www.samajalive.in
Friday, December 12, 2025
14.1 C
Bhubaneswar

କୋହଲିଙ୍କ ଶତକ ନିଷ୍ଫଳ ; ଗିଲ୍‌ଙ୍କ ଶତକ ଆର୍‌ସିବିକୁ ବିଦାକଲା

ବେଙ୍ଗାଲୁରୁ : ବିରାଟ କୋହଲି ଓ ଶୁବ୍‌ମାନ ଗିଲ୍‌ ଚଳିତ ଆଇପିଏଲ୍‌ରେ ଗୋଟିଏ ମ୍ୟାଚ୍‌ରେ ବ୍ୟକ୍ତିଗତ ୨ୟ ଶତକ ହାସଲ କରିଛନ୍ତି। ତେବେ କୋହଲିଙ୍କ ଅପରାଜିତ ଶତକ ନିଷ୍ଫଳ ହୋଇଥିବା ବେଳେ ଗିଲ୍‌ଙ୍କ ଅପରାଜିତ ଶତକ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ପ୍ଲେଅଫ୍‌ରୁ ବିଦାୟର ରାସ୍ତା ଦେଖାଇଛି। ରବିବାର ୭୦ତମ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଗିଲ୍‌ଙ୍କ ଅପରାଜିତ ବିସ୍ଫୋରକ ୧୦୪ ରନ୍‌ ବଳରେ ଆର୍‌ସିବିକୁ ୬ ୱିକେଟରେ ଗୁଜରାଟ ଟାଇଟାନ୍‌ସ ପରାସ୍ତ କରିଛି। ଏହି ପରାଜୟ ଫଳରେ ଆର୍‌ସିବି ପ୍ଲେଅଫ୍‌ରୁ ବାଦ୍‌ପଡ଼ିଛି। ଅନ୍ୟପକ୍ଷରେ ବାଦ୍‌ପଡ଼ିବା ଆଶଙ୍କାରେ ଥିବା ମୁମ୍ବଇ ଇଣ୍ଡିଆନ୍‌ସ ପ୍ଲେଅଫ୍‌ରେ ସ୍ଥାନପାଇଛି। ବିରାଟ କୋହଲିଙ୍କ ଅପରାଜିତ ୧୦୧ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୫ ୱିକେଟରେ ୧୯୭ ରନ୍‌ କରିପାରିଛି। ପରେ ଗିଲ୍‌ଙ୍କ ଅପରାଜିତ ଶତକ ଓ ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବଳରେ ୫ଟି ବଲ୍‌ ବାକିଥାଇ ୪ ୱିକେଟ ହରାଇ ଗୁଜରାଟ ଜିତିଥିଲା। ଏହି ମ୍ୟାଚ୍‌ ପୂର୍ବରୁ ଗୁଜରାଟ ଟାଇଟାନ୍‌ସ କ୍ବାଲିଫାୟର-୧ ଖେଳିବା ନିଶ୍ଚିତ କରି ସାରିଥିବା ବେଳେ ଶେଷ ମ୍ୟାଚ୍‌ ଜିତି ଶୀର୍ଷରେ ଥିବା ଗୁଜରାଟ ୧୦ମ ବିଜୟ ପରେ ତା’ର ପଏଣ୍ଟକୁ ୨୦ରେ ପହଞ୍ଚାଇଛି। ୧୪ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ଆର୍‌ସିବି ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷକରିଛି।
୧୯୮ ରନ୍‌ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍‌ସ ଜଲ୍‌ଦି ଋଦ୍ଧିମାନ ଶାହାଙ୍କ ୱିକେଟ ହରାଇଥିଲା। ଅନ୍ୟ ଓପ୍‌ନର ଶୁବ୍‌ମାନ ଗିଲ୍‌ ଓ ଇମ୍ପାକ୍ଟ ଖେଳାଳି ବିଜୟ ଶଙ୍କର ଚମତ୍କାର ବ୍ୟାଟିଂ କରିଥିଲେ। ୭ ଓଭରରେ ୫୯ ରନ୍‌ ହୋଇଥିବା ବେଳେ ପରେ ଦୁହେଁ ରନ୍‌ଗତି ବଢ଼ାଇଥିଲେ। ବିଶେଷକରି ଗିଲ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୨୮ ବଲ୍‌ରୁ ଗିଲ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ। ଶୁବ୍‌ମାନ ଗିଲ୍‌ ଓ ଶଙ୍କର ଆକ୍ରମଣ କରି ୭୧ ବଲ୍‌ରୁ ୧୨୩ ରନ୍‌ ଯୋଡ଼ିଥିଲେ। ବିଜୟ ଶଙ୍କର ୩୫ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୩୫ ରନ୍‌ କରିଥିଲେ। ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନକ ଖାତା ଖୋଲି ପାରିନଥିଲେ। ଡେଭିଡ୍‌ ମିଲର ୬ ରନ୍‌କରି ବିଦାୟ ନେଇଥିଲେ। ପରେ ଗିଲ୍‌ ଏକା ଦଳକୁ ଜିତାଇ ଆର୍‌ସିବିକୁ ପ୍ଲେଅଫ୍‌ରୁ ବିଦା କରିଥିଲେ। ଶେଷ ଓଭରରେ ଛକାମାରି ଗିଲ୍‌ ଶତକ ପୂରଣକରି ଦଳକୁ ବିଜୟୀ କରାଇଥିଲେ। ଚଳିତ ସଂସ୍କରଣରେ ୧୧ଶ ଏବଂ ବ୍ୟକ୍ତିଗତ ୨ୟ ଶତକ ହାସଲ କରିଥିବା ଗିଲ୍‌ ୫୨ ବଲ୍‌ରୁ ୮ଟି ଛକା ଓ ୫ଟି ଚୌକା ସହ ୧୦୪ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସିରାଜ୍ ୨ଟି ୱିକେଟ ନେଇଥିଲେ। ଗିଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ବର୍ଷା ଯୋଗୁଁ ୧ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଗୁଜରାଟ ଟାଇଟାନ୍‌ସ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୁଇ ତାରକା ଓପ୍‌ନର ଫାଫ୍ ଡୁ ପ୍ଲେସି ଓ ବିରାଟ କୋହଲି ୭ ଓଭରରେ ୬୭ ରନ୍‌ ଯୋଡ଼ିଥିଲେ। ଅଧିନାୟକ ଡୁ ପ୍ଲେସି ୧୯ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌କରି ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲୀୟ ଗ୍ଲେନ୍‌ ମ୍ୟାକ୍ସୱେଲ ୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌କରି ବିଦାୟ ନେଇଥିଲେ। ମହିପାଳ ଲୋମରୋର ମାତ୍ର ୧ ରନ୍‌ କରି ପାରିଥିଲେ। ଏହିପରି ୧୮ ରନ୍‌ ମଧ୍ୟରେ ୩ଟି ୱିକେଟ ପଡ଼ିବା ପରେ ବିରାଟ କୋହଲି ଓ ମାଇକେଲ ବ୍ରେସ୍‌ୱେଲ୍‌ ୪ର୍ଥ ୱିକେଟ ପାଇଁ ୨୯ ବଲ୍‌ରୁ ୪୭ ରନ୍‌ ଯୋଡ଼ିଥିଲେ। ନ୍ୟୁଜିଲାଣ୍ଡର ବ୍ରେସ୍‌ୱେଲ୍‌ ୧୬ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍‌ କରିଥିଲେ। ପରେ କୋହଲି ଏକା ଇନିଂସ ସମ୍ଭାଳିଥିଲେ। ୩୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ପରବର୍ତ୍ତୀ ୨୫ ବଲ୍‌ରୁ ଆଉ ୫୦ ରନ୍‌କରି ଆଇପିଏଲ୍‌ କୀର୍ତ୍ତିମାନ ୭ମ ଶତକ ପୂରଣ କରିଥିଲେ। ଦିନେଶ କାର୍ତ୍ତିକ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। କୋହଲି ଓ ଅନୁଜ ରାୱତ ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ୩୪ ବଲ୍‌ରୁ ୬୪ ରନ୍‌ ଯୋଡ଼ିଥିଲେ। ରାୱତ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌କରି ଅପରାଜିତ ଥିଲେ। ବିରାଟ କୋହଲି ୬୧ ବଲ୍‌ରୁ ଗୋଟିଏ ଛକା ଓ ୧୩ଟି ଚୌକା ସହ ୧୦୧ ରନ୍‌କରି ଅପରାଜିତ ଥିଲେ। ନୁର୍ ଅହମ୍ମଦ ୨ଟି ୱିକେଟ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories