ଗୁଣୁପୁର: ରାୟଗଡା ଜିଲ୍ଲା ରମାନଗୁଡ଼ା ବ୍ଲକ ନାରାୟଣଗୁଡା ଅଙ୍ଗନବାଡି କର୍ମୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଗ୍ରାମବାସୀ ଆଜି ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଦେବାରେ ଅନିୟମିତତା ଏବଂ ଶିଶୁମାନଙ୍କ ଅଭିଭାବକଙ୍କ ସହ ଦୁର୍ବ୍ୟବହାରପ୍ରଦର୍ଶନ ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା, ଶୌଚାଳୟ ଇତ୍ୟାଦି ବ୍ୟବହାରକୁ ବାରଣ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏଥିସହ ଉକ୍ତ କର୍ମୀଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ଦାବୀ କରାଯାଇଛି। ଏ ନେଇ ପୂର୍ବରୁ ରମାନଗୁଡା ସିଡିପିଓ, ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା।
ଆଜି ସିଡିପିଓ ଶାନ୍ତିଲତା ରଥ, ସୁପରଭାଇଜର ଓ ଗୁଣୁପୁର ପୋଲିସର ଉପସ୍ଥିତିରେ ଗ୍ରାମରେ ଏକ ବୈଠକ କରାଯାଇଥିଲା। ବୈଠକରେ କୌଣସି ନିଷ୍ପତ୍ତି ହୋଇ ନ ପାରିବାରୁ ଶେଷରେ ଆଜି ମହିଳାମାନେ ଉକ୍ତ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଅଭିଯୋଗ ସମ୍ପର୍କରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ସିଡିପିଓ। ଅନ୍ୟ ପକ୍ଷରେ ଅଙ୍ଗନବାଡି ଠିକଠାକ ଚାଲିଥିବା କହିଛନ୍ତି ଉକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ।



