ମରୁଡ଼ିକୁ ଧୋଇ ଦେଲା ବର୍ଷା, ସବୁ ଜିଲାପାଳଙ୍କୁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଭୁବନେଶ୍ବର, କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା ହୋଇଛି। କେଉଁଠି ରାସ୍ତା ଉପରେ ପାଣି ସୁଅ କାଟି ପ୍ରବାହିତ ହେଉଛି ତ ଆଉ କେଉଁଠି ଘରେ ପାଣି ପଶିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। କେଉଁଠି ମନ୍ଦିରରେ ପାଣି ପଶିଛି ତ ଆଉ କେଉଁ ଜିଲାରେ ରାସ୍ତା ଧୋଇ ଯାଇଛି। ରବିବାର ସକାଳେ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଉପକୂଳରେ ବର୍ଷା ଲାଗି ରହିଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକେ ଘରୁ ବାହାରକୁ ବାହାରି ପାରିନାହାନ୍ତି। ନଈ, ପୋଖରୀ ଓ କୂଅଗାଡିଆ ସବୁ ଉଛୁଳୁଛି। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ପଡିଛି।
ପୁରୀ ଜିଲାର ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିମି ବର୍ଷା ହୋଇଛି। କାକଟପୁରରେ ୫୨୫ ମିମି, ପୁରୀରେ ୩୪୨.୫ ମିମି, ଗୋପରେ ୩୩୧ ମିମି ଏବଂ ନିମାପଡାରେ ୩୦୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ଏସବୁ ଅଞ୍ଚଳରେ ରାସ୍ତା ଉପରେ ୨ଫୁଟ ପାଣି ଚାଲିଛି। ପୁରୀ ସହରରେ ପାଣି ଜମି ରହିବା ଦ୍ବାରା ଲୋକଙ୍କ ଘରେ ପାଣି ପଶିଛି। ଜଗତସିଂହପୁର ଜିଲାର ବାଲିକୁଦାରେ ୪୪୦ ମିମି, ଆଳିପିଙ୍ଗଳରେ ୩୬୪ ମିମି, ରଘୁନାଥପୁରରେ ୩୨୩ ମିମି ବର୍ଷା ରେକର୍ଡ କରାଯାଇଛି। ଏରସମା ଓ ନାଉଗାଁ ବ୍ଲକ ପ୍ରଭାବିତ ହୋଇଛି। ବର୍ଷା ପାଣି ସରକାରୀ କାର୍ଯ୍ୟାଳୟରେ ପଶିଥିବା ବେଳେ ତଳିଆ ଅଞ୍ଚଳରେ ପ୍ରଖର ସୁଅ କାଟି ପାଣି ଚାଲିଛି। କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲା ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଫୁଲବାଣୀର ନଦୀଗଣ୍ଡି ସାହି-ଡାକପୋଲ ସେତୁ ବୁଡ଼ିଯାଇଛି। ସେତୁ ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କ. ନୂଆଗାଁ ବ୍ଲକର ସାରଙ୍ଗଗଡ଼ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ପୁରୁଣା ଜଗନ୍ନାଥ ମନ୍ଦିରର ଉପର ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଭଞ୍ଜନଗର ବାଲିପଦର ମଧ୍ୟରେ ନିର୍ମାଣାଧୀନ ଛୋଟପୋଲ ଭାସିଯାଇଛି। ବୋଡା ନଦୀରେ ନିର୍ମିତ କଲଭର୍ଟ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ସହରାଞ୍ଚଳରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ୧୯୯.୯ ମିମି ଏବଂ କଟକରେ ୧୧୭.୨ମିମି ବୃଷ୍ଟିପାତ ହେବା ଦ୍ବାରା ସାରା ସହର ପାଣିରେ ଉବୁଟୁବୁ ହେଉଛି। ରାଜଧାନୀର ନୂଆପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା, ରସୁଲଗଡ଼, ବମିଖାଲ, ଲକ୍ଷ୍ମୀସାଗର, ଝାରପଡ଼ା, ପୁରୁଣା ଭୁବନେଶ୍ବର, ନୟାପଲ୍ଲୀ ବେହେରା ସାହି ପ୍ରଭୃତି ସ୍ଥାନରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। କଲୋନୀରେ ପାଣି ଜମି ରହିଥିବା ବେଳେ ବସ୍ତି ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି। ପମ୍ପ ଲଗାଇ ଘରୁ ପାଣି ନିଷ୍କାସନ କରୁଛନ୍ତି। କଟକରେ ମଧ୍ୟ ସମାନ ପରିସ୍ଥିତି। ନାଳରେ ପାଣି ନିଷ୍କାସିତ ହୋଇ ନପାରିବା ଦ୍ବାରା ମୁଖ୍ୟ ରାସ୍ତାଗୁଡିକରେ ପାଣି ଜମି ରହିଥିଲା। ତଳିଆ ଅଞ୍ଚଳ ଲୋକଙ୍କ ଘର ପାଣି ଲହଡି ମାରୁଛି। ଲଘୁଚାପ ଗଭୀର ଅବପାତ ହୋଇ ଚାନ୍ଦବାଲିର ଦକ୍ଷିଣକୁ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଚାନ୍ଦବାଲି ପାଖରୁ ପ୍ରାୟ ୩୦ କିମି ଦୂରରେ ଓ କେନ୍ଦୁଝରରୁ ପ୍ରାୟ ୧୦୦ କିମି ଦକ୍ଷିଣ-ପୂର୍ବ ଦିଗରେ ଏହା ଉପକୂଳ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବ। ଫଳସ୍ବରୂପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୫ଟା ସୁଦ୍ଧା ରାଜ୍ୟର ତାଳଚେରରେ ୧୬୦ ମିମି, ବୌଦ୍ଧରେ ୯୦ ମିମି, କଟକରେ ୯୪ ମିିମି, ଭୁବନେଶ୍ବରରେ ୩୨.୧ ମିମି, ଅନୁଗୋଳରେ ୭୪ ମିମି, ସୋନପୁରରେ ୬୮ ମିିମି ବର୍ଷା ରେକର୍ଡ କରାଯାଇଛି।
କିଛିଦିନ ତଳେ ରାଜ୍ୟରେ ସୃଷ୍ଟି ହୋଇଥିବା ମରୁଡ଼ି ପରିସ୍ଥିତିକୁ ନେଇ ରାଜନୀତି ଜୋର ଧରିଥିଲା। ମୌସୁମିକାଳୀନ ଅଧିବେଶନ ସରଗରମ ହୋଇଥିଲା। ପ୍ରାୟ ୨ଦିନ କାଳ କେବଳ ମରୁଡ଼ି ପରିସ୍ଥିତିକୁ ନେଇ ଗୃହରେ ଆଲୋଚନା ହୋଇଥିବା ବେଳେ ୩ଦିନ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ହେଲେ ଗତକାଲିଠାରୁ ରାଜ୍ୟରେ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଏବେ ପରିସ୍ଥିତିକୁ ଓଲଟପାଲଟ କରି ଦେଇଛି। ମରୁଡ଼ି ପରିବର୍ତ୍ତେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ନ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଦ୍ବାରା ମହାନଦୀ, ଦେବୀ, ବ୍ରାହ୍ମଣୀ, ବୈତରଣୀରେ ପାଣି ବଢ଼ି ଚାଲିଥିବା ବେଳେ କୁଶଭଦ୍ରାର ସୁନ୍ଦରଗଡ଼ଠାରେ ନଦୀଜଳ ବିପଦ ସଙ୍କେତ ନିକଟତର ହେଲାଣି। ବଂଶଧାରା, ଋଷିକୂଲ୍ୟା ଓ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ି ଚାଲିଛି। କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଅନୁଯାୟୀ ମହାନଦୀର ନରାଜଠାରେ ବିପଦସଙ୍କେତ ୨୬.୪୧ ଥିବାବେଳେ ସେଠାରେ ପୂର୍ବାହ୍ନ ୬ଟାବେଳେ ଜଳସ୍ତର ୨୫.୪୧ରେ ପହଞ୍ଚିଥିଲା। ସେହିପରି ଦେବୀ ନଦୀର ଆଳିପିଙ୍ଗଳଠାରେ ବିପଦ ସଙ୍କେତ ସ୍ତର ୧୧.୭୬ ଥିବାବେଳେ ସକାଳେ ୧୦.୮୫ ଥିଲା। କୁଶଭଦ୍ରାର ନିମାପଡ଼ାରେ ବିପଦ ସଙ୍କେତଠାରୁ ଜଳସ୍ତର ମାତ୍ର .୯୨ କମ୍ ରହିଥିବାବେଳେ ସୁନ୍ଦରଗଡ଼ଠାରେ ମାତ୍ର ୦.୩୦ ତଳେ ଜଳସ୍ତର ରହିଥିଲା। ବ୍ରାହ୍ମଣୀର ଜେନାପୁରଠାରେ ପୂର୍ବାହ୍ଣରେ ବିପଦ ସଙ୍କେତଠାରୁ ମାତ୍ର ଗୋଟିଏ ପଏଣ୍ଟ ତଳକୁ ଜଳସ୍ତର ରହିଥିବାବେଳେ ବୈତରଣୀର ଆନନ୍ଦପୁରରେ ୦.୯୧, ଆଖୁଆପଦାଠାରେ ୦. ୫୦, ବୁଢ଼ାବଳଙ୍ଗର ଜାମଶୋଳାଘାଟଠାରେ ୦.୮୩, ସୁବର୍ଣ୍ଣରେଖାର ରାଇଘାଟଠାରେ ୦.୯୧, ବଂଶଧରା ଗୁଣୁପୁର ଓ କାଶୀନଗରଠାରେ ୧ ପଏଣ୍ଟ ଲେଖାଏଁ, ଋଷିକୂଲ୍ୟାର ପୁରୁଷୋତ୍ତମପୁରଠାରେ ବିପଦ ସଙ୍କେତର ୧ ପଏଣ୍ଟ ତଳେ ଜଳସ୍ତର ରହିଛି। ସେହିପରି ହୀରାକୁଦ ଜଳଭଣ୍ଡାରସ୍ତର ଅପରାହ୍ଣ ୩ଟା ସୁଦ୍ଧା ୬୨୪.୮୫ ମଧ୍ୟରେ ରହିଥିବାବେଳେ ୧ଲକ୍ଷ ୩୨ହଜାର ୮୯୭ କ୍ୟୁସେକ୍ ଜଳ ପଶୁଛି ଏବଂ ୨୨ହଜାର ୪୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଖଇରାମାଳ, ବରମୂଳ ଓ ମୁଣ୍ଡଳିଠାରେ ଲକ୍ଷାଧିକ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି। ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ସତର୍କ ସୂଚନା ଜାରି କରାଯିବା ସହିତ ବନ୍ୟା ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ନିର୍ଦେଶ ଦିଆଯାଇଛି।


