ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧିନ ଡ୍ରେନକାର୍ଯ୍ୟ ଅଧପନ୍ତରିଆ ଭାବେ ପଡରହିଥିବା ଦେଖିବାକୁ ମିଳିଛି। ଖୋଦ୍ ବ୍ଲକ ସଦର ମହକୁମାରେ ଡ୍ରେନ ନିର୍ମାଣ କାର୍ଯ୍ୟରେ ମନ୍ଥରତା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି।
ପ୍ରକାଶ ଯେ, ଚାରିଛକସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବର୍ଷାଦିନେ କୁଢ କୁଢ ଆବର୍ଜ୍ଜନା ପାଣି ଜମିରହିବା ସହିତ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ଲକ ସମ୍ମୁଖରେ ଡ୍ରେନେଜ ନିର୍ମାଣ କରିବା ପାଇଁ ବିଭିନ୍ନ ଦୋକାନଗୁଡ଼ିକ ଉଛେଦ କରାଯାଇଥିଲା। ଉଛେଦ ପରେ ଗତ କିଛିଦିନ ତଳେ ଡ୍ରେନେଜ ଖୋଳା କାର୍ଯ୍ୟ କରାଯାଇ ତଳ ଢଳେଇ କାମ ସମ୍ପାଦନ ପରେ ନିର୍ମାଣ କାର୍ଯ୍ୟ ସେତିକିରେ ଅଟକି ରହିଥିବା ଦେଖିବାକୁ ମିଳିଛି। ନିର୍ମାଣକାରୀ ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣ ଡ୍ରେନ କାର୍ଯ୍ୟ ସରିପାରୁ ନ ଥିବାରୁ ଲୋକଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ତୁରନ୍ତ ନିର୍ମାଣକାର୍ଯ୍ୟ ସାରିବାକୁ ବଜାରବାସୀ ଦାବୀ କରିଛନ୍ତି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଚିତରଞ୍ଜନ ମହନ୍ତଙ୍କୁ ପଚାରିବାରୁ ସେ କହିଲେ ଏହାର ନିର୍ମାଣ କାର୍ଯ୍ୟ ଏଆରଏସଏସ କରୁଛି। ନିର୍ମାଣକାର୍ଯ୍ୟ ତୁରନ୍ତ ସାରିବାକୁ ତାକୁ ନିର୍ଦ୍ଦେଶ ଦିଆଯାଇଛି।



