ରାଜ୍ୟପାଳଙ୍କ ବିମାନ ବ୍ୟବହାର ; ହିସାବ ମାଗିଲେ ସରକାର

0

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବ୍ୟବହାର କରିଥିବା ସ୍ୱତନ୍ତ୍ର ଜେଟ୍‌ ବିମାନ ଓ ହେଲିକପ୍ଟରର ୟୁଜର୍ସ ସାର୍ଟିଫିକେଟ ଦେବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜଭବନକୁ ପତ୍ର ପଠାଯାଇଛି। କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ହେଲିକପ୍ଟର ବ୍ୟବହାର କରାଯାଇଛି ଏବଂ ଜେଟ୍‌ର ଅନୁମୋଦିତ କାର୍ୟ୍ୟସୂଚୀରେ ବ୍ୟତିକ୍ରମ ହୋଇଛି ତାହା ଅବଗତ କରିବାକୁ କୁହାଯାଇଛି। ଏଥିପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯାଇଥିଲା କି ନା ସେ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ଚାହିଁଛି। ରାଜ୍ୟପାଳଙ୍କ ଦ୍ୱାରା ଜୁନ ୧୦ ତାରିଖରୁ ୧୩ ତାରିଖ ମଧ୍ୟରେ ବ୍ୟବହାର କରାଯାଇଥିବା ଜେଟ୍‌ ଓ ହେଲିକପ୍ଟରର ଭଡ଼ା ବାବଦକୁ ୪୬ ଲକ୍ଷ ୧୮ ହଜାର ଟଙ୍କାର ବିଲ୍‌ ହୋଇଛି।
ସାଧାରଣ ପ୍ରଶାସନ ବିଭାଗ ଉପ ସଚିବ ଇନ୍ଦିରା ବେହେରା ୪ ତାରିଖରେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଏହି ପତ୍ର ଦେଇଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟପାଳ ପ୍ରଫେସର ଲାଲ ଜେଟ୍‌ରେ ଜୁନ୧୦ ତାରିଖ ଦିନ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଇ ସେଠାରୁ ଜୁନ୍‌ ୧୩ ତାରିଖରେ ଭୁବନେଶ୍ୱର ଫେରିଥିଲେ। ୧୦ ତାରିଖ ଦିନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ହରିଆଣାର ଶୀର୍ଷାକୁ ହେଲିକପ୍ଟର ଯୋଗେ ଯାଇଥିଲେ। ବିମାନ ଭଡ଼ା ବାବଦରେ ୪୧ଲକ୍ଷ ୧୮ ହଜାର ଏବଂ ହେଲିକପ୍ଟର ବାବଦରେ ୫ଲକ୍ଷ ଟଙ୍କା ବିଲ୍‌ ହୋଇଛି। ମେସର୍ସ ପିନାକଲ ଏୟାର ପ୍ରାଇଭେଟ ଲି. ଦେଇଥିବା ବିଲ୍‌ ଉପରେ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ୟୁଜର୍ସ ସାର୍ଟିଫିକେଟ ଦେବାକୁ ଅନୁରୋଧ କରାଯାଇଛି।
ରାଜଭବନ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ ରାଜ୍ୟପାଳ ବିମାନ ବ୍ୟବହାର କରିବାକୁ ଚାହିଁଲେ ରାଜଭବନ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଥାଏ। ସରକାର ବିମାନ ଦିଅନ୍ତି ଏବଂ ରାଜ୍ୟପାଳ ତାହା ବ୍ୟବହାର କରିଥାଆନ୍ତି। ସାଧାରଣ ଭାବେ ସରକାରୀ ଗସ୍ତରେ ଯାଉଥିବା ଅଧିକାରୀ କୌଣସି ଗାଡି ବ୍ୟବହାର କଲେ ମଧ୍ୟ ସେଥିପାଇଁ ସାର୍ଟିଫିକେଟ ସହ ଗସ୍ତର କାରଣ ଦର୍ଶାଇ ଥାଆନ୍ତି। ଏହା ଏକ ବ୍ୟବସ୍ଥା।

Leave A Reply