ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଶ୍ରମଜୀବି ଯୋଜନା ବାଟବଣା । ମନରେଗା କାମ ମେସିନ କରୁଥିବା ବେଳେ ଦାୟିତ୍ୱରେ ଥିବା ପ୍ରୋଗ୍ରାମ ଅଫିସରଙ୍କ ନିଦାବିଷ୍ଣୁ ଦୁର୍ନୀତିକୁ ଏକ ପ୍ରକାର ପ୍ରୋତ୍ସାହନ ଯୋଗାଉଛି । ଫଳରେ ଶ୍ରମଜୀବି ପରିବାର ପାଖରେ ଯୋଜନାର ସ୍ୱାଦ ପଂହଚିବାରେ ବ୍ୟତିକ୍ରମ ଦେଖାଦେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତଳଗାଁ ପଂଚାୟତର ଗଣ୍ଡାପାଜୁ-ଖାଲଗାଡୁ ରାସ୍ତା ନିର୍ମାଣ କାର୍ଯ୍ୟରେ । ମନରେଗା ଯୋଜନାରେ ୨୦୨୩-୨୪ ଆର୍ଥୀକ ବର୍ଷରେ ଗଣ୍ଡାପାଜୁ ଠାରୁ ଖାଲଗାଡୁ ରାସ୍ତାର ଉନ୍ନତିକରଣ ପାଇଁ ୫ଲକ୍ଷ୯୦ହଜାର ୭୩୯ ଟଙ୍କା ବ୍ୟୟବରାଦ ହୋଇଥିଲା । ଶ୍ରମିକ ସାହାଯ୍ୟରେ ମାଟି/ମୋରମ ରାସ୍ତା ନିର୍ମାଣ କରାଯିବାକୁ ଏଷ୍ଟିମେଟରେ ପ୍ରାବଧାନ ରହିଥିଲା ।ମାତ୍ର ଶ୍ରମିକ ନିୟମକୁ ଜଳାଞଳି ଦେଇ ଜେସିବି ମେସିନ୍ ସାହାଯ୍ୟରେ କାମ ଚାଲିଥିବା ଦେଖିବାକୁ ମିଳିଛି । ଫଳରେ ଗରିବ ଶ୍ରମଜୀବୀ ପରିବାର କାମଧନ୍ଦାରୁ ବଞ୍ଚିତ ହେଉଛନ୍ତି । ସେହିପରି ଧଳପୁର ପଂଚାୟତର ସମରକଟା ରୁଗୁଡି ବନ୍ଧ କାମ ମେସିନ ସାହାଯ୍ୟରେ ଚାଲିଥିବା ଦେଖିବାକୁ ମିଳିଛି । ମନରେଗା କାମ ତଦାରଖ ପାଇଁ ବ୍ଲକରେ ମନରେଗା ଯୋଜନାରୁ ଏକ ଗାଡି ନିୟୋଜିତ ରହିଛି । ମାତ୍ର ବାବୁମାନେ କାର୍ଯ୍ୟ ତଦାରଖ ସଠିକ ଭାବରେ କରୁନଥିବାରୁ ବ୍ଲକରେ ଶ୍ରମଜୀବି ଯୋଜନା ଏକ ପ୍ରକାର ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି ।
Popular Categories



