ଆବାସିକ ସମ୍ପତ୍ତି ଉପରେ ଲାଗୁ ହେବ ଅଳ୍ପ ହାର ଜି.ଏସ୍.ଟି.

ନୂଆଦିଲ୍ଲୀ: ଜି.ଏସ୍.ଟି. ପରିଷଦ ଆବାସିକ ସମ୍ପତ୍ତି ଉପରେ ନୂଆ ସାମଗ୍ରୀ ଓ ସେବାକର ଲାଗୁକୁ ମଙ୍ଗଳବାର ଅନୁମୋଦନ କରିଛି। ଏହା ଅଧୀନରେ ନିର୍ମାଣାଧୀନ ଘରଗୁଡ଼ିକ ପାଇଁ କୋଠାବାଡ଼ି ନିର୍ମାଣକାରୀମାନେ ସଂଶୋଧିତ ଅଳ୍ପହାରର ଜି.ଏସ୍.ଟି. ଲାଗୁ କରି ପାରିବେ। ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ସାମ୍ବାଦିକମାନଙ୍କୁ କହିଛନ୍ତି, ୨୦୧୯ ଏପ୍ରିଲ୍ ପହିଲା ପରଠାରୁ ଆରମ୍ଭ ହେବାକୁ ଥିବା ବାସଗୃହ ପ୍ରକଳ୍ପଗୁଡ଼ିକ ପାଇଁ କୋଠାବାଡ଼ି ନିର୍ମାଣକାରୀମାନେ ନୂଆ ଜି.ଏସ୍.ଟି. ହାର ଲାଗୁ କରିପାରିବେ। ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଆରମ୍ଭ କରାଯାଇଥିବା ବାସଗୃହଗୁଡ଼ିକ ପାଇଁ ସେମାନେ ପୃଥକ ଜି.ଏସ୍.ଟି. ହାର ଲାଗୁ କରିପାରିବେ। ଶ୍ରୀ ପାଣ୍ଡେ କହିଛନ୍ତି, ନୂଆ ଜି.ଏସ୍.ଟି. ଲାଗୁ ଯୋଗୁଁ ସରକାରଙ୍କୁ କୌଣସି ରାଜସ୍ୱ କ୍ଷତି ଘଟିବ ନାହିଁ। ଲୋକସଭା ନିର୍ବାଚନ ପରେ ଜି.ଏସ୍.ଟି. ପରିଷଦର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ।