ଖରଭୂଇଁ ପଥରଖାଦାନରୁ ବେନିୟମ ପଥର ଉତ୍ତୋଳନ ମାମଲା; ନାଲିଫିତା ତଳେ ସରକାରୀ ନୋଟିସ୍‌, କାର୍ଯ୍ୟାନୁଷ୍ଠାନ ଶୂନ

ବକେୟା ପଡିଛି ୧୫ଲକ୍ଷ ଜୋରିମାନା,୧୫.୫୦କୋଟି ରୟାଲିଟି ଟଙ୍କା

ହରଭଙ୍ଗା: ଗତ ଡିସେମ୍ବର ମାସରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାର ଖରଭୂଇଁ ଅଂଚଳର ୩ଟି ପଥର ଖାଦାନରୁ ବେନିୟମ ପଥର ଉତ୍ତୋଳନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଥିଲେ । ଉକ୍ତ ତୋନୋଟି ପଥର ଖାଦାନରୁ ବେନିୟମ ଭାବେ ଉତ୍ତୋଳନ ହୋଇଥିବା ୮ଲକ୍ଷ ୬୬ହଜାର ୧୪୬ଘନମିଟର ପଥର ଉପରେ ୧୫ଲକ୍ଷଟଙ୍କା ଜୋରିମାନା ସହିତ ୧୫.୫୦ କୋଟି ଟଙ୍କା ରୟାଲଟି ଆଦାୟ ପାଇଁ ନୋଟିସ ଜାରିକରିଥିଲେ । ମାତ୍ର ଘଟଣାକୁ ଛଅମାସରୁ ଊର୍ଦ୍ଧ୍ଵ ସମୟ ପରେ ବି ଲକ୍ଷାଧିକ ଜୋରିମାନା ଟଙ୍କା ସହିତ କୋଟି କୋଟି ଟଙ୍କାର ରାଜଭାଗ ଅନାଦେୟ ହୋଇପଡିଛି । ଫଳରେ ତହସିଲଦାରଙ୍କ  କାର୍ଯ୍ୟାନୁଷ୍ଠାନ ସରକାରୀ ନୋଟିସରେ ସୀମିତ ରହିଛି ।

ପ୍ରକାଶ ଯେ ହରଭଙ୍ଗା ତହସିଲର ଖରଭୂଇଁ ଅଂଚଳରେ ଦୀର୍ଘ ୧୪ବର୍ଷ ତଳେ ଏ.ଆର.ଏସ.ଏସ କମ୍ପାନୀକୁ ପ୍ରଥମେ (ଖରଭୂଇଁ -୧ )ପଥର ଖାଦାନା ଲିଜ ପ୍ରଦାନ କରାଯାଇଥିଲା । ଉକ୍ତ କମ୍ପାନୀ ସେଠାରୁ  ପଥର ଉତ୍ତୋଳନ ସାଙ୍ଗକୁ ଏକ ପଥର କ୍ରସର ଶିଳ୍ପ ପ୍ରତିଷ୍ଠା କରି ମାଇନର ମିନେରାଲସ ନାଁରେ ଦୀର୍ଘ ବର୍ଷ ଧରି ବେନିୟମଭାବେ ମେଜର ମିନେରାଲ ଲୁଟ୍‌  କରି ବାର୍ଷୀକ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କି ଚାଲିଥିଲା । ପରବର୍ତ୍ତୀ ସମୟରେ ସେହି ଅଂଚଳରେ (ଖରଭୂଇଁ-୨ ଏବଂ ୦୩) ଭଳି ଆଉ ଦୁଇଟି ପଥର ଖଦାନକୁ ଲିଜ ପ୍ରଦାନ ଯୋଗୁଁ ଆଉ ଦୁଇଟି ପଥର କ୍ରସର ଶିଳ୍ପ ଗଢିଉଠିଥିଲା । ଖଣି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଲିଜଧାରୀ ଧାର୍ଯ୍ୟ ଲିଜ ପରିମାଣଠାରୁ ଅଧିକ ପରିମାଣରେ ବେନିୟମଭାବେ ପଥର ଉତ୍ତୋଳନ ଯୋଗୁଁ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ଘଟୁଥିଲା । ଏହା ସହିତ ଏଭଳି ବିନାଶକାରୀ ଶିଳ୍ପପାଇଁ  ପ୍ରତିଦିନ ବେଆଇନ ପଥର ବିସ୍ଫୋରଣ ଯୋଗୁ ଗ୍ରାମବାସୀ ପ୍ରତିଦିନ ମୃଦୁ ଭୂକମ୍ପ ଅନୁଭବ କରିବା ସାଙ୍ଗକୁ ପଥର ଗୁଣ୍ଡରେ ଉର୍ବର ଚାଷ ଜମି ସବୁ ନଷ୍ଟ ହେଉଥିଲା ।

