ମୁମ୍ବଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ମୌସୁମୀ ପାଇଁ ଜାରି ରହିଥିବା ପ୍ରବଳ ବର୍ଷା ବିଳମ୍ବିତ ରାତିରୁ ଆରମ୍ଭ ହୋଇ ଲୋକଙ୍କ ପାଇଁ ବିରାଟ ସମସ୍ୟା ଆଣିଛି। ଅନେକ ରାସ୍ତା ଜଳବନ୍ଦୀ ହୋଇପଡିଛି ଏବଂ ମୁମ୍ବଇର ଲାଇଫ୍ ଲାଇନ୍ କୁହାଯାଉଥିବା ସ୍ଥାନୀୟ ଟ୍ରେନର ଗତି ମଧ୍ୟ ମନ୍ଥର ହୋଇଯାଇଛି। ବର୍ଷାର ପ୍ରଭାବ ଏତେ ଅଧିକ ଯେ ପ୍ରଶାସନ ମଧ୍ୟ ବିଦ୍ୟାଳୟରେ ସ୍କୁଲ ଛୁଟି ଘୋଷଣା କରିଛି। ସାୟନ୍, କୁର୍ଲା, ହିନ୍ଦମାତା ପରି ଅଞ୍ଚଳରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଏଠାରେ ଅଣ୍ଟାଏ ଲେଖାଏଁ ଜଳ ଯୋଗୁଁ ଜୀବନ ସଂପୂର୍ଣ୍ଣ ବ୍ୟାହତ ହୋଇଛି। ଏଥି ସହିତ, ଅଫିସକୁ ଯାଉଥିବା ଲୋକମାନେ ମଧ୍ୟ ସପ୍ତାହର ପ୍ରଥମ ଦିନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଦେଖନ୍ତୁ ଭିଡିଓ ; ଏମିତି ବି ହୁଏ ମୃତ୍ୟୁ, ମାତ୍ର ୧୫ ସେକେଣ୍ଡରେ ଚାଲିଗଲା ଯୁବକଙ୍କ ଜୀବନ..
ମୁମ୍ବଇରେ ପ୍ରବଳ ବର୍ଷା ଯାତାୟତ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇଛି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଗୁଡ଼ିକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ରେଳ ଟ୍ରାକରେ ମଧ୍ୟ ପାଣି ଜମି ରହିବା ହେତୁ ଅନେକ ଟ୍ରେନର ଗତି ମନ୍ଥର ହୋଇଯାଇଛି। ବିଶେଷକରି କେନ୍ଦ୍ରୀୟ ରେଳବାଇର ଉପାନ୍ତ ସେବା ପ୍ରଭାବିତ ହୋଇଥିବା ଜଣାପଡିଛି। ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି। ଜଳ ନିଷ୍କାସନ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କେତେକ ସ୍ଥାନରେ ଗଛ ପଡିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ପ୍ରବଳ ବର୍ଷା ହେତୁ ମୁମ୍ବଇ, ଥାଣେ, ପାଲଘର ଏବଂ ରାୟଗଡର ଅନେକ ଅଞ୍ଚଳରେ ବର୍ଷାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ସ୍ଥାନୀୟ ଟ୍ରେନ୍ ଗୁଡିକ ମଧ୍ୟ ବିଳମ୍ବରେ ଚାଲୁଛି ଏହାସହ ଟ୍ରାକରେ ପାଣି ଜମିବା କାରଣରୁ ଅନେକ ଟ୍ରେନ୍ ଅଟକି ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଜୁଲାଇ ୮ରେ ମୁମ୍ବଇର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପବନର ସମ୍ଭାବନା ଅଛି ମଧ୍ୟ ରହିଛି।



