ତିରଡ଼ରେ କାୟା ମେଲାଉଛି କିଡ୍ନୀ ରୋଗ; ଲୁକ୍କାୟିତ କିଡ୍ନୀ ରୋଗୀ ଚିହ୍ନଟ ମିଶନ ନାଲିଫିତା ତଳେ
ହରଭଙ୍ଗା: ନରସିଂହପୁର, ନୂଆପଡ଼ା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ। ସଂପ୍ରତି ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ ସେଭଳି କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଏହି ମାରାତ୍ମକ ବେମାରୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ, ଖଟିଖିଆ, ଦିନ ମଜୁରୀଆ ପରିବାର ଉପରେ ଦାଉ ସାଜିଛି। ରୋଗ ଚିହ୍ନଟ ପୂର୍ବରୁ ଗରିବ ଶ୍ରେଣୀର ରୋଗୀଟିଏ ଏଠି ସେଠିକୁ ଧାଇଁ ଧାଇଁ ଅକାରଣରେ ପ୍ରାଣ ହାରୁଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଜିଲାରେ କିଡ୍ନୀ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଅନ୍ୟପଟେ ବ୍ଲକର କୁଶଙ୍ଗ ପଂଚାୟତର ଭଗାମୁଣ୍ଡା ପରେ ଏବେ ତିରଡ ଗାଁରେ କିଡ୍ନୀ ରୋଗ କାୟାବିସ୍ତାର କରୁଛି। ଏହି ମାରାତ୍ମକ ରୋଗରେ ନୂଆତିରଡ ଗ୍ରାମର ମକରା ବେହେରା(୬୦) ଏବଂ ଅର୍ଜୁନ ଦାସ(୫୫) ଆକ୍ରାନ୍ତ ଥିବା ଜଣାପଡ଼ିଛି। କିଡ୍ନୀ ରୋଗରେ ଆକ୍ରାନ୍ତଥିବା ଅର୍ଜୁନ ବର୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ପ୍ରକାଶ ଯେ, କୁଶଙ୍ଗ ପଞ୍ଚାୟତର ୧୨ନଂ ଓ୍ବାର୍ଡ ଅନ୍ତର୍ଗତ ତିରଡ଼ ଗ୍ରାମର ସେତୁପୁର ସାହି, ତିରଡ଼ ଏବଂ ନୂଆତିରଡ଼ ସାହିରେ ୭୫ ପରିବାରରେ ପାଖାପାଖି ୩ଶହ ଲୋକ ବସବାସ କରନ୍ତି। ମହାନଦୀ ପଠାରେ ରହିଥିବା ଗାଁ ଲୋକେ ନଦୀର ମଧୁରଜଳ ସୁବିଧାରୁ ବଞ୍ଚିତ ହୋଇ ଗାଁରେ ରହିଥିବା ହାତଗଣତି କୂଅ, ନଳକୂପ ଉପରେ ପିଇବା ପାଣି ପାଇଁ ନିର୍ଭର କରନ୍ତି। ପାଣିର ସ୍ୱଛତା ଉପରେ ଅନଭିଜ୍ଞ ଗ୍ରାମବାସୀ ଖରାଦିନେ ନଳକୂପର ଫ୍ଲୋରାଇଡ ଯୁକ୍ତ ପାଣି ପିଇ ଏଭଳି ମାରାତ୍ମକ ରୋଗର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ମକରା ବେହେରା ଭଳି ଜଣେ ୬୦ବର୍ଷୀୟା ବୃଦ୍ଧ ୮/୯ବର୍ଷହେଲା ଏହି ରୋଗରେ ଆକ୍ରାନ୍ତଥିବା ଜଣାପଡ଼ିଛି। ଅର୍ଜୁନ ଦାସ ଭଳି ଅନ୍ୟଜଣେ ରୋଗୀ ଗତ ଦୁଇବର୍ଷ ହେଲା ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚାଷବାସ/ମୂଲମଜୁରୀ କରି ପରିବାର ଚଳାଉଥିବା ଅର୍ଜୁନଙ୍କ ଉପରେ କିଡ୍ନୀ ରୋଗର ଦାଉସାଜିଛି। ଗରିବ ପରିବାର କ୍ଷେତ୍ରରେ ବ୍ୟୟବହୁଳ ଚିକିତ୍ସା ଯୋଗୁଁ ପରିବାର ବର୍ତମାନ ସର୍ବସ୍ୱାନ୍ତ ହୋଇପଡ଼ିଛି। ଅର୍ଜୁନଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମର ଓ୍ବାର୍ଡସଭ୍ୟ କାଠିଆ ପ୍ରଧାନ, ସମାଜସେବୀ ଭିକାରୀ ଚରଣ ବାଈ ପ୍ରମୁଖ ଦାବୀ କରିଛନ୍ତି। ଅନ୍ୟପଟେ ଗାଁରେ ଲୁକ୍କାୟିତ ଅବସ୍ଥାରେ ରହିଥିବା କିଡ୍ନୀ ରୋଗୀଙ୍କୁ ଚିହ୍ନଟ ଦିଗରେ ସ୍ୱାସ୍ଥ୍ୟବିଭାଗ ଆଶୁ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ଏ ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ବୌଦ୍ଧ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଗ୍ରାମର ଫକୀର ଦଳେଇ, ଶ୍ରୀଧର ସାହୁ, ଅକ୍ଷୟ ମନ୍ତ୍ରୀ, ପ୍ରମୁଖ ଦାବୀ କରିଛନ୍ତି।
ସୂଚନା ଥାଉ କି, ହରଭଙ୍ଗା ବ୍ଲକରେ ୭ଟି ପଞ୍ଚାୟତର ୨୪ଟି ଗ୍ରାମରେ ୨୮୩ଜଣ କିଡନୀଆକ୍ରାନ୍ତ ଥିବାବେଳେ ୨୨୦ଜଣ ରୋଗୀଙ୍କ ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ବିଶେଷକରି ଧଳପୁର ପଞ୍ଚାୟତର ଚନ୍ଦ୍ରଶେଖରପୁର, ଜବଲପୁର, କୁଶଙ୍ଗ ପଂଚାୟତର ଭଗାମୁଣ୍ଡା, ତିରଡ, ତଇଳାସାହି, ହରଭଙ୍ଗା ପଞ୍ଚାୟତର ଭେଜିଗୁଡା, ବୁକେଶିଙ୍ଗା, ସୁରୁଣ୍ଡି, ଭଳି ଗ୍ରାମରେ ଏହି ରୋଗର ଅଧିକ ପ୍ରାଦୁର୍ଭାବ ରହିଛି।
Comments are closed.