ଦଳୀୟ ମନୋଭାବ ସାଜିଛି ପଞ୍ଚାୟତ ବିକାଶରେ ବାଧକ
ଧଳପୁର ପଞ୍ଚାୟତରେ ୩ଜଣ ସରପଞ୍ଚ ପ୍ରାର୍ଥୀ
ହରଭଙ୍ଗା; ପଞ୍ଚାୟତ ନିର୍ବାଚନକୁ ନେଇ ଚାରିଆଡେ ରାଜନୈତିକ ବାତାବରଣ ସରଗରମ । ପ୍ରଚାର ସାଙ୍ଗକୁ ଗାଁ ଗାଁରେ ଚାଲିଛି ଭୋଜି ଭାତର ଆସର । ପ୍ରତିଯୋଗୀତା ଏବଂ ପ୍ରତିଦ୍ୱନ୍ଦିତାକୁ ନେଇ ସକାଳୁ ସଞ୍ଜ ଯାଏଁ ସବୁଠି ଚାଲିଛି ଭୋଟରଙ୍କ ଚର୍ଚ୍ଚା । ଶଙ୍କୁଲେଇ ପଂଚାୟତରୁ ଅଲଗା ହୋଇ ୧୯୯୧ରେ ଧଳପୁର ପଞ୍ଚାୟତ ଗଠନ ହୋଇଥିଲା । ପଂଚାୟତ ଗଠନର ୩୨ ବର୍ଷ ପୂର୍ତ୍ତୀ ହୋଇଛି । ପଂଚାୟତଟି ମହାନଦୀ କୂଳରେ ଥିବା ସତ୍ୱେ ଆଜି ବି ପଞ୍ଚାୟତବାସୀଙ୍କ ପାଇଁ ମହାନଦୀର ପିଇବା ପାଣି ମିଳୁନାହିଁ । ଅନେକ ଗାଁକୁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଅପହଞ୍ଚ ହୋଇରହିଛି । ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ଉନ୍ନୟନ କାମ ହେଉଥିଲେ ମଧ୍ୟ ଏଠି ଶ୍ରମିକ ପରିବାରକୁ ମନରେଗା କାମ ଖଣ୍ଡିଏ ମିଳେନାହିଁ । ବନ୍ୟାରେ ପଂଚାୟତର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଥିଲେ ମଧ୍ୟ ଏହାର ସୁରକ୍ଷା ଚିନ୍ତା କାହା ମୁଣ୍ଡରେ ପଶେନାହିଁ । ଖଣ୍ଡିଧଳପୁର ଭଳି ମହାନଦୀ ତଟରେ ଥିବା ଗାଁଟି ପ୍ରତିବର୍ଷ ବନ୍ୟାରେ ପ୍ରଭାବିତ ହେଉଥିଲେ ମଧ୍ୟ ଏମାନଙ୍କ ଥଇଥାନ ,ସୁରକ୍ଷା କଥା ଚିନ୍ତା କରାଯାଇନାହିଁ ।
ସେହିପରି ଚାଷ ପଞ୍ଚାୟତବାସୀଙ୍କ ମୁଖ୍ୟ ଜୀବିକା ହୋଇଥିଲେ ମଧ୍ୟ ଏଠାରେ ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପ ଏଯାବତ୍ କାର୍ୟ୍ୟକାରୀ ହୋଇନାହିଁ । ଏଭଳି ସମସ୍ୟା ଯୋଗୁଁ ପଂଚାୟତବାସୀଙ୍କ ଆଶାନୁରୂପ ବିକାଶ ହୋଇପାରିନାହିଁ । ୧୫ଟି ରାଜସ୍ୱ ଗ୍ରାମ ୧୪ଟି ଓାର୍ଡକୁ ନେଇ ଗଠିତ ଧଳପୁର ପଞ୍ଚାୟତରେ ୧୪୬୩ ପରିବାରରେ ୫ହଜାର ୮୦୬ଜଣ ଲୋକ ବସବାସ କରନ୍ତି । ସେଥିରୁ ଅନୁସୂଚିତ ଜାତି ବର୍ଗର- ୨୨୮୮, ଅନୁସୂଚିତ ଜନଜାତି ବର୍ଗର-୨୬୦ ଏବଂ ଅନ୍ୟାନ୍ୟ ବର୍ଗର ୩୨୫୮ ବୋଲି ଜଣାପଡିଛି । ଏହି ପଂଚାୟତରେ ୪୨୮୬ ଭୋଟର ରହିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ମଞ୍ଜରୀ ଗାଈଗୌରୀଆ, ସୁଜାତା କର୍ଣ୍ଣ, ସୁବାଷିନୀ କ୍ଷେତି ଭଳି ୩ଜଣ ପ୍ରାର୍ଥୀ ଏଥର ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି।୨୦୧୨ରେ ସୁବାଷିନୀ ସରପଞ୍ଚ ହୋଇଥିବା ବେଳେ ଦ୍ୱିତୀୟଥର ସରପଂଚ ପାଇଁ ନିର୍ବାଚନ ଲଢୁଛନ୍ତି । ମଞରୀ ଗାଈଗୌରୀଆ ,ସୁଜାତା କର୍ଣ୍ଣ ପଞ୍ଚାୟତର ଦୁଇ ନୂଆ ପ୍ରାର୍ଥୀ ପାରିବାରିକ ରାଜନୀତି ହଟାଇବା ମୁଦା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ସେହିପରି ସୁବାଷିନୀ ଲୋକଙ୍କ ସୁଖ ଦୁଃଖରେ ଆଉ ଥରେ ସାଥି ହେବା ଏବଂ ପଞ୍ଚାୟତର ବାକିଥିବା ବିକାଶ ମୁଦା ନେଇ ନିର୍ବାଚନକୁ ଓହ୍ଲେଇଛନ୍ତି । ହେଲେ ଭୋଟର କାହକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ଧଳପୁରରେ ଅଙ୍କକଷା ଜୋରଧରିଛି।
ଭୋଟରଙ୍କ ମତାମତ
ଈଶ୍ୱର ବେହେରା: ମୁଁ ଜଣେ ୭୬ବର୍ଷୀୟ ବୃଦ୍ଧ।ଅନେକ ନିର୍ବାଚନ ଦେଖିଛି।ପୂର୍ବରୁ ନେତାମାନେ ଆମସୁଖ ଦୁଃଖରେ ସାମିଲ ହେଉଥିଲେ।ଆଜିର ନେତା ଭୋଟ ସରିଗଲେ ସବୁସରିଲା।ନଦୀଖଣ୍ଡିରେ ଆମେ୪୦ ପରିବାର ରହୁଛୁ।ବନ୍ୟାରେ ପ୍ରଭାବିତ ପ୍ରତିବର୍ଷ ହେଉଛୁ। ନଦୀ କୂଳରେ ଥାଇ ମଧ୍ୟ ପାଇପ ପାଣି ଆମକୁ ମିଳୁନାହିଁ।ଆଦର୍ଶ ଗାଁରେ ଆମେ ସାମିଲ ହୋଇଥିଲେ ମଧ୍ୟ ସବୁ ସୁବିଧାରୁ ବଂଚିତ ହେଉଛୁ।ଏପର୍ୟ୍ୟନ୍ତ ଆବାସ ଘର ସବୁ ଲୋକଙ୍କୁ ମିଳିନାହିଁ।ଆମ ଭଳି ଗରିବଙ୍କ ସୁଖ ଦୁଃଖରେ ଯିଏ ସାମିଲ ହେବ ତାକୁ ହିଁ ଭୋଟ ଦେବୁ।
ସୁବାଷ ଦନ୍ତା: ସମୟ ବଦଳିଛି ହେଲେ ବଦଳିନି ନେତାଙ୍କ ଢାଂଚା। ଦଳୀୟ ମନୋଭାବ ନେଇ ଲୋକଙ୍କୁ ପାତରଅନ୍ତର କରାଯାଉଛି। ନେତା ଜନତାଙ୍କ ସେବା କରିବା ବଦଳରେ ଅଧିକ ବୈବସାୟିକ ଚିନ୍ତାଧାରା ପଂଚାୟତର ବିକାଶ ପାଇଁ ବିପଦ ସାଜିଛି । ପଞ୍ଚାୟତର ଅଧିକାଂଶ ଲୋକ ଆବାସରୁ ବଂଚିତ ରହିଛନ୍ତି ।ଉଠା ଜଳସେଚନ ପଏଂଟ,ମେଗା ଜଳସେଚନ ପ୍ରକଳ୍ପ କାର୍ୟ୍ୟକାରୀ ହୋଇପାରୁନାହିଁ।ଏହା ଏକ କିଡନୀ ପ୍ରଭାବିତ ପଞ୍ଚାୟତ ହୋଇଥିଲେ ମଧ୍ୟ ଲୋକଙ୍କୁ ପାଇଁ ଆଜି ବି ପିଇବା ପାଣି ସୁବିଧା ନାହିଁ । ଆଜିବି ପଞ୍ଚାୟତରେ ଅନେକ ସମସ୍ୟା ରହିଛି । ଲୋକଙ୍କ ବିକାଶରେ ସାମିଲ ହୋଇପାରୁଥିବା ଆମେ ପ୍ରାର୍ଥୀକୁ ଚୟନ କରିବୁ।
Comments are closed.