୫ଟି ନିୟମକୁ ହରଭଙ୍ଗା ବିଡିଓଙ୍କ ଅଣଦେଖା; ଧାର୍ଯ୍ୟ ସମୟରେ ଆସୁନାହାନ୍ତି ଅଫିସ୍‍

ସହକର୍ମୀ, ସାଧାରଣ ଲୋକଙ୍କୁ ଦେଖାଉଛନ୍ତି ଦୁର୍ବ୍ୟବହାର

ହରଭଙ୍ଗା: ୫ଟି ନିୟମ ଲାଗୁ ପରେ ବି ସରକାରୀ ବାବୁମାନଙ୍କ ଢାଞ୍ଚା ଏବଂ କାର୍ଯ୍ୟଶୈଳୀ ବଦଳୁନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଏଭଳି ଅଭାବନୀୟ ଚିତ୍ର ରାଜ୍ୟସରକାରଙ୍କ ପଞ୍ଚସୂତ୍ରୀ ନିୟମ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଖୋଦ୍‍ ହରଭଙ୍ଗା ବିଡିଓ ସ୍ମିତା ରଥ ୫ଟି ନିୟମକୁ ସଂପୂର୍ଣ୍ଣ ଅଣଦେଖା କରି କେତେବେଳେ ଦିନ ୧୧ଟା ତ ଆଉ କେତେବେଳେ ଦିନ ୧୨ଟା ପରେ କର୍ପୋରେଟ କର୍ମଚାରୀଙ୍କ ଭଳି ଅଫିସ ଆସୁଥିବା ଚିତ୍ରକୁ ଲକ୍ଷ୍ୟ କଲେ ସରକାରଙ୍କ ପଂଚସୂତ୍ରୀ ନିୟମ କାହାପାଇଁ ବୋଲି ପ୍ରଶ୍ନଉଠୁଛି। ଖୋଦ୍‍ ବ୍ଲକର ହର୍ତାକର୍ତା ଏହି ନିୟମକୁ ଅନୁପାଳନ କରିବା ପରିବର୍ତେ ଏହାକୁ ସମ୍ପୂର୍ଣ୍ଣ ଆଣଦେଖା କରୁଥିବାରୁ ବ୍ଲକର ଅନ୍ୟ ତଳିଆ କର୍ମଚାରୀଙ୍କ ମଧ୍ୟରେ ଏହାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି।

