ହରଭଙ୍ଗା: ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ସୋମବାର ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକର ୨୨ଟି ପଞ୍ଚାୟତରେ ୨୦୧୩ ମସିହାରୁ ୨୦ଜଣ ଯୋଗାଣ ସହାୟକ ପି.ଡି.ଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସୁଛନ୍ତି । ସେମାନଙ୍କୁ ବଣ୍ଟନ ପାଇଁ ଦିଆଯାଉଥିବା ୫୦କେଜି ଚାଉଳ ବସ୍ତାରେ ପାଖାପାଖି ୬ଶହ ଗ୍ରାମ ଚାଉଳ ପଇଓ ଛଟେଇ କରି ଦେଉଛନ୍ତି । ଯାହାଦ୍ୱାରା ମାସିକ ୫ରୁ୬ କ୍ୱିଂଟାଲ ଚାଉଳ କମ୍ ମିଳୁଛି । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ପିଡିଏସ ଲାଭାଂଶ ଖାତାରେ ନିୟମିତ ଜମାରେ ବ୍ୟତିକ୍ରମ ଘଟୁଛି ।
ପିଡିଏସ ଲାଭାଂଶ ଟଙ୍କା କ୍ୟାସବୁକ୍ରେ ଦର୍ଶାଇବାବେଳେ ଯୋଗାଣ ସହାୟକଙ୍କ ଦସ୍ତଖତ ନିଆଯାଉନାହିଁ । ପିଡିଏସ ବଣ୍ଟନ ପରେ ଯୋଗାଣ ସହାୟକଙ୍କ ଠାରୁ ସମସ୍ତ ଲାଭାଂଶ ଟଙ୍କା ନେଉଛନ୍ତି । ମାତ୍ର ପଞ୍ଚାୟତ କ୍ୟାସବୁକ୍ ଓ ପିଡିଏସ ରେଜିଷ୍ଟରରେ କୌଣସି ଦସ୍ତଖତ ନିଆଯାଉନାହିଁ । ଏଭଳି ବ୍ୟତିକ୍ରମ ଉପରେ ବି.ଡି.ଓ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଘର କର୍ମକର୍ତ୍ତା ବିନୋଦ କୁମାର ସାହୁ, ସୌମ୍ୟରଞ୍ଜନ ଦାଶ, ପବିତ୍ର ମୋହନ ସାହୁ, ରତନ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଦାବିପତ୍ରରେ ବି.ଡି.ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।



