ହରଭଙ୍ଗା: ଗତ ୫/୭ ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ୧୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ତାଳିପକା ପିଚୁକାମ ଭଳି ମରାମତି କାର୍ଯ୍ୟ କରାଯାଇଥିଲା। ବର୍ଷାସମୟରେ ତାଳିପକା ପିଚୁକାମ ଯୋଗୁଁଁ ଅନେକ ସ୍ଥାନରେ ଗୋଡ ମାରିଦେଲେ ପିଚୁ ଉଠିଯାଉଥିବା ଦେଖାଯାଇଛି। ବର୍ଷା ସମୟରେ ଠିକାଦାରପୋଷା ନୀତିରେ ଟେଣ୍ଡର ସରିଥିବା ରାସ୍ତାରେ ପୂର୍ତ ବିଭାଗର ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିବା ଜଳ ଜଳ ହୋଇ ଦିଶୁଛି। ଅନ୍ୟପଟେ ଯାହା ଆକଳନ କରାଯାଉଥିଲା ତାହା ସତ ହୋଇଛି।
ପ୍ରକାଶ ଯେ, ହରଭଙ୍ଗାଠାରୁ ଧଳପୁର ମହାନଦୀ ସେତୁ ପର୍ଯ୍ୟନ୍ତ ଦୀର୍ଘ ୧୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୯୩ କୋଟି ଟଙ୍କା ବ୍ୟୟରେ ଏପ୍ରିଲରୁ ଟେଣ୍ଡର ସରିଛି। ପୂର୍ତ୍ତ ବିଭାଗ ସ୍ଥାୟୀ ରାସ୍ତା ନିର୍ମାଣ ସହିତ ଟେଣ୍ଡର ଓପନରେ ଗୁରୁତ୍ୱ ଦେବା ପରିବର୍ତ୍ତେ ବର୍ଷା ସମୟରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତାଳିପକା ପିଚୁକାମ କାହା ସ୍ୱାର୍ଥରେ କରାଯାଉଛି ତାକୁ ନେଇ ବଡ ପ୍ରଶ୍ନଚିହ୍ନ ଛିଡା କରିଛି। ଚଳିତବର୍ଷ ଜୁନ୍ ମାସରେ ବର୍ଷା ଲାଗି ରହିଥିବାବେଳେ ବେପରୁଆ ଢଙ୍ଗରେ ଏଭଳି ତାଲିପକା ପିଚୁ କାର୍ଯ୍ୟକୁ ନେଇ ପ୍ରଶ୍ନଚିହ୍ନ ଛିଡାକରିଛି। ଏ ଦିଗରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସହିତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।



