଣ କ୍ଷମତା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ନାହିଁ। ସାମଗ୍ରୀର ବଜାର ଦର ବର୍ଷକ ମଧ୍ୟରେ ପାଞ୍ଚଥର ବୃଦ୍ଧିପାଉଛି। କିନ୍ତୁ ତାହା ପଛରେ କି କାରଣ ରହିଛି, ତାହାର ଉତ୍ତର କେହି ଦେଉନାହାନ୍ତି। ସରକାରଙ୍କ ପାଖରେ ମଧ୍ୟ ଏହାର ତଥ୍ୟ ନାହିଁ। ତାହାଛଡା ସାମଗ୍ରୀଗୁଡିକରେ ଲେଖାଯାଉଥିବା ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆରପି) ଏବଂ ପ୍ରକୃତ ବିକ୍ରି ମୂଲ୍ୟ ମଧ୍ୟରେ ବିଭିନ୍ନ ସ୍ଥାନରେ ପାର୍ଥକ୍ୟ ରହୁଛି। ପ୍ରତିଦ୍ବନ୍ଦ୍ବିତାମୂଳକ ବଜାରରେ ଏକ ସାମଗ୍ରୀ ଏମ୍‌ଆରପିରୁ କମ୍‌ ଦରରେ ମିଳୁଥିବାବେଳେ ଅନ୍ୟ ସ୍ଥାନରେ ତାହା ଏମ୍‌ଆରପିରେ ବିକ୍ରି ଚାଲିଛି। ଦେଶରେ ମୁକ୍ତ ବାଣିଜ୍ୟ ନୀତି ପ୍ରଚଳିତ ହେବା ପରଠାରୁ ବଜାର ଦର ଉପରେ ସରକାରୀ ନିୟନ୍ତ୍ରଣ ନଥିବାରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ହ୍ରାସ ଓ ବୃଦ୍ଧିର ସିଧା ପ୍ରଭାବ ଖାଉଟି ଏବଂ ଅର୍ଥନୀତି ଉପରେ ପଡୁଥିବା ସେ କହିଛନ୍ତି।

kalyan agarbati

Comments are closed.