ଗୁଡଭେଲା: ଟିଟିଲାଗଡ଼ ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ହେଉଥିବା ଛକାପଞ୍ଝା ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜୁଛି । ଏନେଇ ଗତ ବୁଧବାର ଦିନ ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ମନ୍ତ୍ରୀ ଓ ବ୍ଳକ ଅଧ୍ୟକ୍ଷ ଟକରାଟକରି ହେଉଥିବାର ଏକ ତଥ୍ୟ ସମାଜର ହସ୍ତଗତ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ବଢ଼ୁଥିବାରୁ ଦସ୍ତଖତ ନହୋଇ ଦୀର୍ଘ ଦିନଧରି ଅଧ୍ୟକ୍ଷଙ୍କ ପାଖରେ ଫାଇଲ ପଡିରହୁଛି ବୋଲି ଅଭିଯୋଗ ହେଉଛି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ଖବର ଅନୁସାରେ ଗୁଡ଼ଭେଲା ବ୍ଳକର ମାଡକେଲା, ଗମ୍ଭାରୀଗୁଡା ପଞ୍ଚାୟତ କମ୍ୟୁନିଟି ସେଣ୍ଟର, ଦୁଳିକୁନା ରୋଡ ଓ ଗାର୍ୱାଳ କାମ ସହ ମୋଟ ୬ଟି ପ୍ରକଳ୍ପ ବିଲ ଫାଇଲ ପ୍ରାୟ ୩ ମାସ ଧରି ବ୍ଳକ ଅଧ୍ୟକ୍ଷଙ୍କ ପାଖରେ କାଉଣ୍ଟର ସାଇନ ପାଇ ପଡିରହିଥିଲା ।
ଏହାର କୌଣସି ଅଗ୍ରଗତି ନହେବାରୁ ବ୍ଳକ ପ୍ରଶାସନ ଜିଲ୍ଲା ପ୍ରଶାସନ ନିକଟକୁ ଫାଇଲ ନେଇଥିବା ଜଣାପଡିଛି । ସରକାରୀ ନିୟମ ଅନୁସାରେ ୭ ଦିନରୁ ଅଧିକ ଅଧ୍ୟକ୍ଷଙ୍କ ପାଖରେ ଯଦି ଫାଇଲ ପଡି ରହେ ତେବେତାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଡି ଡିଆରଡିଏ କିମ୍ବା ଉପଜିଲ୍ଲାପାଳଙ୍କ ଦ୍ଵାରା କାଉଣ୍ଟର ସାଇନ୍ କରାଯାଇଥାଏ ବୋଲି ଜଣେ କର୍ମଚାରୀ ନା ଗୋପନ ରଖି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡ଼ଭେଲା ବ୍ଳକରେ ମନ୍ତ୍ରୀ ଓ ପୂର୍ବ ବ୍ଳକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି ।
ବ୍ଳକ କ୍ଷମତା ଦଖଲରେ ଅଶୋକ ସଫଳ ହୋଇଥିବା ବେଳେ ବିଧାୟକ ଲଢେ଼ଇରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଠାରୁ ଅସଫଳ ହୋଇଥିଲେ । ଯାହଫଳ ଦୁହିଁଙ୍କ ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ଧୀରେ ଧୀରେ ଉଷ୍ମ ହେବାରେ ଲାଗିଛି ବୋଲି ଆଲୋଚନା ଜୋର ଧରିଛି।