prayash

ଏହା ସହିତ ଶବ୍ଦ, ଧୂଳିକଣା ପ୍ରଦୂଷଣରେ ସାଧାରଣ ଜନତା ପିଇବା ପାଣି ସମସ୍ୟା, କିଡନୀ ରୋଗ ବୃଦ୍ଧି, ଗର୍ଭବତୀ ମୃତ୍ୟୁହାର ବୃଦ୍ଧି ଏବଂ ଶିଶୁ ବିକଳାଙ୍ଗ ବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଗତ ଜୁନ୍‌ ୨୦୨୧ରେ ଖରଭୂଇଁ ଅଂଚଳରୁ ପଥର ଖାଦାନ ଏବଂ କ୍ରସର ଭଳି ବିନାଶକାରୀ ଶିଳ୍ପ ସମ୍ପୂର୍ଣ୍ଣ ଉଚ୍ଛେଦପାଇଁ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଶେଷରେ ଗାଁ ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବୌଦ୍ଧ ଜିଲ୍ଲାପାଳ ଖରଭୁଇଁ ଅଂଚଳରୁ ପଥର କ୍ରସର ଶିଳ୍ପ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ୨୫ ସେପ୍ଟେମ୍ବରରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇବା ପରେ ପଥର ଶିଳ୍ପ ବ୍ୟବସାୟୀଙ୍କୁ ଏକ  ବଡ ଝଟକା ଲାଗିଥିଲା । ଗାଁ ଲୋକଙ୍କ ପ୍ରୟାସରେ ପଥରଖାଦାନ ଗୁଡିକରୁ କେତେ ପରିମାଣର ଖଣି ଲୁଟ ହୋଇଥିବା ଏକ ସଂସ୍ଥାଦ୍ୱାରା ବେସରକାରୀ  ଆକଳନ ପରେ ପ୍ରଶାସନ ଉପରେ ଚାପ ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲ ପ୍ରଶାସନ ପକ୍ଷରୁ କ୍ଷେତ୍ର କର୍ମଚାରୀ ଏବଂ ଏକ ଯୁଗ୍ମ ତଦନ୍ତ ଟିମ ଗଠନ କରାଯାଇ ପଥର ଖାଦାନ ଗୁଡିକରୁ  ବେନିୟମ ପଥର ଲୁଟ୍‌ ଆକଳନ କରାଯାଇ  ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ ମାମଲା ସଂଖ୍ୟା-୧୮/୨୦୨୧ ପ୍ରୋସେସ ନମ୍ବର ୧୮୯,୧୯୦ ଏବଂ ୧୯୧/୦୨.୧୨.୨୧ ନୋଟିସ ଅନୁସାରେ ଖରଭୂଇଁ -୧ ପଥରଖାଦାନାରୁ ୬ଲକ୍ଷ ୭୯ ହଜାର ୯୬୫ ଘନମିଟର, ଖରଭୂଇଁ-୨ ପଥର ଖାଦାନରୁ-୮୭ହଜାର୮୪୪ ଘନ ମିଟର ଏବଂ ଖରଭୂଇଁ -୦୩ରୁ ୯୮ହଜାର୮୩୭ ଘନ ମିଟର ବେନିୟମ ପଥର ଉତ୍ତୋଳନ ହୋଇଥିବା ଦର୍ଶାଯାଇଛି । ଏହା ବାବଦକୁ ଖରଭୂଇଁ-୧ ଖାଦାନ ପାଇଁ ୧୦କୋଟି ୩୯ଲକ୍ଷ ୨୨ହଜାର ୬୭୬ ଟଙ୍କା, ଖରଭୂଇଁ -୨ ଖାଦାନକୁ ୧କୋଟି ୩୩ଲକ୍ଷ ୬୧ହଜାର୭୨ ଟଙ୍କା ଏବଂ ଖରଭୂଇଁ -୦୩ ଖାଦାନକୁ ୩କୋଟି ୮୩ଲକ୍ଷ ୨୭ହଜାର୮୨୧ଟଙ୍କା ରୟାଲଟି ସହ ଜୋରିମାନା ପଇଠ ପାଇଁ ନୋଟିସ ଜାରି କରାଯାଇଥିଲା । ଏ ଦିଗରେ ରାଜସ୍ୱ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅନାଦେୟ ଜୋରିମାନା ଏବଂ ରାଜଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ଉଠୁଛି ।

 

kalyan agarbati

Comments are closed.