ପୂଜକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ଗହଣା ଓ ଟଙ୍କା
ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୁର ପେଟା ଶେଷ ସାହିରେ ରହୁଥିବା ରାମଚନ୍ଦ୍ରପୁର ଲକ୍ଷ୍ମନୃସିଂହ ମନ୍ଦିରର ପୂଜାରୀଙ୍କ ଘରେ ଚୋର ମାନେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ଟଙ୍କା ଓ ଅଳଙ୍କାର ଲୁଟିନେଇଛନ୍ତି । ଏନେଇ ମନ୍ଦିରର ପୂଜାରୀ ବିଜୟ କୁମାର ଦାଶଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ଲାଗି ପୂଜାରୀ ବିଜୟ କୁମାର ଦାଶ ସପରିବାର ସହ ପୂଜା ଅର୍ଚ୍ଚନା କାର୍ଯ୍ୟ ପାଇଁ ମନ୍ଦିରରେ ଥିଲେ । ଆଜି ସକାଳୁ ଠାକୁରଙ୍କ ନିତ୍ୟକର୍ମ ସାରି ପ୍ରାୟ ୯ଟା ବେଳେ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ବେଳକୁ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା । ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ୨୦ ହଜାର ଟଙ୍କା, ୫ତୋଳା ରୂପାର ଗଣେଶ ଲକ୍ଷ୍ମୀ ମୂର୍ତ୍ତି, ୩ ତୋଳା ରୂପାର ଗିନା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୂଜାରୀ । ଅଭିଯୋଗ ଅଭିଯୋଗ ଅନୁସାରେ ପୁଲିସ କେସ ନଂ ୭୪/୨୦୨୨ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହ ସାଇଣ୍ଟିଫକ୍ ଟିମ ପହଞ୍ଚି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି । ଗତ କିଛି ଦିନ ତଳେ ଭକ୍ତି ସାଲେବେଗ ନଗରରେ ମଧ୍ୟ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ ନେଇଥିଲେ କିଛି ଦୁର୍ବୃତ୍ତ । ଏହା ମଧ୍ୟରେ ଗୋପାଳପୁର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚୋରି ମାମଲା ବଢୁଥିବା ସାଧାରଣରେ ଅଭିଯୋଗ ହେଉଛି।
Comments are closed.