prayash

ସଠିକ ସମୟରେ ଅଫିସରେ ବିଡିଓ ପହଞ୍ଚି ପାରୁନଥିବାରୁ ଖରାତରାରେ ବ୍ଲକର ବିଭିନ୍ନ ଅଂଚଳରୁ ବହୁ ଦୂରଦୂରାନ୍ତରୁ ବିଡିଓଙ୍କୁ ଭେଟିବା ପାଇଁ ଆସୁଥିବା ସାଧାରଣ ଲୋକେ ବିନା କାରଣରେ ଅଫିସ ବାରଣ୍ଡାରେ ଘଣ୍ଟା ଘଣ୍ଟା ବସି ସମୟ କାଟିବାକୁ ବାଧ୍ୟ ହେଉଛନ୍ତି। ଖାଲି ସେତିକି ନୁହେଁ ଜଣେ ଗ୍ରୁପ-ଏ ଶ୍ରେଣୀର ବିଡିଓଙ୍କ ଭଳି ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତାଙ୍କ ପାଇଁ ସରକାରୀ ବାସଭବନର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାସତ୍ୱେ ହରଭଙ୍ଗା ବିଡିଓ ଶ୍ମିତା ରଥ ପାଖାପାଖି ୫ମାସହେଲା ସରକାରୀ ଗାଡିରେ ସୁଦୂର ୩୫କିଲୋମିଟର ଦୂର ବୌଦ୍ଧଜିଲ୍ଲା ହେଡ଼୍‌ କ୍ୱାର୍ଟରରୁ ଦୈନିକ ୪ଥର ଯିବା ଆସିବା କରି ସରକାରଙ୍କ ଦୈନିକ ୧୪ଶହ ଟଙ୍କା ତେଲ ଖର୍ଚ୍ଚ କରୁଥିବା ଭଳି ସାଂଘାତିକ ଅଭିଯୋଗ ନଜରକୁ ଆସିଛି। ବିଡିଓଙ୍କ ଯିବାଆସିବା ବାବଦକୁ ମାସିକ ୪୨ହଜାରଟଙ୍କା ସରକାରୀ ତହବିଲରୁ ଅଯଥା ଖର୍ଚ୍ଚ ହେଉଥିବା ମଧ୍ୟ ଜଣାପଡିଛି। ଏହା ସହିତ ନିଜର ସହକର୍ମୀ ଏବଂ ସାଧାରଣ ଲୋକଙ୍କୁ ବିଡିଓ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଜଣେ (ଗ୍ରୁପ୍‍-ଏ)ର ସରକାରୀ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିଥିବା ଘଟଣା ବୌଦ୍ଧ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲା।ଜିଲ୍ଲାପାଳ ଏହି ଘଟଣାରେ ବିଡିଓଙ୍କୁ ତାଗିଦ୍‍ କରିଥିବା ମଧ୍ୟ ଜଣାପଡିଛି। ଖାଲି ସେତିକି ନୁହେଁ କେଉଁ ଦିନ କେଉଁ ଅଂଚଳକୁ ବିଡିଓ ଗସ୍ତ କଲେ ଏ ବାବଦରେ ପ୍ରତିଦିନ ଗସ୍ତ ସୂଚନା ନିଜ ଅଫିସ ସୂଚନାଫଳକରେ ସୂଚିତ କରାଯାଉନଥିବା ଆଉ ଏକ ଅଭାବନୀୟ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଫଳରେ ଦୀର୍ଘ ୫ ମାସହେଲା ଜନୈକ ବିଡିଓ କେବଳ ଅଫିସରେ ବସି ଅଧିକ ସମୟ କାଟୁଥିବା ଏଥିରୁ ପ୍ରମାଣିତ ହୋଇଛି। ସମସ୍ତ ଘଟଣାର ସତ୍ୟାସତ୍ୟ ପାଇଁ ବ୍ଲକରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଅନୁଧ୍ୟାନ କଲେ ବିଡିଓଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ପର୍ଦ୍ଦାଫାସ ହୋଇପାରିବ।

ସୂଚନା ଥାଉ କି, ବର୍ତମାନର ହରଭଙ୍ଗା ବିଡିଓ ସ୍ମିତା ରଥ ଯାଜପୁର ଜିଲ୍ଲା ଧର୍ମଶାଳା ବିଡିଓ ଥିବାବେଳେ କରୋନା ସମୟରେ ରାସନକାର୍ଡ ଦୁର୍ନୀତିରେ ଲିପ୍ତଥିବା ଘଟଣାରେ ତାଙ୍କୁ ଅଗଷ୍ଟ୨୦୨୦ରେ ରାଜ୍ୟ ସରକାର ଯାଜପୁର ଜିଲ୍ଲାରୁ ବୌଦ୍ଧ ଜିଲ୍ଲାକୁ ପନିଶମେଣ୍ଟ ବଦଳି କରାଯାଇଥିଲା। ଏହାପରେ ମଧ୍ୟ ବିଡିଓଙ୍କ ଆଚାର, ବ୍ୟବହାର ବଦଳୁ ନଥିବାରୁ ହରଭଙ୍ଗା ଜନସାଧାରଣ ଉତ୍ତମ ସରକାରୀ ସେବା ପାଇବା ଆଶା ଛାଡିଦେଇଛନ୍ତି। ଏ ଦିଗରେ ପଂଚାୟତିରାଜ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କିରିତ୍‍କର୍ମା ବିଡିଓଙ୍କ ବିରୁଦ୍ଧରେ ଘଟଣାର ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଉଠୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି। ଏ ସର୍ମ୍ପକରେ ହରଭଙ୍ଗା ବିଡିଓ ସ୍ମିତା ରଥଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ଫୋନ ନ ଉଠାଇବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

kalyan agarbati

Comments are closed.