ବର୍ଷା ଉଭାନ୍‌‌, ଜମି ଶୁଖିଲା.. ଆଗେଇ ପାରୁନି ଚାଷ

୨୭ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପାଣିନାହିଁ, ମରୁଡ଼ି ଆଶଙ୍କା

ହରଭଙ୍ଗା: ଆଷାଢ ମାସ ସରିବାକୁ ବସିଲାଣି, ଭଲ ବର୍ଷା ଟିକିଏ ନାହିଁ। ବର୍ଷା ଅଭାବରୁ ତଳିଘାରି ଶୁଖିଲା ପଡ଼ିଛି। ପାଣି ଅଭାବରୁ ଚାଷକାର୍ଯ୍ୟ ଆଗେଇପାରୁନି। ଜମି ଶୁଖିଲା ଯୋଗୁଁ ଧାନରୁଆ କି ବିହୁଡା ଭଳି ଚାଷ କାର୍ଯ୍ୟ ଆଗେଇ ପାରୁନି। ଭଲ ବର୍ଷା ଟିକିଏ ହେଲେ ଚାଷୀ ରୁଆ, ବିହୁଡା ଆଦି ଚାଷକାର୍ଯ୍ୟକୁ ଆଗେଇ ନେବାକୁ ଚାତକ ପରି ଅନେଇ ବସିଛି। ମାତ୍ର ବର୍ଷାଭାବରୁ ଉଭୟ ଚାଷଜମି ପଡ଼ିଆ ପଡ଼ିଥିବାବେଳେ ଅନେକ ସ୍ଥାନରେ ତଳିପକା କାର୍ଯ୍ୟ ମଧ୍ୟ ବାକି ରହିଛି। ଅନ୍ୟପଟେ ବର୍ଷାଭାବରୁ ବୃହତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପାଣି ଟୋପାଏ ନଥିବାରୁ ଚାଷୀ ଆଗକୁ ଚାଷକାର୍ଯ୍ୟ କିଭଳି କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି। ଚଳିତ ମାସରେ ଲଗାତାର ତିନିଦିନ ହେଲା ଜିଲ୍ଲାରେ ବର୍ଷା ହୋଇନଥିବା ରେକର୍ଡରୁ ଜଣାପଡ଼ିଛି। ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହେଲେ ବ୍ଲକରେ ମରୁଡ଼ି ହେବା ଯଥେଷ୍ଟ ପରିମାଣରେ ଆଶଙ୍କା ରହିଛି। ପ୍ରକାଶ ଯେ ବ୍ଲକରେ ଧାନଚାଷ ପାଇଁ ୧୫ହଜାର୧୦୪ ହେକ୍ଟର ଚାଷ ଜମି ରହିଛି। ଅଣଧାନ ଚାଷ ପାଇଁ ୯ହଜାର୭୮୫ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୭ହଜାର୬୨୬ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି। କୃଷି ବିଭାଗ ସୂଚନା ଅନୁସାରେ ଚଳିତବର୍ଷ ୧୧ଶହ ହେକ୍ଟର ଚାଷଜମିରେ ତଳିପକା କାମ ସରିଛି। ୧୨ଶହ ହେକ୍ଟର ଚାଷଜମିରେ ଧାନ ବୁଣା କାର୍ଯ୍ୟ ସରିଛି। ମାତ୍ର ୧୦ ହେକ୍ଟର ଚାଷଜମିରେ ଧାନରୁଆ ବା ତଳିଲଗା କାର୍ଯ୍ୟ ସରିଥିବା ଜଣାପଡ଼ିଛି।

prayash

ଜୁନ ମାସରେ ୨୦୮.୬ମି.ମି ଧାର୍ଯ୍ୟ ପରିମାଣ ବର୍ଷାରୁ ହରଭଙ୍ଗା ବ୍ଲକରେ ୨୩୪ମି.ମି , କଣ୍ଟାମାଳ ବ୍ଲକରେ ୨୦୮ ମି.ମି ଏବଂ ବୌଦ୍ଧ ବ୍ଲକରେ ସର୍ବନିମ୍ନ ୯୧ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡ଼ିଛି। ଜୁନରେ କେବଳ ବୌଦ୍ଧ ବ୍ଲକକୁ ବାଦଦେଲେ ଅନ୍ୟ ଦୁଇଟି ବ୍ଲକରେ ଧାର୍ଯ୍ୟପରିମାଣ ଅନୁପାତରେ ବର୍ଷା ହୋଇଛି। ସେହିପରି ଜୁଲାଇ ମାସରେ ୩୬୧.୮ମି.ମି ଧାର୍ଯ୍ୟ ପରିମାଣ ବର୍ଷା ଅନୁପାତରୁ ଗତ ୦୮ ତାରିଖ ସୁଦ୍ଧା ହରଭଙ୍ଗାରେ ୪୮ମି.ମି, ବୌଦ୍ଧରେ ୮୫ମି.ମି ଏବଂ କଣ୍ଟାମାଳରେ ୧୬ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡ଼ିଛି। ଜୁଲାଇ ୧ତାରିଖରୁ ୦୮ତାରିଖ ମଧ୍ୟରେ ଜିଲ୍ଲାରେ ୫୦ ପ୍ରତିଶ୍ରତ ଅନୁପାତରେ ବର୍ଷା ହୋଇଥିବା ରେକର୍ଡରୁ ଜଣାପଡ଼ିଛି। ଜୁଲାଇ ୦୯ତାରିଖରୁ ୧୧ତାରିଖ ତିନିଦିନ ପର୍ଯ୍ୟନ୍ତ ଜିଲ୍ଲାରେ ବର୍ଷାନଥିବାବେଳେ ଖରାର ପ୍ରକୋପ ଜାରିରହିଛି। ଯାହାଫଳରେ ଆହୁରି ୩ଶହ ହେକ୍ଟର ଜମିରେ ତଳିପକା କାର୍ଯ୍ୟ ପଛେଇଥିବା ଜଣାପଡ଼ିଛି। ଏହା ସହିତ ତଳିଲଗା, ଧାନ ବୁହୁଡା କାର୍ଯ୍ୟ ପଛେଇଯାଇଛି।ଚାଷୀ ଚାଷ ପାଇଁ ବର୍ଷାକୁ ଚାତକ ପରି ଅନେଇ ବସିଛି। ଅନ୍ୟପଟେ ହରଭଙ୍ଗା ବ୍ଲକରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ରହିଥିବା ୨୭ଟି ଛୋଟବଡ ପ୍ରକଳ୍ପ ମଧ୍ୟରୁ ଲକ୍ଷ୍ମୀନାଳ, ଶଗଡ଼ିଆ, ଲଇଗାଁ ଭଳି ତିନୋଟି ବୃହତ ପ୍ରକଳ୍ପରେ ପାଣିନଥିବା ପାଖାପାଖି ୪ହଜାର ହେକ୍ଟର ଜମିରେ ପାଣିମାଡିବା ଆଶାଧୂଲିସାତ ହୋଇଛି। ତିନିଗୋଟି ବୃହତ ପ୍ରକଳ୍ପ ସାଙ୍ଗକୁ ଉପର ଲଇଗାଁ, ଟଭାପଦର, ସଙ୍କୁଲେଇ, ରାୟପୁର, ପିପିଲକଟା, ପଲାସକୁଟୁଣୀ, ମହତାବ, ମାଧପୁର, ଲକ୍ଷ୍ମଣପୁର, କୁଶାସିଙ୍ଗା, ଘୁମୁକୁଡି, କୁକୁଟେଶ୍ୱର, କେଳାକଟା, ହରିହରପୁର, ଗାନ୍ଧିଅଣା, ଡମକୁଜ, ଛତ୍ରଙ୍ଗ, ବୁରୁବୁଡା, ବିଷ୍ଣୁପୁର, ଭରତାପୁର, ବାଇସିପଡ଼ା, ବଡବନ୍ଧ ଭଳି ୨୨ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଆଦୌପାଣି ନଥିବା ଜଣାପଡ଼ିଛି।

ସେହିପରି କୁଶଙ୍ଗ ରାଜାବସା ଏବଂ ଅନ୍ଧାରୀନାଳ ପ୍ରକଳ୍ପରୁ କାର୍ଯ୍ୟକ୍ଷମ ଅବସ୍ଥାରେ ନଥିବାରୁ ଏହି ଅଂଚଳର ଚାଷୀ ଜଳସେଚନ ସୁବିଧାରୁ ବଂଚିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ବର୍ଷାଜଳକୁ ଏକମାତ୍ର ଭରସା କରି ଚାଷ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି। ବର୍ଷା ଅଭାବରୁ ଜମି ପଡ଼ିଆ ପଡ଼ିବା ସହିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପାଣି ଅଭାବ ଚାଷୀଙ୍କୁ ଦୁଇଗୁଣା ଚିନ୍ତାରେ ପକାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଭଲବର୍ଷା ନହେଲେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ଉଜୁଡିବା ସହିତ ବ୍ଲକରେ ମରୁଡ଼ି ଆଶଙ୍କାଙ୍କୁ ଏଡାଇ ଦିଆଯାଇ ନପାରେ ବୋଲି ଚାଷି ମହଲରୁ ମତପ୍ରକାଶ ପାଉଛି।

 

Comments are closed.