ରାଞ୍ଚି: କରୋନା ଭୂତାଣୁ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସେ କହିଛନ୍ତି, କୋଭିଡ-୧୯ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନରେ ତାଙ୍କୁ ନିଜର ‘ମନର କଥା’ କହିଲେ। ଭଲ ହୋଇଥାନ୍ତା ଯଦି ପ୍ରଧାନମନ୍ତ୍ରୀ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କୋଭିଡ-୧୯ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରତିକ୍ରିୟା ଦେଇଛନ୍ତି।
ହେମନ୍ତ ସୋରେନ ଟ୍ବିଟ୍ କରି ଲେଖିଛନ୍ତି, ଆଜି ଆଦରଣୀୟ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ସେ କେବଳ ନିଜ ମନର କଥା କହିଲେ। ଭଲ ହୋଇଥାନ୍ତା ଯଦି ସେ କାମର କଥା କହିଥାନ୍ତେ ଏବଂ କାମର କଥା ଶୁଣିଥାନ୍ତେ। ସୋରେନ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଆଲୋଚନା ସମୟରେ ତାଙ୍କୁ ତାଙ୍କ ରାଜ୍ୟର ପ୍ରସଙ୍ଗ ବିଷୟରେ ଅବଗତ କରାଇବାକୁ ସୁଯୋଗ ଦିଆଯାଇ ନ ଥିଲା। ପ୍ରଧାନମନ୍ତ୍ରୀ କେବଳ କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା କରିଥିଲେ।



