www.samajalive.in
Monday, December 8, 2025
27.1 C
Bhubaneswar

ଲକ୍ଷ୍ୟରୁ ଦୂରେଇ ଯାଉଛି ‘ସବୁଜ ମହାନଦୀ ମିଶନ’

ସୋନପୁର: ମହାନଦୀ ସହ ରାଜ୍ୟର କିଛି ବଡବଡ ନଦୀ କୂଳର ସୁରକ୍ଷା ପାଇଁ ୨୦୧୮ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମ। ୨୦୧୮ ଜୁଲାଇ ମାସ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲା ଗସ୍ତ ସମୟରେ ସୁବର୍ଣ୍ଣପୁର ସହର ଉପକଣ୍ଠ ମହାନଦୀ କୂଳ ବୁଢାରାଜାଠାରେ ଏହି ମିଶନର ଉଦଘାଟନ କରିଥିଲେ। ସେହି ବର୍ଷ ମୌସୁମୀ ସମୟରେ ବ୍ୟାପକ ଚାରାରୋପଣ ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ମହାନଦୀ ସହ ଜଳ ସଂଗ୍ରହ ସ୍ରୋତ ପାର୍ଶ୍ବରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ଯେଉଁଥିରେ ୨କୋଟି ଚାରା ଲଗାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ମିଶନର ମୂଳ ଲକ୍ଷ୍ୟ ଥିଲା ମହାନଦୀର ସୁରକ୍ଷା ସହ ନଦୀକୂଳରୁ ମୃତ୍ତିକା ସଂରକ୍ଷଣ ଓ ଭୂତଳ ଜଳସ୍ତର ସଂରକ୍ଷଣ କରିବା। ମହାନଦୀ, ତେଲ, ଇବ୍‍ ଆଦି ନଦୀ କୂଳରେ ୪୧ ହଜାର ହେକ୍ଟର ଅଞ୍ଚଳରେ ୫ କୋଟିରୁ ଅଧିକ ଚାରାରୋପଣ କରିବା। ଅନ୍ୟ ପକ୍ଷରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ନଦୀକୂଳରୁ ଏକ କିଲୋମିଟର ଦୂରତା ମଧ୍ୟରେ ଆମ୍ବ, ପିଜୁଳି, ଜାମୁ ଆଦି ଫଳ ଗଛ ମଧ୍ୟ ଲଗାଇବା। ମୁଖ୍ୟ ନଦୀଗୁଡିକର ଉଭୟ ପାର୍ଶ୍ବରେ କେବଳ ଚାରାରୋପଣ କାହିଁକି ୫ ବର୍ଷ ମଧ୍ୟରେ ୫ ହଜାର କିଲୋମିଟର ରାସ୍ତାକଡରେ ମଧ୍ୟ ପଥପାର୍ଶ୍ବ ବନୀକରଣ କରିବା। କିନ୍ତୁ ସୁବର୍ଣ୍ଣପୁର ଜିଲାରେ ଏହି ମିଶନ ନିଜର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଥିବା ଦେଖାଯାଇଛି।

ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ମାତ୍ର ୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏଭଳି ଏକ ମହତ କାର୍ୟ୍ୟକ୍ରମ ବର୍ତ୍ତମାନ କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନୀ ଫଳକରେ ରହିଯାଇଥିବା ଦେଖାଯାଇଛି। ଯାହା ଫଳରେ ଏହାର ସଫଳ କାର୍ୟ୍ୟକାରୀତାକୁ ନେଇ ବିଭିନ୍ନ ସଚେନତ ମହଲ ସହ ପରିବେଶବିତ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି। ଜିଲା ଜଙ୍ଗଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୮-୧୯ ଆର୍ଥୀକ ବର୍ଷରେ ଏହି ମିଶନ ଅଧୀନରେ ୬ ଶହ ହେକ୍ଟରରେ ପୁନଃ ବନୀକରଣ, ୧୦୦୦ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ୩୫ ହେକ୍ଟର ବାଉଁଶ, ୩୫ କିଲୋମିଟର ପଥପାର୍ଶ୍ବ ବନୀକରଣ ସହ ୮ ଲକ୍ଷ ଏଗ୍ରୋ ଫରେଷ୍ଟ୍ରୀ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ୩୨୦ ହେକ୍ଟରରେ ପୁନଃ ବନୀକରଣ, ୮୭୦ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଆଦି କରାଯାଇ ୫ କୋଟି ୧୭ ଲକ୍ଷ ୨୩ ହଜାର ୯୧୧ ଟଙ୍କା ବୟ ଅଟକଳ କରାଯାଇଥିଲା। ତେବେ ସରକାର ଏଥିପାଇଁ ୨ କୋଟି ୮୨ ଲକ୍ଷ ୨୫ ହଜାର ୧୬୮ ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ବେଳେ ନଭେମ୍ବର ୨୦୧୯ ସୁଦ୍ଧା ପ୍ରଚାର ପ୍ରସାର ଓ ବନ ମହୋତ୍ସବରେ ୫୦ ହଜାର, ୧୯-୨୦ ବର୍ଷ ୧୯୩ ହେକ୍ଟର ଜମିରେ ପୁନଃ ବନୀକରଣ ନାଁରେ ୮୭ ଲକ୍ଷ ୮୮ ହଜାର ୫୩୦, ୪୫ ହେକ୍ଟର ପାର୍ବତ୍ୟାଞ୍ଚଳ ବନୀକରଣରେ ୩୩ ଲକ୍ଷ ୯୨ହଜାର ୯୨୭, ସହରାଞ୍ଚଳ ବନୀକରଣରେ ୨୦ ହଜାର ଚାରାରୋପଣରେ ୪୪ ଲକ୍ଷ ୩୯ ହଜାର ୩୮୭, ୨ ଲକ୍ଷ ୭୬ ହଜାର ୭ ଶହ ଚାରା ବଣ୍ଟନରେ ୯ ଲକ୍ଷ ୮୨ ହଜାର, ୧୮-୧୯ ସହରାଞ୍ଚଳ ଚାରାରୋପଣର ଦ୍ୱତୀୟ ବର୍ଷ ରକ୍ଷଣାବେକ୍ଷଣରେ ୩୧ ଲକ୍ଷ ୩୭ ହଜାର ୩୭, ୧୮-୧୯ ପୁନଃ ବନୀକରଣର ରକ୍ଷଣାବେକ୍ଷଣରେ ୩୪ ଲକ୍ଷ ୨୩ ହଜାର ୨୮୩ ଓ ୧୮-୧୯ ଉଲୁଡା ଜଙ୍ଗଲର ପୁନରୁଦ୍ଧାର କାର୍ୟ୍ୟର ରକ୍ଷଣାବେକ୍ଷଣରେ ୧୦ ଲକ୍ଷ ୯୨ ହଜାର ୬୪୯ ଟଙ୍କା ଏହି ଭଳି ମୋଟ ୨ କୋଟି ୫୩ ଲକ୍ଷ ୧୫ ହଜାର ୮୨୨ ଟଙ୍କା ବ୍ୟୟ କରାଯାଇଥିବା ସୂଚନା ମିଳିଛି। କିନ୍ତୁ ଜିଲାରେ ଏତେ ଅର୍ଥ ବ୍ୟୟ ସହ ଯୋଜନା କାର୍ୟ୍ୟକାରୀ ହେବାର ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ଆଖିଦୃଶିଆ ସଫଳତା ମିଳି ନ ଥିବା ଦେଖାଯାଇଛି। ଅନ୍ୟପକ୍ଷରେ ଏହି ଯୋଜନା ଅଧୀନରେ ନଦୀକୂଳ ସଂରକ୍ଷଣ ଜରୁରୀ ହୋଇଥିଲେ ସୁଦ୍ଧା ସରକାରଙ୍କ ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଆନ୍ତରୀକତାର ଅଭାବ ଯୋଗୁଁ ପ୍ରତ୍ୟେକ ବର୍ଷ ବନ୍ୟାରେ ମିଟର ମିଟର ନଦୀକୂଳ ଖାଇଯାଉଥିବା ଦେଖାଯାଇଛି।
ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅନକେ ଚାରାରୋପଣ ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ବିଶେଷ କରି ଜିଲାର ମହନଦୀ କୂଳ ଅଞ୍ଚଳରେ ଥିବା ଜିଲାର ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକ ସହ ତେଲନଦୀ କୂଳରେ ଥିବା ତରଭା ଓ ସୋନପୁର ବ୍ଲକ ଅଞ୍ଚଳର ଶହଶହ ହେକ୍ଟର ଜମି ଏବେ ବି ପଡ଼ିଆ ପଡ଼ିଥିବା ଦେଖାଯାଇଛି। ନଦୀକୂଳରେ ମୃତ୍ତିକା ସଂରକ୍ଷଣ ସହ ପାଶ୍ୱବର୍ତ୍ତି ଗ୍ରାମଗୁଡିକୁ ବନ୍ୟାଜଳରୁ ରକ୍ଷା କରିବା ପାଇଁ ଏହି ସବୁ ନଦୀକୂଳରେ ସାମୂହିକ ଚାରାରୋପଣର ନିତାନ୍ତ ଆବଶ୍ୟକତା ଥିଲେ ମଧ୍ୟ ଜଙ୍ଗଲ ବିଭାଗର ଆନ୍ତରୀକତା ନଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାଙ୍କୁ ଯୋଗାଯୋଗ କରିବାରେ ଜିଲାରେ ମହାନଦୀ ମିଶନ କାର୍ୟ୍ୟକ୍ରମ ବ୍ୟାପକ ଭାବରେ ଚାଲିଛି। ଏହି ମିଶନ ଅଧୀନରେ ଗତ ବର୍ଷ ୧୯୩ ହେକ୍ଟର ଜମିରେ ବନୀକରଣ କରାଯାଇଥିବା ବେଳେ ଚଳିତ ବର୍ଷ ୧୦ ହେକ୍ଟର ଜମିରେ ବନୀକରଣ କରାଯାଇଛି। ଏପରିକି ପୂର୍ବରୁ କରାଯାଇଥିବା ବନୀକରଣ ତଥା ଉଜୁଡା ଜଙ୍ଗଲର ପୁନରୁଦ୍ଧାର କାର୍ୟ୍ୟ ମଧ୍ୟ ସଠିକ ଭାବେ ଚାଲିଛି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଆବଶ୍ୟକ ଆର୍ଥୀକ ଅନୁଦାନ ଆସିବା ସମ୍ଭବପର ହୋଇ ପାରୁନଥିବାରୁ ଉପଯୁକ୍ତ ରକ୍ଷଣାବକ୍ଷଣ କାର୍ୟ୍ୟ ସୁଚାରୁ ରୂପେ ତୁଲାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ତଥାପି ବନ ବିଭାଗ ପକ୍ଷରୁ ଏହାର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories