ପାଟଣା : ଦୀପାବଳି,ପୟା ଶ୍ରାଦ୍ଧ,ମା’କାଳୀଙ୍କର ମେଢ଼ ସହିତ ମୂର୍ତ୍ତି ପୂଜା ମହାସମାରୋହରେ ଗୁଜରାଟ, ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟରେ ପାଳନ କରାଯାଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ବସବାସ କରୁଥିବା ମହାନ୍ତ ବା କୁଡୁମୀ, ସାନ୍ତାଳ ସଂପ୍ରଦାୟର ଅଧିବାସୀମାନେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି। ମୂର୍ତ୍ତିପୂଜା ନକରି ପ୍ରକୃତିକୁ ପୂଜା କରିଥାନ୍ତି। ସେହିପରି ପାଟଣା ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ବିଶେଷତଃ କୁଡୁମୀ ବା ମହାନ୍ତ ସମ୍ପ୍ରଦାୟର ଲୋକମାନେ ବାସ କରୁଥିବା ଗ୍ରାମଗୁଡିକରେ ହାତୀ ଲେଖେନ ବାନ୍ଦନା ପରବ ପାଳିତ ହୋଇଯାଇଛି।
ଏହି ପର୍ବଟିକୁ ମହାନ୍ତ, ସାନ୍ତାଳ, ମୁଣ୍ଡା,ଭୂମିଜ୍ ସଂମ୍ପ୍ରଦାୟର ଲୋକମାନେ ବିଶେଷତଃ ପାଳନ କରିଛନ୍ତି। ମହାନ୍ତମାନେ ଏହାକୁ ହାତୀ ଲେଖେନ ପର୍ବ, ସାନ୍ତାଳମାନେ ସହରାୟ ପର୍ବ ବୋଲି ଅଭିହିତ କରିଥାନ୍ତି।କୁଡୁମୀ, ସାନ୍ତାଳ, ମୁଣ୍ଡା ଓ ଭୂମିଜମାନେ ବିଶେଷକରି କୃଷି ଉପରେ ନିର୍ଭର କରି ଚଳିଥାଆନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ବେଳକୁ ଚାଷକାର୍ଯ୍ୟ ଶେଷ ହୋଇ ଧାନ ଅମଳର ସମୟ ହୋଇ ଆସିଥାଏ। ବର୍ଷାର ପରିମାଣ କମି ଆସିଥାଏ। ଚାଷୀଭାଇମାନେ ଧାନ ଅମଳର ଖୁସିରେ,ଚାଷ କାର୍ଯ୍ୟରେ ସହଯୋଗ କରିଥିବା ଗୋରୁଗାଈ ମାନଙ୍କ ସେବାଯତ୍ନ ନିମନ୍ତେ ଏହି ପର୍ବ ପାଳନ କରିଥାନ୍ତି। ଦୀପାବଳି ର କିଛିଦିନ ପୂର୍ବରୁ ଲୋକମାନେ ନିଜ ନିଜର ଘରକୁ ଲିପାପୋଛା କରିଥାନ୍ତି। ଧାନ ଅମଳ ନିମନ୍ତେ ଧାନଖଳା ପ୍ରସ୍ତୁତ କରିଥାଆନ୍ତି।
ଦିପାବଳୀ ପୂର୍ବଦିନ ଗ୍ରାମର ପୁରୁଷଲୋକମାନେ ଏକତ୍ର ହୋଇ ନିଜ ସମ୍ପ୍ରଦାୟର ଦେହୁରୀ ଘରକୁ ଯାଇ ଥାଆନ୍ତି। ସେଠାରେ ଗ୍ରାମର ଭଲମନ୍ଦ ଆଲୋଚନା କରିବା ସହିତ ଚାଷକାର୍ଯ୍ୟରେ ସହଯୋଗ କରିଥିବା ଗୋରୁଗାଈ ମାନଙ୍କର ଗୋଠପୂଜାର ଦିନ ଧାର୍ଯ୍ୟ କରାଯାଇଥାଏ। ନିଷ୍ପତ୍ତି ହୋଇସାରିବାପରେ ସମସ୍ତେ ନିଜନିଜ ଘରକୁ ଫେରିଆସି ଗୋରୁଗାଈମାନଙ୍କ ଶିଙ୍ଗରେ ସୋରିଷ ତେଲ ଲଗାଇ ଥାଆନ୍ତି।ଏହାର ବୈଜ୍ଞାନିକ କାରଣ ହେଲା ଶୀତ ପ୍ରକୋପ ରୁ ଗୋରୁଗାଈମାନେ ରକ୍ଷା ପାଇଥାଆନ୍ତି।
ଦୀପାବଳି ଦିନ ସକାଳୁ ପୁରୁଷ ଲୋକମାନେ ଗାଧୋଇ ପୁଣି ଗୋରୁଗାଈମାନଙ୍କୁ ତେଲ ଲଗାଇ ଥାଆନ୍ତି।ଅପରାହ୍ନରେ ପୁରୁଷ ଲୋକମାନେ ମାଦଳ,ନାଗରା ବଜାଇ ଧେଙ୍ଗୁଆନ୍ ବା କୁର୍ମାଲି ଲୋକଭାଷାର ସ୍ଵତନ୍ତ୍ର ନାଚଗୀତ ଶୋଭାଯାତ୍ରା ଗୀତ ବୋଲି ଦେହୁରୀ ଘରକୁ ଯାଇଥାଆନ୍ତି। ଦେହୁରୀକୁ ନୂତନ ବସ୍ତ୍ରରେ ସଜ୍ଜିତ କରାଯାଇ ଧିଙ୍ଗୁଆନ୍ ଗୀତର ତାଳେତାଳେ ଗୋରୁଗୋଠକୁ ଆସିଥାଆନ୍ତି।ଗୋରୁଗୋଠରେ ଦେହୁରୀ ଗ୍ରାମରଲୋକମାନଙ୍କର ତଥା ଗୋରୁଗାଈ ମାନଙ୍କର ସୁସ୍ଥ କାମନା ପୂର୍ବକ ଗରୟା ଏବଂ ବାଘାତ୍ ଠାକୁରାଣୀଙ୍କର ପୂଜାର୍ଚ୍ଚନା ପୂର୍ବକ ଏକ ଦେଶୀ କୁକୁଡ଼ା ଅଣ୍ଡା ସ୍ଥାପନା କରିଥାଆନ୍ତି । ଢୋ ଢା ବାଣ ଶବ୍ଦ ନାଗରା, ମାଦଳ ବାଜା ତଥା ଗୀତର ତାଳେତାଳେ ଗୋରୁଗାଈମାନଙ୍କୁ ଅଣ୍ଡା ମଡାଇଥାନ୍ତି। ଯାହାର ଗୋରୁ ଅଣ୍ଡା ମାଡିଥାଏ,ସେ ନିଜକୁ ଧନ୍ୟ ମଣିବା ସହିତ ଆପଣାର ଘରକୁ ଧିଙ୍ଗୁଆନ୍ ଦଳକୁ ଆସିବା ନିମନ୍ତେ ନିବେଦନ କରିଥାଆନ୍ତି।
ପରେପରେ ଦେହୁରୀକୁ ବାଜା ଏବଂ ଗୀତର ତାଳେତାଳେ ସସମ୍ମାନେ ନେଇ ରଖାଯାଏ। ଦେହୁରୀଘରୁ ଲୋକମାନେ ଫେରି ଗୁହାଳ ଘରେ ତଥା ଘରର ଆଖପାଖରେ ଦୀପ ଜଳାଇ ଆଲୋକମୟ କରିଥାଆନ୍ତି। ଦିପାବଳୀ ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ ତଥା କପା/କାଉଁରିଆ କାଠି ଜଳାଇ ବଡବଡୁଆଙ୍କ ଆଶୀର୍ବାଦ କାମନା କରିଥାନ୍ତି। ଚାରିଆଡେ ଆଲୋକମୟ ହେବା ଫଳରେ ମଶାମାଛିଙ୍କର ପ୍ରାଦୁର୍ଭାବ କମିବା ଲୋକମାନଙ୍କର ବିଶ୍ୱାସ ଅଛି।ପୁଣି ଲୋକମାନେ ଏକାଠି ହୋଇ ଗୋରୁ ଅଣ୍ଡାମାଡିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଧିଙ୍ଗୁଆନ୍ କରି ପିଠା ପଣାଖାଇ, ନାଚଗୀତ କରିଥାଆନ୍ତି। ପରେପରେ ଗ୍ରାମର ସମସ୍ତ ଘରକୁ ଘର ବୁଲି ଧିଙ୍ଗୁଆନ୍ କରିଥାଆନ୍ତି।
ଏହିଦିନ ଗୋରୁଗୋଠୁଆଠୁ ଆରମ୍ଭକରି ସମସ୍ତେ ନୂତନ ବସ୍ତ୍ରରେ ସଜ୍ଜିତ ହୋଇଥାନ୍ତି। ପୁରାଣ ବିଶ୍ୱାସ ପୂର୍ବକ ଦିପାବଳୀରେ ଦୀପ ଜଳାଇ ଆଲୋକମୟ କରିଥିଲେ ମା’ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ। ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ପ୍ରଭୁ ଶ୍ରାରାମଙ୍କୁ ଦୀପଦାନ କରାଯାଇଥାଏ। ଭଗବାନ ଶିବ ଦିପାବଳୀ ରାତିରେ ଗୋରୁ ଗୁହାଳକୁ ଆସି ଦେଖୁଥିବାର ଲୋକ ବିଶ୍ୱାସ ଅଛି।ଏହି ପର୍ବରେ ଭାଇଚାରା ଏବଂ ଆତ୍ମୀୟତା ବୃଦ୍ଧି ପାଇଥାଏ ।କାର୍ତ୍ତିକ ଅମାବାସ୍ୟାର ଦିନବେଳା ଘର,ଗୁହାଳକୁ ପୁଣି ଲିପାପୋଛା କରାଯାଇଥାଏ। ପୁରୁଷ ଲୋକମାନେ କୃଷି ଉପକରଣ ଯଥା ଲଙ୍ଗଳ, ଯୁଆଳି,ମଇ, ଧାନ କୁରଡ ଆଦି କୁ ପାଣିରେ ଧୋଇ ଧାନଖଳାରେ ସ୍ଥାପନା କରିଥାଆନ୍ତି। ଗୋରୁ ଗୁହାଳରେ ଗରୟା ପିଠା ସହିତ କୁକୁଡ଼ା/ଛେଳି ପୂଜା କରାଯାଇଥାଏ।
ସନ୍ଧ୍ୟା ସମୟରେ ଧାନଖଳା ଓ ଘର ବାହାରକୁ ପାଣିଆ ଲତା ଏବଂ ଚାଉଳ ଚୂନା ମିଶ୍ରିତ ଝୋଟି ଦିଆଯାଇଥାଏ। ଘରମାନଙ୍କରେ ମାଦଳ ବାଜା ଏବଂ ବାନ୍ଦନା ଗୀତ ପୁଣି ଶୁଣିବାକୁ ମିଳେ। ମହିଳାମାନେ ଧାନଖଳାରେ ସ୍ଥାପନା କରାଯାଇଥିବା କୃଷି ଉପକରଣ ଯନ୍ତ୍ର ଏବଂ ଗୋରୁଗାଈ ମାନଙ୍କୁ ଗୁହାଳରେ ବନ୍ଦାପନା କରିଥାଆନ୍ତି। କୃଷି ଉପକରଣ ଏବଂ ଗୋରୁଗାଈ ମାନଙ୍କୁ ଧାନରେ ତିଆରି ହୋଇଥିବା ମଳରକୁ ପିନ୍ଧା ଯାଇଥାଏ।ତା’ ପରଦିନ ବୋଲ ମାନୁ ନଥିବା ବଳଦକୁ ଖୁଣ୍ଟରେ ବାନ୍ଧି ମାଦଳ ବଜାଇ ଗୀତ ବୋଲି ବୋଲ ମନାଯାଇଥାଏ। ଏହାକୁ ଗୋରୁଖୁଣ୍ଟା କୁହାଯାଇଥାଏ। ଏହିଦିନ ମହିଳାମାନେ ଘରକୁ ଘର ବୁଲି ଧିଙ୍ଗୁଆନ୍ କରିଥାଆନ୍ତି। ଅଧିକାଂଶ ପର୍ବପର୍ବାଣିରେ କୂଳବଧୁମାନେ ମା’ଘରକୁ ଯାଇ ଥାଆନ୍ତି ମାତ୍ର ଏହି ପର୍ବରେ ସେମାନେ ଶଶୁରଘରେ ରହି ଏହି ପୂଜାକୁ ପାଳନ କରିଥାଆନ୍ତି। ଏହି ପର୍ବ ଅବସରରେ ଗ୍ରାମେ ଗ୍ରାମେ ଝୁମର ମେଲୋଡି, କ୍ରୀଡା ପ୍ରତିଯୋଗିତା, କୁକୁଡ଼ା ଲଢେଇ ଆଦି ଆୟୋଜନ କରାଯାଇଥିଲା।
Comments are closed.